ଭୁବନେଶ୍ୱର, ୪/୭ : ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଶୁକ୍ରବାର ସୌମ୍ୟରଞ୍ଜନ ସ୍ୱାଇଁଙ୍କ ସାଙ୍ଗ ଓମ୍‌ ପ୍ରକାଶଙ୍କର ପଲିଗ୍ରାଫ୍‌ ଟେଷ୍ଟ (ମିଛ ଧରା ପରୀକ୍ଷା) କରିଛି । ଘଟଣା ଦିନ କ’ଣ ଘଟିଥିଲା ସେ ବିଷୟରେ ପ୍ରକୃତ ସତ ଜାଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଏହି ଟେଷ୍ଟ କରାଇଛି । ସେଦିନ ସୌମ୍ୟଙ୍କ ସହ ଯାହା ଘଟିଥିଲା ସେ ବିଷୟରେ ଅଧିକ ତଥ୍ୟ ଓମ୍‌ ପାଖରେ ଥିଲା । କାରଣ ଘଟଣାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେ କେବଳ ସୌମ୍ୟଙ୍କ ପାଖରେ ଥିଲା । 

ପୁଲିସ୍‌ ଓ କ୍ରାଇମ୍‌ବ୍ରାଞ୍ଚକୁ ଓମ୍‌ ଅନେକ ତଥ୍ୟ ଦେଇଛନ୍ତି । ସେ କ୍ରାଇମ୍‌ବ୍ରାଞ୍ଚକୁ କହିଥିଲେ, ସୌମ୍ୟ ଓ ସେ ଗୋଟିଏ ବାଇକ୍‌ରେ ଓଲଟପୁରସ୍ଥିତ ମଉଜପୁରରୁ ଭୁବନେଶ୍ୱର ସତ୍ୟବିହାର ଜିମ୍‌କୁ ଆସୁଥିଲେ । ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ପାର ହେବା ପରେ ମନିପର୍ସ ଘରେ ଛାଡ଼ିଆସିଛି ବୋଲି ସୌମ୍ୟ କହିଥିଲେ । ଓମ୍‌ ଗାଡ଼ି ବୁଲାଇ ଘର ମୁହାଁ ହୋଇଥିଲା । ଏହି ସମୟରେ ହଠାତ୍‌ ସୌମ୍ୟଙ୍କୁ ବାତ ମାରିଥିଲା । ସେ ବାତ ମାରିବା ଭଳି ହେବା ସହ ଅସ୍ୱାଭାବିକ ଆଚରଣ ଦେଖାଇଲେ । ଓମ୍‌ଙ୍କ ବେକକୁ ସୌମ୍ୟ ଜୋର୍‌ରେ ଧରି ପକାଇଥିଲେ । ଓମ୍‌ ବାଇକ୍‌ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଏହି ସମୟରେ ସ୍କୁଟିରେ ଆସୁଥିବା ଦୁଇ ଯୁବତୀଙ୍କ ସହ ତାଙ୍କ ବାଇକ୍‌ ଧକ୍କା ହୋଇଥିଲା । ସମସ୍ତେ ତଳେ ପଡ଼ି ଯାଇଥିଲେ । ଦୁର୍ଘଟଣାକୁ ନେଇ ସାମନ୍ୟ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ସୌମ୍ୟ ଆହୁରି ବିଚଳିତ ହୋଇ ଏକଦମ୍‌ ଅସ୍ୱାଭାବିକ ଆଚରଣ ଦେଖାଇବାକୁ ଲାଗିଲେ । ଜଣେ ଯୁବତୀଙ୍କ ସହ ଓମ୍‌ଙ୍କୁ ବି ହଠାତ୍‌ ମାଡ଼ ମାରିଥିଲେ ସୌମ୍ୟ । ତା’ପରେ ପାଗଳଙ୍କ ଭଳି ପାଖ ବିଲ ଆଡ଼କୁ ଧାଇଁବା ସହ ଚିତ୍କାର କରୁଥିଲେ । ସେହି ସମୟରେ ବାଟରେ ଯାଉଥିବା ଲୋକେ ରୁଣ୍ଡ ହୋଇଥିଲେ । ଯୁବତୀଙ୍କ କଥା ଶୁଣି ସେମାନେ ସୌମ୍ୟଙ୍କୁ ଧରିବାକୁ ଗୋଡ଼ାଇଲେ । 

ଚାହୁଁ ଚାହୁଁ ଡକାଡ଼କି ହୋଇ ଲୋକମାନେ ମାଡି ଆସିଲେ । ସୌମ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ନିସ୍ତୁକ ପିଟି ପିଟି ମାରିଦେଲେ। ହେଲେ ସୌମ୍ୟଙ୍କ ପରିବାର ଲୋକ ଓମ୍‌ଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ । ତେବେ ଓମ୍‌ଙ୍କ କଥାରେ କେତେ ସତ ରହିଛି ତାହା ଜାଣିବା ପାଇଁ ଗତ ସପ୍ତାହରେ କ୍ରାଇମ୍‌ବ୍ରାଞ୍ଚ ପଲିଗ୍ରାଫ୍‌ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା । କୋର୍ଟଙ୍କ ଅନୁମତି ପରେ ଓମ୍‌ ଙ୍କର ରସୁଲଗଡ଼ସ୍ଥିତ ଏସ୍‌ଏଫ୍‌ଏସ୍‌ଏଲ୍‌ରେ ପଲିଗ୍ରାଫ୍‌ ଟେଷ୍ଟ କରାଯାଇଥିଲା । ପୁଲିସ୍‌ ପକ୍ଷରୁ ୩୦ରୁ ଅଧିକ ପ୍ରଶ୍ନ ତିଆରି କରାଯାଇଥିଲା । ଦୁଇ ଜଣ ଡାକ୍ତର ଓ ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ସେଠାରେ ଉପସ୍ଥିତ ଥିଲେ । ପୂର୍ବରୁ ପୁଲିସ୍‌ ଦେଇଥିବା ତଥ୍ୟ ଓ ପଲିଗ୍ରାଫ୍‌ ଟେଷ୍ଟ ତଥ୍ୟ କେତେ ସତ ତାକୁ ତର୍ଜମା କରାଯିବ । ଯଦି କିଛି ଫରକ ଥିବ ତା’ହେଲେ ଓମ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ କହିଛନ୍ତି । ସେପଟେ ସୌମ୍ୟଙ୍କ ପରିବାର ଲୋକ କହିଛନ୍ତି, ଦୁଇ ଜଣ ଯୁବତୀଙ୍କ ମଧ୍ୟ ପଲିଗ୍ରାଫ୍‌ ଟେଷ୍ଟ୍‌ କରାଯାଉ । ସେମାନେ ଆମ ପୁଅ ନାଁରେ ଆଣିଥିବା ମିଥ୍ୟା ଅଭିଯୋଗ ପ୍ରମାଣ ହୋଇଯିବ।

ଆହୁରି ପଢନ୍ତୁ- ଓଡ଼ିଶା ଚାଷୀଙ୍କ ରୋଜଗାର ବଢ଼ାଇବ 'ପାଲୁର ପଣସ', ବର୍ଷକୁ ଦୁଇ ଥର ଫଳ, ଥରକେ ୮୦ରୁ ୧୦୦ଟି ଫଳିବ

ଦେଖନ୍ତୁ ମହାକାଳଙ୍କ ଦିବ୍ୟ ଶୃଙ୍ଗାର ବେଶ ଓ ଭସ୍ମ ଆଳତି ...