ନୂଆଦିଲ୍ଲୀ: ପୁଅ କିମ୍ବା ଝିଅ ବଡ଼ ହୋଇଯିବା ପରେ ତାଙ୍କର ବିବାହ କରାଇବା ବାପା-ମାଙ୍କ କର୍ତ୍ତବ୍ୟ । କିନ୍ତୁ ମା’ର ବିବାହ ପୁଅ କରାଇଛି ବୋଲି କେବେ ଶୁଣିଛନ୍ତି କି ? ମା’ ଦୀର୍ଘ ୧୮ ବର୍ଷ ଧରି ସବୁ ଦୁଃଖ କଷ୍ଟକୁ ସହି ପୁଅକୁ ବଡ଼ କରିଥିଲା । ଆଉ ଆଜି ପୁଅ ତା ମା’ଙ୍କ ଋଣ ସୁଝିବାକୁ ଯାଇ ଏତେ ବଡ଼ କାମ କରିଛି, ଯାହାକୁ ସାରା ବିଶ୍ବ ଏବେ ସଲାମ କରୁଛି । ୧୮ ବର୍ଷ ହେଲା ସେ ତା ମା’ଙ୍କ ପ୍ରାଥମିକତା ରହିଆସିଥିଲା । କିନ୍ତୁ ଏବେ ତା ମାଙ୍କ ଜୀବନରେ ଅନ୍ୟ ଏକ ମଣିଷକୁ ପ୍ରାଥମିକତା ମିଳୁ ବୋଲି ଖୋଦ ପୁଅ ସ୍ଥିର କରିଥିବା ବେଳେ ଜୀବନର ସବୁଠାରୁ ବଡ଼ ତ୍ୟାଗ କରିଛି ।

ମା-ପୁଅ ସଂପର୍କର ଏକ ନୂଆ ଉଦାହରଣ ସୃଷ୍ଟି କରିଥିବା ଏହି ଘଟଣା ପାକିସ୍ତାନର । ମୁସଲିମ୍‌ ଦେଶ ପାକିସ୍ତାନରେ ମହିଳାଙ୍କ ଦ୍ବିତୀୟ ବିବାହ ଆଜି ବି ଏକ ସମାଜ ବିରୋଧୀ କାର୍ଯ୍ୟ ଭାବେ ବିବେଚନା କରାଯାଉଥିବା ବେଳେ ଜଣେ ପୁଅ ତା’ ମାର ସୁନ୍ଦର ଜୀବନ ପାଇଁ ସବୁ ଆଇନ୍‌କୁ ଅଣଦେଖା କରିଦେଇଛି ।  ତେବେ ଏ ତମାମ ଘଟଣା ସଂପର୍କରେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି  ଅବଦୁଲ ଅହଦ  ।  ଅବଦୁଲ ଅହଦ ହିଁ ତାଙ୍କ ମାଙ୍କ ଦ୍ବିତୀୟ ବିବାହ (ନିକାହ) କରାଇଛନ୍ତି । ତାଙ୍କର ଏଭଳି ପଦକ୍ଷେପ ବିଶ୍ବ ସମାଜକୁ ଏକ ବଡ଼ ବାର୍ତ୍ତା ଦେଇଥିବା ବେଳେ ପୁରୁଷ ପ୍ରାଧାନ୍ୟ ସମାଜର ଆଖି ଖୋଲି ଦେଇଥିବା କୁହାଯାଉଛି ।  

ଏହି ଇନଷ୍ଟା ପୋଷ୍ଟକୁ ୧୦ ଲକ୍ଷରୁ ଅଧିକ ଭିଉ ମିଳିଥିବା ବେଳେ ପ୍ରାୟ ୭୦ ହଜାର ଲାଇକ୍‌ ମିଳିସାରିଛି ।  ନିଜ ମାଙ୍କ ସହ ଅବଦୁଲଙ୍କ ପିଲା ବେଳର ଫଟୋ, ହସଖୁସିର ମୁହୁର୍ତ୍ତ ସବୁ ଇନଷ୍ଟା ପୋଷ୍ଟରେ ସେୟାର କରାଯାଇଛି ।   ଭିଡିଓରେ ମହିଳାଙ୍କ ବିବାହ ବେଳର ଫଟୋ ଏବଂ ନିକାହ ଦସ୍ତାବିଜ ମଧ୍ୟ ରହିଛି । ଅବଦୁଲ ଅହଦ କହିଛନ୍ତି, ‘ଆମକୁ ପାଳିବାକୁ ଏବଂ ବଡ଼ କରିବାକୁ ମା’ ନିଜ ଜୀବନରେ ୧୮ ବର୍ଷ ଦେଇଛନ୍ତି । ମୁଁ ମଧ୍ୟ ତାଙ୍କୁ ଏକ ଭଲ ଜୀବନ ଦେବାକୁ ଚେଷ୍ଟା କରିଛି, ଯେତିକି ମୁଁ କରିପାରିବି ।  ମୋତେ ଲାଗୁଛି ସେ ଏକ ଶାନ୍ତିପୂର୍ଣ୍ଣ ଜୀବନ ବିତାଇବାକୁ ହକ୍‌ଦାର । ମୋତେ ଲାଗୁଛି ମୁଁ ଠିକ୍‌ କାମ କରିଛି । ୧୮ ବର୍ଷ ପରେ ପ୍ରେମ ଏବଂ ନୂଆ ଜୀବନ ପାଇବା ଦିଗରେ ମାଙ୍କୁ ସମର୍ଥନ କରିଛି।’ 




ସେପଟେ ଅବଦୁଲଙ୍କ ଏଭଳି ପଦକ୍ଷେପକୁ ନେଇ ତାଙ୍କ ମା’ ଖୁସି ବ୍ୟକ୍ତ କରିଛନ୍ତି । ପିଲାମାନେ ତାଙ୍କର ସବୁ ବଡ଼ ସମର୍ଥକ ବୋଲି ସେ କହିଛନ୍ତି । ଏଭଳି ପିଲାଙ୍କୁ ପାଇ ନିଜକୁ ଭାଗ୍ୟବାନ ମନେ କରୁଥିବା ବେଳେ ଜୀବନ କେତେ ସୁନ୍ଦର ତାହା ଅନୁଭବ କରିପାରୁଛନ୍ତି ବୋଲି ମହିଳାଜଣଙ୍କ କହିଛନ୍ତି । ମାଙ୍କ ଜୀବନକୁ ସୁନ୍ଦର କରାଇବାକୁ ଯାଇ ସେ କରିଥିବା ତ୍ୟାଗ ପାଇଁ ଅବଦୁଲଙ୍କୁ ସୋସିଆଲ ମିଡିଆ ୟୁଜର ପ୍ରଶଂସାରେ ପୋତି ପକାଇଛନ୍ତି ।  ଜଣେ ୟୁଜର ଲେଖିଛନ୍ତି, ଏହା କରିବାକୁ ସାହସ ଦରକାର, କିନ୍ତୁ ତୁମେ (ଅବଦୁଲ) କରିପାରିଛ । ଅନ୍ୟ ଜଣେ ଲେଖିଛନ୍ତି, ‘ସତରେ ତୁମେ ଜଣେ ଜେଣ୍ଟଲ ମ୍ୟାନ୍‌ ।’ ଜଣେ ମା’ର ତୁମେ ଭଲ ପୁଅ।   ଯିଏ ନିଜ ମା’ଙ୍କ ଖୁସି ପାଇଁ ଏତେ ଅଧିକ ଚିନ୍ତା କରିପାରୁଛି ବୋଲି ଆଉ ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି ।