ବୁର୍ଲା, ୨୫/୧୦ : ମା’ର ରୋଗ ଯନ୍ତ୍ରଣା ସହି ନପାରି ବୁର୍ଲା ପାୱାର କେନାଲକୁ ଡେଇଁ ପଡ଼ିଥିଲେ ଯୁବକ। ଚିପିଲିମା ପାୱର ହାଉସ୍ ନିକଟସ୍ଥ କେନାଲରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ବୁର୍ଲା ଭିମସାରରୁ ନିଖୋଜ ହୋଇଯାଇଥିବା ୨୨ ବର୍ଷୀୟ ସୌରଭ ସମ୍ବିତ ତ୍ରିପାଠୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଏପଟେ ମା କର୍କଟରେ ପୀଡ଼ିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି।
ସୂଚନାନୁଯାୟୀ, ବଲାଙ୍ଗିର ଜିଲ୍ଲା ମହାଲକ୍ଷ୍ମୀନଗର ପଡ଼ାର ସୌରଭ ସମ୍ବିତ ତ୍ରିପାଠୀ କର୍କଟ ଆକ୍ରାନ୍ତ ମା’ଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରିଥିଲେ। ରୋଗ ବଢ଼ିଯାଇଥିବା ବେଳେ ମା’ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସୌରଭ ହସ୍ପିଟାଲରେ ରହି ପୁଅ ମା'ର ସେବା କରୁଥିଲେ । ମାତ୍ର ଦିନକୁ ଦିନ ମା'ଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଲା । ଯନ୍ତ୍ରଣାରେ ସେ ଛଟପଟ ହେଲେ । ଏହା ସହି ନ ପାରି ସୌରଭ ମା'ଙ୍କ ମୋବାଇଲକୁ ଗତ ଅକ୍ଟୋବର ୨୨ ତାରିଖରେ ହୃଦୟ ବିଦାରକ ମେସେଜ୍ ପଠାଇଥିଲେ । "ମା' ମୁଁ ତୁମ ଦୁଃଖ ଦେଖି ପାରୁନି...ବୁର୍ଲା କେନାଲକୁ ଡେଇଁ ଜୀବନ ହାରିବି' ବୋଲି ଲେଖିଥିଲେ। ଏହାପରେ ରହସ୍ୟଜନକ ଭାବେ କେଉଁ ଆଡ଼େ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସତ୍ତ୍ଵେ ତାଙ୍କର କୌଣସି ସନ୍ଧାନ ନ ମିଳିବାରୁ ଶେଷରେ ବୁର୍ଲା ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ସୌରଭ ଦେଇଥିବା ମେସେଜ୍ ଆଧାରରେ ପୁଲିସ ଓ ଅଗ୍ନିଶମ ବାହିନୀ ପାୱାର କେନାଲ ଏବଂ ଆଖପାଖ ଅଞ୍ଚଳରେ ଖୋଜା ଖୋଜି କରିଥିଲା। ଆଜି ଚିପିଲିମା ପାୱର ହାଉସ୍ ନିକଟସ୍ଥ କେନାଲରୁ ସୌରଭଙ୍କ ମୃତଦେହ ଉଦ୍ଧାର ହୋଇଛି।