କଟକ,୨୭/୦୮ : ଗଣେଶ ପୂଜାରୁ ପାର୍ବଣ ଋତୁର ଆରମ୍ଭ ହେଉଛି । ପଛକୁ ପଛ ଅନେକ ପୂଜା, ପର୍ବପର୍ବାଣୀ ଅଛି । ଏସବୁ ପୂଜା ମହୋତ୍ସବ, ଭସାଣି ଶୋଭାଯାତ୍ରାରେ ଶବ୍ଦ କଟକଣା କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି । କିନ୍ତୁ ଶବ୍ଦ କଟକଣା କିଭଳି ଲାଗୁ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ବ୍ୟାଣ୍ଡ୍‌ ପାର୍ଟି ଓ ଡିଜେ ସାଉଣ୍ଡ୍‌ ଅପରେଟର୍‌ଙ୍କ ପାଖରେ ସାଉଣ୍ଡ୍‌ ଲିମିଟିର୍‌ ମେସିନ୍‌ ଅଛି କି ନାହିଁ ତାହା ଯାଞ୍ଚ୍‌ ହେଉନାହିଁ । ସମସ୍ତ ସଂସ୍ଥା ସାଉଣ୍ଡ୍‌ ଲିମିଟର୍‌ ମେସିନ୍‌ ଲଗାଇବେ ବୋଲି ୨୦୧୧ ମସିହାରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେତେବେଳେ କିଛି ସଂସ୍ଥା ଏହି ମେସିନ କିଣିଥିଲେ । ୨୦୧୨ ମସିହା ପରଠାରୁ ଅର୍ଥାତ୍‌ ଦୀର୍ଘ ୧୩ ବର୍ଷ ହେବ ଏନେଇ ପୁଲିସ ପକ୍ଷରୁ ଖୋଳତାଡ଼ ହୋଇନାହିଁ । ତେଣୁ ବ୍ୟାଣ୍ଡ୍‌ ଓ ଡିଜେ ସଂସ୍ଥା ପାଖରେ ସାଉଣ୍ଡ ଲିମିଟର୍‌ ମେସିନ୍‌ ଅଛି କା, ସେମାନେ ତାହା ବ୍ୟବହାର କରୁଛନ୍ତି କି ନାହିଁ ପୁଲିସ ପାଖରେ ସେ ନେଇ କୌଣସି ସୂଚନା ନାହିଁ । 

ଭସାଣି, ବିବାହ ଶୋଭାଯାତ୍ରାରେ ଶବ୍ଦ ପ୍ରଦୂଷଣ ନେଇ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି ହେବାରୁ ୨୦୧୧ ମସିହାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାଉଣ୍ଡ୍‌ ଲିମିଟର ମେସିନ୍‌ ଲଗାଇବା ବାଧ୍ୟତାମୂଳକ । ମେସିନ୍‌ର ସିରିଏଲ୍‌ ନମ୍ବର ସାଉଣ୍ଡ୍‌ ସଂସ୍ଥାର ବୁକିଂ ରସିଦ୍‌ରେ ଉଲ୍ଳେଖ ରହିବ । ସର୍ବାଧିକ ୬୫ ଡେସିବଲ୍‌ରେ ସାଉଣ୍ଡ୍‌ ବାଜିପାରିବ । ପୁଲିସ ଶୋଭାଯାତ୍ରା ଲାଇସେନ୍ସ ଦେବା ବେଳେ ଏହି ନିୟମ କଡ଼ାକଡ଼ି କଲା । ୨୦୧୨ ବିବାହ ଋତୁରେ ପୁଲିସ ସାଉଣ୍ଡ ଲିମିଟର୍‌ ଯାଞ୍ଚ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା । ମାତ୍ର ଏହି ଘଟଣା ପରଠୁ ପୁଲିସ କିନ୍ତୁ ସାଇଣ୍ଡ୍‌ ଲିମିଟର ମେସିନ୍‌ର ବାସ୍ତବ ସ୍ଥିତି ଯାଞ୍ଚ କରିନି । ସେହି ପୁରୁଣା ୬୦/୬୫ଟି ସଂସ୍ଥା ଆଣିଥିବା ଲିମିଟର ମେସିନ୍‌ର ସିରିଏଲ୍‌ ନମ୍ବର ବହୁ ବ୍ୟାଣ୍ଡ୍‌ ଓ ଡିଜେ ସଂସ୍ଥାର ରସିଦ୍‌ ବହିରେ ଛପା ହୋଇଛି । ଏପରିକି ଗୋଟିଏ ସଂସ୍ଥା ଗୋଟିଏ ମେସିନ୍‌ ଆଣି ତାର ୩ରୁ ୪ଟି ୟୁନିଟ୍‌କୁ ସେହିଥିରେ ଚଳାଉଛନ୍ତି । ପୁଲିସ୍‌ କିନ୍ତୁ ଏହାକୁ ଯାଞ୍ଚ କରୁନି । ରସିଦ୍‌ରେ ସିରିଏଲ୍‌ ନମ୍ବର ଦେଖି ଲାଇସେନ୍ସ ଦେଇଦେଉଛି । 

ଅନ୍ୟପକ୍ଷରେ କଟକ ସହର ବାହାର ଅର୍ଥାତ୍‌ ଅନ୍ୟ ଜିଲ୍ଲାରୁ ଆସୁଥିବା ସଂସ୍ଥା ପାଖରେ ବିଲ୍‌କୁଲ୍‌ ଲିମିଟର ମେସିନ୍‌ ନାହିଁ । କଟକରେ ଏଭଳି ଯାଞ୍ଚ ହେଉଥିବା ଜାଣି ମନଇଚ୍ଛା ଏକ ସିରିଏଲ୍‌ ନମ୍ବର ରସିଦ୍‌ରେ ଛାପିଦେଇ ଲାଇସେନ୍ସ ନେଉଛନ୍ତି । ଗଲା ୧୩ ବର୍ଷ ଭିତରେ ୫ଗୁଣା ବ୍ୟାଣ୍ଡ୍‌ ଓ ଡିଜେ ସାଉଣ୍ଡ୍‌ ସଂସ୍ଥା ବଢ଼ିଛି । ହେଲେ ସେମାନେ ନୂଆ ସାଉଣ୍ଡ୍‌ ଲିମିଟର୍‌ ମେସିନ୍‌ କିଣିଛନ୍ତି କି ନାହିଁ ତାହା ପୁଲିସ ଦେଖୁନି । କେବଳ ସେତିକି ନୁହେଁ, ଶୋଭାଯାତ୍ରାରେ ବାଜୁଥିବା ସାଉଣ୍ଡ୍‌ର ମାତ୍ରା କେତେ ଅଛି ତାହା ଜାଣିବା ପାଇଁ ପୁଲିସ ପାଖରେ ବି ମେସିନ୍‌ ନାହିଁ । ଯେଉଁ ଗୋଟିଏ କି ଦୁଇଟି ମେସିନ୍‌ ଅଛି ତାହା କାମ କରୁଛି କି ନାହିଁ ତାହା ଅସ୍ପଷ୍ଟ । ଗଣେଶ ପୂଜା ବେଳେ ଗୋଟିଏ ଦିନରେ ୩ଶହରୁ ଅଧିକ କମିଟି ମେଢ଼ ବିସର୍ଜନ କରିବେ । ତେଣୁ ଏଭଳି ସ୍ଥିତିରେ ସାଉଣ୍ଡ୍‌ ଉପରେ କଟକଣା କିଭଳି ରହିବ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।