ଭୁବନେଶ୍ୱର, ୧୩/୦୫ : ବିରାଟ କୋଠା, ବଡ଼ ନାଁ... । ଅଫିସରଙ୍କୁ ଖୁନ୍ଦି ଦିଆଯାଇଛି ଗାଡ଼ି ମଟର । ସବୁ ପ୍ରକାର ଆଧୁନିକ ଭିତ୍ତିଭୂମି ଯୋଗାଇ ଦେଇଛନ୍ତି ସରକାର। ଜଣେ ଅତିରିକ୍ତି ଡିଜି ପାହ୍ୟାର ଅଧିକାରୀଙ୍କ ହାତରେ ଦେଇଛନ୍ତି ଲଗାମ। ଡିସିପି/ ଏସ୍‌ପି ରାଙ୍କର ୭ ଜଣ ଅଧିକାରୀ ବି ଅଛନ୍ତି । ତା ତଳକୁ ତଳ ଅନେକ ବରିଷ୍ଠ ଅଧିକାରୀ ଥଇଥାନ ବି ହୋଇଛନ୍ତି । ହେଲେ କନେଷ୍ଟବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟାକାଣ୍ଡ ପରେ କମିଶନରେଟ୍‌ ପୁଲିସ୍‌ ଭିତରଟା କେତେ ଫମ୍ପା ତାହା ପଦାକୁ ଆସିଛି । 

କମିଶନରେଟ୍‌ ପୁଲିସ୍‌ ୨୦୦୮ରେ ଆରମ୍ଭ ହବାପରେ ପର୍ଯ୍ୟାୟକ୍ରମେ ଏହାକୁ ଅନ୍ୟ ରାଜ୍ୟଠୁ ଅଧିକ ଉନ୍ନତ ଓ ଦକ୍ଷ କରିବା ଲାଗି ଭିତ୍ତିଭୂମି ସାଙ୍ଗକୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଥିଲା । ପ୍ରାକ୍ତନ ପୁଲିସ କମିଶନରମାନେ ସେତେବେଳେ ଦ୍ୱୈତନଗରୀ କମିଶନରେଟ ପୁଲିସ ବହୁ ଦକ୍ଷ ବୋଲି କହିବା ସହିତ ସେମାନଙ୍କର ସ୍ଲୋଗାନ ଥିଲା ‘ଉଇ କେୟାର, ଉଇ ଡେୟାର’ । ହେଲେ ବାଲିଅନ୍ତାରେ ଯେତେବେଳେ କନଷ୍ଟେବଳଙ୍କୁ ଲୋକେ ପୁଲିସ୍‌ ଉପସ୍ଥିତରେ ପିଟୁଥିଲେ ସେତେବେଳେ ‘ଉଇ କେୟାର, ଉଇ ଡେୟାର’ ସ୍ଲୋଗାନ ଧୂଆଁବାଣ ବୋଲି ମନେ ହେଉଥିଲ । ସେତେବେଳେ ନାଁ ସୌମ୍ୟଙ୍କର ନେଇ ପାଇଲେ କେୟାର, ଲୋକଙ୍କ ପାଖରେ ନାଁ ଦେଖାଇ ପାରିଲେ ଡେୟାର । କମିଶନରେଟ୍‌ ପୁଲିସ୍‌ର ବର୍ତ୍ତମାନର ନେତୃତ୍ୱ ଏଭଳି ଦୂରଦୂରାନ୍ତ ଜିଲ୍ଲା ବୌଦ୍ଧ ଓ କନ୍ଧମାଳ ସହ ସମାନ । ଗତ କିଛି ବର୍ଷ ହେବ କମିଶନରେଟ୍‌ ପୁଲିସ୍‌ର ଚମକ ହଜିବାକୁ ବସିଲାଣି। କମିଶନରେଟ୍‌ ପୁଲିସକୁ ଆଉ ଦକ୍ଷ ଅଧିକାରୀ ଆସୁ ନାହାନ୍ତି ବୋଲି କିଛି ଆଇନଜୀବୀ ମତ ଦେଉଛନ୍ତି । ଏଭଳି ଏକାଧିକ ଘଟଣା ପାଇଁ ପୂରା ବ୍ୟବସ୍ଥା ବଦନାମ ହୋଇଗଲାଣି । 

ନିକଟରେ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ବେଳେ ଅଧିକାରୀମାନଙ୍କୁ ଗାଦି ଛାଡ଼ ବୋଲି ନାରା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନିକଟରେ ଡିଜିପିଙ୍କ ଉପରେ ବର୍ଷିଲେ । ଭଲ ଓ ପୁରୁଣା ଅଧିକାରୀଙ୍କୁ ଆଣି ବ୍ୟବସ୍ଥା ଠିକ୍‌ କରିବାକୁ କହିଥିଲେ । କମିଶନରେଟ୍‌ ପୁଲିସ ଆକ୍ସନ ଛାଡ଼ି କାଗଜପତ୍ର କାମରେ ପୂରା ମାତିଛି । ଫଳରେ ଅପରାଧୀ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ଏକଦମ ହୁଗୁଳା ହୋଇଯାଇଛି ।

ଏହି ଖବରଟିକୁ ପଢନ୍ତୁବାଲିଅନ୍ତା ସୌମ୍ୟ ହତ୍ୟା ମାମଲା : ଅସଜଡ଼ା ଭିତ୍ତିଭୂମି ପାଇଁ ଝୁଣ୍ଟୁଛି ତଦନ୍ତ, ୩ ଦିନରେ ପୁଲିସର ମାଳ ମାଳ ତ୍ରୁଟି ଧରିଲା କ୍ରାଇମ୍‌ବ୍ରାଞ୍ଚ