ଭୁବନେଶ୍ୱର,୦୨/୦୬: ବହୁଚର୍ଚ୍ଚିତ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆରସି) ର ତଦନ୍ତକାରୀ ଟିମ୍ ଜୋର୍ଦାର୍ ତଦନ୍ତ ଆରମ୍ଭ କରିଛି । ଓଡିଶା କ୍ରାଇମ୍ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କଠାରୁ ମାମଲା ସମ୍ପର୍କୀତ ସମସ୍ତ ତଥ୍ୟ ନେଇଛନ୍ତି । କ୍ରାଇମ୍ବ୍ରାଞ୍ଚ ତଦନ୍ତ କେତେବାଟ ଯାଇଛି? କେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି? କେତେଜଣ ଗିରଫ ହେଲେଣି? କେତେ ଫେରାର୍ ଅଛନ୍ତି? ସେସବୁର ବିସ୍ତୃତ ତଥ୍ୟ ସଂଗ୍ରହ କରିଛି ଟିମ୍ । ଆଜି ବାଲିଅନ୍ତାର ଅପରାଧସ୍ଥଳ ସହ ସୌମ୍ୟଙ୍କ ଗାଁକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରିପାରେ ଟିମ୍ ।
ସୋମବାର ମଧ୍ୟାହ୍ନରେ ଏନ୍ଏଚ୍ଆରସି ସଦସ୍ୟ ରାଜେଦ୍ର ସିଂ ଓ ଅବିନାଶ କୁମାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ରାଜ୍ୟ ଅତିଥି ଭବନକୁ ଯାଇଥିଲେ । ସେଠାରେ କ୍ୟାମ୍ପ କୋର୍ଟ ଲଗାଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତତ୍କାଳୀନ ବାଲିଅନ୍ତା ଥାନା ଆଇଆଇସି ଅନିଲ୍ ପରିଡ଼ାଙ୍କୁ ଜେରା କରିଛି ଏନ୍ଏଚ୍ଆର୍ସି ଟିମ୍ । ମେ ୭’ ତାରିଖରେ ବର୍ବରକାଣ୍ଡର ପୁରା ଘଟଣାବଳୀ ପଚାରି ବୁଝିଛନ୍ତି । ଭିଡ଼ ହିଂସା କେମିତି ଘଟିଲା? ପୁଲିସ କେତେବେଳେ ପହଞ୍ଚିଥିଲା? ଭିଡ଼ ହିଂସାକୁ ରୋକିବାରେ ପୁଲିସ କାହିଁକି ବିଫଳ ହେଲା? ପୁଲିସ ଉପସ୍ଥିତିରେ ଲୋକମାନେ ସୌମ୍ୟଙ୍କୁ କାହିଁକି ପିଟିଲେ? ୨ ତଦନ୍ତକାରୀ ଅଧିକାରୀ ଅନିଲଙ୍କଠାରୁ ଏସବୁ ପ୍ରଶ୍ନର ଉତ୍ତର ଖୋଜିଥିଲେ ।
ଅପରାହ୍ଣରେ କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟ ଓ ଡିଏସପି ରତ୍ନପ୍ରଭା ଶତପଥୀ ଅତିଥି ଭବନରେ ହାଜର ହୋଇ ତଥ୍ୟ ରଖିଛନ୍ତି । ଏଯାବତ ତଦନ୍ତରେ କ’ଣ ଦିଗ ସବୁ ସ୍ପଷ୍ଟ ହୋଇଛି, ତା’ର ବିସ୍ତୁତ ବିବରଣୀ ଏନ୍ଏଚ୍ଆରସିଙ୍କୁ ଦେଇଥିଲେ । ମେଡିକାଲ ରିପୋର୍ଟ ଓ ଇନଭେଷ୍ଟିଗେସନ ରିପୋର୍ଟ ସହ ପ୍ରତ୍ୟକ୍ଷଦର୍ଶୀ ପ୍ରମାଣ ଓ ତଥ୍ୟ ସବୁ କିଛି ଫାଇଲ ସହ ଏନ୍ଏଚଆରସି ନିକଟରେ ତଥ୍ୟ ରଖିଛନ୍ତି ।
ଅଧିକ ପଢ଼ନ୍ତୁ :- ବହୁଚର୍ଚ୍ଚିତ କନଷ୍ଟେବଳ ସୌମ୍ୟ ହତ୍ୟା ମାମଲା : ଭୁବନେଶ୍ବରେ ପହଞ୍ଚିଲେ ଦୁଇ ଜଣିଆ NHRC ଟିମ୍, ପୁଲିସ କମିଶନର, ଡିସିପି ଜେରା ହେବେ
ରେଲୱେ ଏସପି ଭବାନୀ ଶଙ୍କର ଉଦ୍ଗାତା ଓ ଜିଆରପି ରିଜର୍ଭ ଇନ୍ସପେକ୍ଟର ମଧ୍ୟ ଅତିଥି ଭବନରେ ହାଜର ହୋଇଛନ୍ତି । ସୌମ୍ୟଙ୍କ ଚାକିରି କାଳର ସବିଶେଷ ତଥ୍ୟ ସହ ତାଙ୍କ ଅନୁପସ୍ଥିତିର କାରଣ ମଧ୍ୟ ବଖାଣିଛନ୍ତି । ସୌମ୍ୟଙ୍କୁ କେବେଠାରୁ କାହିଁକି ସସପେଣ୍ଡ କରାଯାଇଥିଲା? ଟିମ୍ ତାହା ତନାଘନା କରୁଛି । ଆଗକୁ ପୁଲିସ କମିଶନର, ଭୁବନେଶ୍ୱର ୟୁପିଡି ଡିସିପି, ଅପରାଧସ୍ଥଳରେ ଉପସ୍ଥିତ ଥିବା ପୁଲିସ ଅଧିକାରୀମାନେ ଜେରା ହେବେ ।