ଭୁବନେଶ୍ୱର,୨୨/୦୧: ଜନତା ମଇଦାନ ମେଳା ପ୍ରାଙ୍ଗଣରେ ପାଦ ଦେଲା ମାତ୍ରେ ଲୋକଙ୍କୁ ଆକର୍ଷିତ କରୁଛି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ । କଥା କୁହା ଚଢେଇର ମିଠାମିଠା ସ୍ୱର, ସ୍ପଷ୍ଟ ଉଚ୍ଚାରଣ ଓ ମନୁଷ୍ୟର ଭାଷାକୁ ନକଲ କରିବା ସମଗ୍ର ମେଳାରେ ଅଲଗା ଆକର୍ଷଣ ପାଲଟିଛି । ‘ନମସ୍କାର’, ‘କେମିତି ଅଛ’, ‘ଆସ ଆସ’ ଭଳି ଶଦ୍ଦ କହି ଚଢେଇଟି ଆଗନ୍ତୁକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି । ଏହି କଥାକୁହା ଚଢେଇର ଦାମ୍ ଶୁଣିଲେ ଆହୁରି ଚକିତ ହେବେ । ଏଭଳି କିଛି ଚଢେଇକୁ ମେଳାରେ ପ୍ରଦର୍ଶନ ସହିତ ବିକ୍ରି କରିବାକୁ ଆଣିଛନ୍ତି କଳିଙ୍ଗ ପେଟ୍ ସପ୍ ଆସୋସିଏସନର ଶ୍ୟାମ ସୁନ୍ଦର ମିଶ୍ର। ସେ ଅଷ୍ଟ୍ରେଲିଆ, ଦକ୍ଷିଣ ଆମେରିକା, ବ୍ରାଜିଲ, ଇଣ୍ଡୋନେସିଆ, ଆଫ୍ରିକା, ବାଲି, ଚାଇନା ଆଦି ଦେଶରୁ ବିଭିନ୍ନ ପ୍ରଜାତିର ପକ୍ଷୀ ନେଇ ଆସିଛନ୍ତି । ଏସବୁ ଭିତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଦକ୍ଷିଣ ଆମେରିକାର ‘ସ୍କାରଲେଟ୍ ମକ୍ଆଉଟ୍’ ଚଢେଇ, ଯାହାର ଦାମ୍ ରହିଛି ୨୦ ଲକ୍ଷ ଟଙ୍କା । ଏହି ପକ୍ଷୀର ଆୟୁଷ ପ୍ରାୟ ୮୦ ବର୍ଷ । ଏହି ସୁନ୍ଦର ଯୋଡା ପକ୍ଷୀ ଏଭଳି ଭାବେ କଥା କହୁଛନ୍ତି ଯେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଏଠାକୁ ୯ଟି ଦେଶର ଅନେକ ପ୍ରଜାତିର ଚଢେଇ ପ୍ରଦର୍ଶନୀ ଓ ବିକ୍ରି ପାଇଁ ଆଣିଛନ୍ତି ଶ୍ୟାମସୁନ୍ଦର । ତାଙ୍କ ପାଖରେ ଅଷ୍ଟ୍ରେଲିଆର ଜେବ୍ରା ଫିଞ୍ଚ, ପଏଡ୍ ସ୍ୱାଇନସନ୍ ଲୋରିକିଟ୍, ଗ୍ରେ ପ୍ୟାରଟ, ହେଲିକ୍ୟାପ୍ଟର ବଦଜେରୀଗର, ଇଣ୍ଡୋନେସିଆର ଭାଓଲେଟ୍ ନେକ୍ଟ୍ ଲରି, ଲାଲ ଲରି, ମୋଲିକାନ୍ କକାଟୁ, ଆଫ୍ରିକାର ସେନେଗାଲ୍ ପ୍ୟାରୋଟ୍, ଆର୍ଜେଣ୍ଟିନାର ପାଟାଗୋନିଆନ୍ କନ୍ୟୁର୍, ଦକ୍ଷିଣ ଆମେରିକାର ବ୍ଲାକ୍ ହେଡେଡ୍ କାଇକ୍, କାଲିଫର୍ଣ୍ଣିଆର କାଟାଲିନା ମାକାଓ ପ୍ରଜାତିର ପକ୍ଷୀ ରହିଛି । ହେଲିକ୍ୟାପ୍ଟର ବଦଜେରୀଗର ଚଢେଇର ଦାମ୍ ୩ ହଜାରରୁ ୫ ହଜାର ରହିଥିବା ବେଳେ ଏହାର ଆୟୁଷ ୫ରୁ ୯ବର୍ଷ । ଭାଓଲେଟ୍ ନେକ୍ଡ ଲରିର ମୂଲ୍ୟ ୧ଲକ୍ଷ, ସେନେଗାଲ୍ ପ୍ୟାରଟ୍ ୨୦ ହଜାର, ବ୍ଲାକ୍ ହେଡେଡ୍ କାଇକ୍ ୯୦ ହଜାର, କାଟାଲିନା ମାକାଓ ୪ଲକ୍ଷ ଟଙ୍କା ରହିଥିବା ବେଳେ ଅଷ୍ଟ୍ରେଲିଆର ଜେବ୍ରା ଫିଞ୍ଚ ସର୍ବନିମ୍ନ ୫୦୦ ଟଙ୍କା ରହିଛି ଓ ଏହାର ଆୟୁଷ ୫ରୁ ୯ ବର୍ଷ । ଚଢ଼େଇର ମାଲିକ ଶ୍ୟାମସୁନ୍ଦର ମିଶ୍ରଙ୍କ କହିବାନୁଯାୟୀ ବର୍ଷ ବର୍ଷ ଧରି ସତର୍କ ତାଲିମ ଓ ସ୍ନେହରେ ଏହି ଚଢେଇକୁ କଥା କହିବା ଶିକ୍ଷା ଦିଆଯାଇଛି ।
ଆହୁରି ପଢ଼ନ୍ତୁ:ମତ୍ସ୍ୟ-ପ୍ରାଣୀ ସମାବେଶରେ କୁରୁକ୍ଷେତ୍ରର ପ୍ରସିଦ୍ଧ ମଇଁଷି ଷଣ୍ଢ, ଦିନକୁ ଖାଆନ୍ତି ୧୦ ହଜାର ଟଙ୍କାର ଖାଦ୍ୟ