ଭୁବନେଶ୍ୱର,୦୧/୦୬: ବହୁଚର୍ଚ୍ଚିତ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲା। ସରଜମିନ୍ ତଦନ୍ତ କରିବ ଜାତୀୟ ମାନବ ଅଧିକାର ଆୟୋଗ (ଏନ୍ଏଚ୍ଆର୍ସି) ଟିମ୍ । ଆୟୋଗଙ୍କ ୨ଜଣ ଅଧିକାରୀ ତଦନ୍ତ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ରାଜେନ୍ଦ୍ର ସିଂ ଓ ଅବିନାଶ କୁମାର ଆଜିଠୁ ୫ ତାରିଖ ଯାଏ ପୁରା ଘଟଣାର ତଦନ୍ତ କରିବେ ।

ଏନ୍ଏଚ୍ଆରସି ଟିମ୍ ପ୍ରଥମେ ଅପରାଧସ୍ଥଳ ପରିଦର୍ଶନ କରିବ । ପରେ ପୁଲିସ କମିଶନର, ଭୁବନେଶ୍ୱର ୟୁପିଡି ଡିସିପି, ସରକାରୀ ରେଳବାଇ ପୁଲିସ (ଜିଆର୍ପି)ର ଏସ୍ପି, ବାଲିଅନ୍ତା ଥାନା ଅଧିକାରୀ, ମାମଲାର ତଦନ୍ତକାରୀ ଅଧିକାରୀଙ୍କୁ ଜେରା କରାଯିବ । ଜଣେ ବରିଷ୍ଠ ଆଇପିଏସ୍‌ଙ୍କ  ବାସଭବନରେ ସୌମ୍ୟ ଗୁଲାମଗିରି କରୁଥିବାର ଅଭିଯୋଗ ଉଠିଥିଲା । ଏନ୍ଏଚ୍ଆରସି ଅଧିକାରୀମାନେ ସମ୍ପୃକ୍ତ ଆଇପିଏସ୍ଙ୍କୁ ମଧ୍ୟ ଜେରା କରିବେ ବୋଲି ଜଣାପଡ଼ିଛି ।

ସେହିପରି ଘଟଣାଦିନ ଆଇନଶୃଙ୍ଖଳା ପରିଚାଳନା ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ଓ ପୁଲିସ ଫୋର୍ସ ମୁତୟନ କରିଥିବା ପୁଲିସ ଅଧିକାରୀଙ୍କୁ ମଧ୍ୟ ଜେରା କରାଯିବ । କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରମାନେ ମଧ୍ୟ ଟିମ୍ ସାମ୍ନାରେ ସୌମ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ମୃତ୍ୟୁର କାରଣ ବଖାଣିବେ । ମାନବ ଅଧିକାର କର୍ମୀ ତଥା ପିଟିସନର ଭଜମନ ବିଶ୍ୱାଳ, ସୌମ୍ୟଙ୍କ ପରିବାରବର୍ଗ, ଅସଦାଚରଣର ଅଭିଯୋଗ ଆଣିଥିବା ୨ଜଣ ଯୁବତୀ, ସୌମ୍ୟଙ୍କ ସାଙ୍ଗ ଓମ୍ପ୍ରକାଶ ରାଉତଙ୍କଠାରୁ ମଧ୍ୟ ସତ ଜାଣିବାକୁ ଚେଷ୍ଟା କରିବ ଟିମ୍ । ଆବଶ୍ୟକ ପଡି଼ଲେ, ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଜେରା ପାଇଁ ଡକାଯିବ ।

ଅଧିକ ପଢ଼ନ୍ତୁ :- ଥାନାରେ ଥାର୍ଡ ଡିଗ୍ରୀ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ: ଯାଞ୍ଚ ହେବ CCTV, ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ

୨ଜଣିଆ ଟିମ୍ ୫ ଦିନ ଧରି ସରକାରୀ ଅତିଥି ଭବନ କିମ୍ବା ସର୍କିଟ୍ ହାଉସ୍‌ରେ ସମସ୍ତଙ୍କୁ ଜେରା କରିବେ । ମାମଲା ସମ୍ପର୍କୀତ ସମସ୍ତ ରିପୋର୍ଟ ଯଥାଶୀଘ୍ର ଟିମ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।