ନୂଆଦିଲ୍ଲୀ: ଲଦାଖର ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ପୁଲିସ ଗିରଫ କରିଛି। ଲଦାଖରେ ଘଟିଥିବା ହିଂସା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶୁକ୍ରବାର ଅପରାହ୍ନ ୨:୩୦ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ତାଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ଲେହ ପୁଲିସ ୱାଙ୍ଗଚୁକଙ୍କୁ ଗିରଫ କରିଛି । ତାଙ୍କର ଗିରଫଦାରୀକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଜାରି ରହିଥିବା ପ୍ରତିବାଦକୁ ନେଇ ମଧ୍ୟ ଚିନ୍ତା ବୃଦ୍ଧି ପାଇଛି । ୱାଙ୍ଗଚୁକଙ୍କୁ ଜାତୀୟ ସୁରକ୍ଷା ଆଇନ (NSA) ଅନୁଯାୟୀ ଗିରଫ କରାଯାଇଛି ।

ଏଫସିଆରଏ ୨୦୧୦ ଅନୁଯାୟୀ ବିଦେଶୀ ଅନୁଦାନ ଗ୍ରହଣ କରିବା ପାଇଁ ସୋନମ ୱାଙ୍ଗଚୁକଙ୍କ ଅଣଲାଭକାରୀ ସଂଗଠନ ଷ୍ଟୁଡେଣ୍ଟସ୍ ଏଜୁକେସନାଲ୍ ଆଣ୍ଡ୍ କଲ୍ଚରାଲ୍ ମୁଭମେଣ୍ଟ୍ ଅଫ୍ ଲଦାଖ (SECMOL) ର ପଞ୍ଜିକରଣ ଗୁରୁବାର ଗୃହ ମନ୍ତ୍ରଣାଳୟ ଦ୍ୱାରା ବାତିଲ କରାଯାଇଛି । ଏହାକୁ ନେଇ ୱାଙ୍ଗଚୁକ୍‌ କହିଥିଲେ, ଲଦାଖରେ ହୋଇଥିବା ହିଂସାତ୍ମକ ପ୍ରତିବାଦ ପାଇଁ ଗୃହ ମନ୍ତ୍ରଣାଳୟର ତାଙ୍କୁ ଜାଣି ଶୁଣି ଫସାଉଛି । ଏଭଳି କରି କେନ୍ଦ୍ର ସରକାର ହିମାଳୟ ଅଞ୍ଚଳର ମୂଳ ସମସ୍ୟା  ଏଡାଇବା ପାଇଁ ପ୍ରୟାସ କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ପ୍ରତିକ୍ରିୟା ଦେଇ ୱାଙ୍ଗଚୁକ୍‌ କହିଥିଲେ, ‘ସେମାନେ କାହାକୁ ବଲିକା ବକ୍‌ରା କରିବାରେ ଚତୁର ହୋଇପାରନ୍ତି, କିନ୍ତୁ ସେମାନେ ବୁଦ୍ଧିମାନ ନୁହଁନ୍ତି । ଏହି ସମୟରେ ଆମ ସମସ୍ତଙ୍କୁ ଚତୁରତା ଅପେକ୍ଷା ଜ୍ଞାନର ଆବଶ୍ୟକତା ଅଛି । କାରଣ ଯୁବପିଢ଼ି ପୂର୍ବରୁ ହତାଶ ହୋଇସାରିଛନ୍ତି। ସେମାନେ ଏକ ମାମଲା ତିଆରି କରି  ମୋତେ  ସୁରକ୍ଷା ଆଇନ ଅନୁଯାୟୀ ଗିରଫ କରିପାରିବେ ଏବଂ ମୋତେ ଦୁଇ ବର୍ଷ ପାଇଁ ଜେଲରେ ରଖିପାରିବେ। ମୁଁ ଏଥିପାଇଁ ପ୍ରସ୍ତୁତ, କିନ୍ତୁ ସୋନମ ୱାଙ୍ଗଚୁକ୍‌ଙ୍କୁ ମୁକ୍ତ ରଖିବା ପରିବର୍ତ୍ତେ ଜେଲରେ ରଖିବା ସମସ୍ୟାକୁ ଆହୁରି ବୃଦ୍ଧି କରିପାରେ।’ ପ୍ରତିକ୍ରିୟା ଦେବାର ଗୋଟିଏ ଦିନ ତାଙ୍କୁ ଗିରଫ କରାଯାଇଛି ।