ସିଓଲ,୧୫/୧୨: ଦକ୍ଷିଣ  କୋରିଆରେ ରାଷ୍ଟ୍ରପତି ୟୁନ୍‌ ସୁକ୍‌-ୟୋଲ୍‌ଙ୍କ ବିରୋଧରେ ଶନିବାର ଦ୍ୱିତୀୟଥର  ମହାଭିଯୋଗ ପ୍ରସ୍ତାବ ଆସିଥିବାବେଳେ ତାହା ପାସ୍‌ ହୋଇଛି । ଏହି ସମୟରେ ସଂସଦରେ  ତାଙ୍କ ବିରୋଧରେ ୨୦୪ ଖଣ୍ଡ ଭୋଟ୍‌ ପଡିଥିଲା । ସେହିପରି ସମର୍ଥନରେ ମାତ୍ର  ୮୫ ଭୋଟ୍‌ ପାଇଥିଲେ ସେ । ସଂସଦରେ  ୟୁନ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ  ପାସ୍‌ ହେବା ସେ ନିଲମ୍ବିତ ହୋଇଛନ୍ତି । ଏବେ ପ୍ରଧାନମନ୍ତ୍ରୀ ହାନ୍‌ ଡକ୍‌-ସୁ କାର୍ଯ୍ୟକାରୀ କାମଚଳା ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ ।  

ରାଷ୍ଟ୍ରପତି ୟୁନ୍‌ ଡିସେମ୍ବର ୩ ତାରିଖ  ରାତିରେ ଦେଶରେ ସାମରିକ ଆଇନ  ଲଗାଇଥିଲେ । ବିରୋଧୀ ଦଳ ଉତ୍ତର  କୋରିଆ ସହ ମିଶି କାମ କରିବା ଓ ଦେଶ  ବିରୋଧୀ ଗତିବିଧିରେ ସାମିଲ ହେବାର  ଅଭିଯୋଗ କରି ଏହି ପଦକ୍ଷେପ ନେଇଥିଲେ  ସେ । ତେବେ ଏଥିଯୋଗୁ ପ୍ରବଳ ବିରୋଧର  ସମ୍ମୁଖୀନ ହେବାରୁ ମାତ୍ର ୬ ଘଣ୍ଟା ମଧ୍ୟରେ  ତାଙ୍କୁ ନିଜ ନିଷ୍ପତ୍ତିକୁ ବଦଳାଇବାକୁ ପଡି଼ଥିଲା ।  ସାମରିକ ଆଇନ ପ୍ରତ୍ୟାହାର ହୋଇଥିଲା ।  ସେହିପରି ଗତ ଶନିବାର ମଧ୍ୟ ତାଙ୍କୁ  ପଦରୁ ହଟାଇବା ଲାଗି ମହାଭିଯୋଗ ପ୍ରସ୍ତାବ  ଆସିଥିଲା । କିନ୍ତୁ କିଛି ଭୋଟ୍‌ରେ ତାହା ପାରିତ  ହୋଇପାରିନଥିଲା । ୟୁନ୍‌ଙ୍କ ବିରୋଧରେ  ମହାଭିଯୋଗ ପାସ୍‌ ହେବାର ଖବର  ସାମ୍ନାକୁ ଆସିବା ପରେ ସଂସଦ ସାମ୍ନାରେ  ପ୍ରଦର୍ଶନକାରୀମାନେ ଆଜି ଖୁସି ପାଳନ  କରିଥିଲେ । ବର୍ତ୍ତମାନ ୟୁନ୍‌ଙ୍କ ବିରୋଧରେ  ମହାଭିଯୋଗ ପ୍ରସ୍ତାବକୁ ସାମ୍ବିଧାନିକ କୋର୍ଟରେ  ଉପସ୍ଥାପନ କରାଯିବ । ସେଠାରେ ପ୍ରାୟ ୬  ମାସ ଧରି ତାଙ୍କ ବିରୋଧରେ ମାମଲା ଚାଲିବ ।