ନୂଆଦିଲ୍ଲୀ,୦୫/୦୯:  ଭାରତର ନାଗରିକ ହେବାର ୩  ବର୍ଷ ପୂର୍ବରୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ନାମ ଭୋଟର ତାଲିକାରେ ସାମିଲ ହୋଇଥିଲା ବୋଲି ଅଭିଯୋଗ ହୋଇଛି ।  ତେଣୁ ସୋନିଆଙ୍କ ବିରୋଧରେ ଏଫଆଇଆର ରୁଜୁ ସହ ଘଟଣାର  ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବିରେ ଦିଲ୍ଲୀ ଏକ କୋର୍ଟରେ ପିଟିସନ  ଦାଖଲ କରାଯାଇଛି । ରାଉଜ ଆଭେନ୍ୟୁ କୋର୍ଟର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଏହି ମାମଲାକୁ ଗ୍ରହଣ କରିବା ସହ  ଆସନ୍ତା ୧୦ ତାରିଖରେ ଶୁଣାଣି କରିବାକୁ କହିଛନ୍ତି । କିନ୍ତୁ ସୋନିଆ  କିମ୍ବା ଦିଲ୍ଲୀ ପୁଲିସକୁ କୌଣସି ନୋଟିସ୍‌ ଜାରି କରାଯାଇନାହିଁ ।

ବିକାଶ ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ଏହି ପିଟିସନ ଫାଇଲ  କରିଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି ଯେ ସୋନିଆ ୧୯୮୩ରେ  ଭାରତର ନାଗରିକ ହୋଇଥିଲେ । କିନ୍ତୁ ଏହାର ୩ ବର୍ଷ ପୂର୍ବରୁ  ଅର୍ଥାତ ୧୯୮୦ରେ ତାଙ୍କ ନାମ ନୂଆଦିଲ୍ଲୀ ନିର୍ବାଚନମଣ୍ଡଳୀର  ଭୋଟର ତାଲିକାରେ ସାମିଲ କରାଯାଇଥିଲା । ସେ ଏକଥା ମଧ୍ୟ  କହିଛନ୍ତି ଯେ ଭୋଟର ତାଲିକାରେ ସୋନିଆଙ୍କ ନାମ ୧୯୮୦ରେ  ସାମିଲ ହୋଇଥିଲା ଏବଂ ୧୯୮୨ରେ କାଟି ଦିଆଯାଇଥିଲା । ପରେ  ୧୯୮୩ରେ ପୁଣି ନାମ ଯୋଡାଯାଇଥିଲା । ତେଣୁ ନକଲି ଦସ୍ତାବିଜ  ଜରିଆରେ ୧୯୮୦ରେ ସୋନିଆଙ୍କ ନାମ ଭୋଟର ଲିଷ୍ଟରେ  ସାମିଲ କରାଯାଇଥିଲା । ଜାଣିଶୁଣି ଏସବୁ କରାଯାଇଛି । ତେଣୁ  ସୋନିଆଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ  ଦେବାକୁ ସେ ପିଟିସନରେ ଅନୁରୋଧ କରିଛନ୍ତି।