ପୁରୀ, ୨୯/୦୫ : ନିଶାସକ୍ତ ପୁଅର ନୃଶଂସ କାଣ୍ଡ। ଗାଁ ଦାଣ୍ଡରେ ମା'କୁ କୋଦାଳରେ ହାଣି ହତ୍ୟା କଲା ପୁଅ। ଗୁରୁବାର ସକାଳେ ପୁରୀ ପେଣ୍ଠକଟା ମେରାଇନ ଥାନା ଅଧୀନ ସମଙ୍ଗରା ଗ୍ରାମରେ ଘଟିଛି ଏଭଳି ଲୋମଟାଙ୍କୁରା ବିଭତ୍ସ ହତ୍ୟାକାଣ୍ଡ। ଅଭିଯୁକ୍ତ ପୁଅକୁ ପିଟିପିଟି ଲହୁଲୁହାଣ କଲେ ଗ୍ରାମବାସୀ। ଯୁବକକୁ ଉଦ୍ଧାର କରିବା ବେଳେ ୪ ପୁଲିସ ଆହତ।
ସୂଚନାନୁଯାୟୀ, ଗୁରୁବାର ସକାଳ ପ୍ରାୟ ୭ଟା ବେଳେ ସମଙ୍ଗରା ଗ୍ରାମର କନକ ପ୍ରଧାନ (୫୫ ବର୍ଷ) ଗୋରୁଙ୍କୁ ଖାଇବାକୁ ଦେଉଥିଲେ। ଏହି ସମୟରେ ନିଶା ଖାଇବାକୁ ପୁଅ ବିକ୍ରମ ପ୍ରଧାନ (୩୦ ବର୍ଷ) ମା'କୁ ଟଙ୍କା ମାଗିଥିଲା। ସବୁବେଳେ ନିଶାଗ୍ରସ୍ତ ଅବସ୍ଥାରେ ରହୁଥିବା କାରଣରୁ ପୁଅ ପାଇଁ ଚିନ୍ତିତ ଥିବା କନକ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇଯାଇଥିଲା ବିକ୍ରମ। ପାଖରେ ଥିବା ଏକ କୋଦାଳରେ ମା' କନକଙ୍କ ମୁଣ୍ଡକୁ ମାରିଥିଲା ଚୋଟ। ଏଥିରେ କନକଙ୍କ ମୁଣ୍ଡ ଦୁଇ ଫାଳ ହୋଇଯାଇଥିଲା। ସେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ। ପ୍ରବଳ ରକ୍ତସ୍ରାବ ହେବା ସହ ସେହିଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହାପରେ ଗାଁ ଲୋକେ ଘେରିଯାଇ ବିକ୍ରମକୁ କାବୁ କରିଥିଲେ। ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ତାକୁ ପିଟିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏସଆଇ ଚିତ୍ତରଞ୍ଜନ ମହାନ୍ତି, ଏଏସଆଇ ପି.ଏଲ୍.ଏନ୍ ଦୋରା, ହାବିଳଦାର ପ୍ରକାଶ କୁମାର ଆଚାର୍ଯ୍ୟ ଓ ଭ୍ୟାନ ଡ୍ରାଇଭର ଅଜିତ କୁମାର ସାହୁ ଗ୍ରାମବାସୀଙ୍କ କବଳରୁ ବିକ୍ରମକୁ ଉଦ୍ଧାର କରିବା ସମୟରେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏହି ଚାରିଜଣ ମଧ୍ୟ ଆହତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ବିକ୍ରମକୁ ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଆଇଆଇସିଙ୍କ ଚାର୍ଜରେ ଥିବା ଡିଏସପି ବବିତା ଦଳେଇ କହିଛନ୍ତି। ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ଶବ ଜବତ କରିଛି।
ପୂର୍ବରୁ ନିଶାଗ୍ରସ୍ତ ଅବସ୍ଥାରେ ମାରପିଟ କରିବା ଯୋଗୁଁ ବିକ୍ରମର ପତ୍ନୀ ତାଙ୍କର ୨ପୁଅ-ଝିଅଙ୍କୁ ନେଇ ବାପଘରକୁ ପଳାଇଥିଲେ। ବିକ୍ରମ ବାପା-ମାଆଙ୍କୁ ମାଡ଼ ମାରି ପୂର୍ବରୁ ଜେଲ ଯାଇଥିଲା ବୋଲି ପୁଲିସ କହିଛି। ଜାମିନରେ ଫେରିବା ପରେ ବି ତା' ଆଚରଣରେ ସୁଧାର ଆସି ନଥିଲା। ସୂଚନାଯୋଗ୍ୟ ଯେ, ଗତବର୍ଷ ଜମି ବିବାଦକୁ କେନ୍ଦ୍ର କରି ସମଙ୍ଗରା ଗ୍ରାମରେ ଡବଲ ମର୍ଡର ହୋଇଥିଲା। ଆଜି ଗାଁରେ ପୁଣି ଏକ ହତ୍ୟାକାଣ୍ଡ ଘଟିବାରୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।