ଶ୍ରୀନଗର,୧୭/୧୦: ସଦର୍ଣ୍ଣ ସୁପରଷ୍ଟାର୍ସ ସୁପର ଓଭରରେ କୋଣାର୍କ ସୂର୍ଯ୍ୟସ ଓଡ଼ିଶାକୁ ହରାଇ ଲିଜେଣ୍ଡସ ଲିଗ୍‌  କ୍ରିକେଟ୍‌ରେ ଚାମ୍ପିଅନ ହୋଇଛି । ଫାଇନାଲ  ମ୍ୟାଚ୍‌ ବେଶ ଚିତାକର୍ଷକ ହୋଇଥିଲା ।  ପ୍ରଥମେ ବ୍ୟାଟିଂ କରି ସୁପରଷ୍ଟାର୍ସ ୬  ୱିକେଟ୍‌ରେ ୧୬୪ ରନ୍‌ କରିଥିଲା । ଜବାବରେ କୋଣାର୍କ ସୂର୍ଯ୍ୟସ ନିର୍ଦ୍ଧାରିତ  ଓଭରରେ ୯ ୱିକେଟ୍‌ରେ ସମାନ ରନ  ସଂଗ୍ରହ କରିବା ପରେ ଖେଳ ସୁପର  ଓଭରକୁ ଯାଇଥିଲା 

ସୁପର ଓଭରରେ କୋଣାର୍କ ସୂର୍ଯ୍ୟସ  ପ୍ରଥମେ ବ୍ୟାଟିଂ କରି ୧ ୱିକେଟ୍‌ରେ ୧୩  ରନ୍‌ କରିଥିଲା । ୟୁସୁଫ ପଠାନ ଗୋଟିଏ  ଛକା ମାରିଥିଲେ । ଜବାବରେ ମାର୍ଟିନ ଗୁପ୍ତିଲ ଓଭରର ପ୍ରଥମ ୨ଟି ବଲରେ ୨ଟି ବିଶାଳ ଛକା ମାରି ସୁପରଷ୍ଟାର୍ସର ବିଜୟ ସହଜ  କରିଥିଲେ । ତୃତୀୟ ବଲରେ ସେ ଆଉଟ୍‌ ହୋଇଥିଲେ । ପରେ ପୱନ ନେଗି ଓ  ଚିରାଗ ଗାନ୍ଧୀ ଦଳକୁ ଜିତାଇଥିଲେ ।  

କୋଣାର୍କ ସୂର୍ଯ୍ୟସ ଅଧିନାୟକ  ଇରଫାନ ପଠାନ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି  ନେଇଥିଲେ । ସଦର୍ଣ୍ଣ ସୁପରଷ୍ଟାର୍ସ ଓପନର  ଶ୍ରୀବତ୍ସ ଗୋସ୍ୱାମୀ ଖାତା ଖୋଲି ପାରିନଥିଲେ ।  ପରେ ହାମିଲଟନ ମାସାକାଡଜା ଖେଳିଥିଲେ  ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ । ସେ  ୫୮ ବଲରୁ ୮ ଚୌକା ଓ ୫ ଛକା ସହ  କରିଥିଲେ ୮୩ ରନ୍‌ । ସେହିପରି ମାର୍ଟିନ  ଗୁପ୍ତିଲ ୨୭ ଓ ପୱନ ନେଗିଙ୍କ ୩୩ ରନ  ସହାୟତାରେ ଦଳ ୬ ୱିକେଟ୍‌ ହରାଇ ୧୬୪  ରନ୍‌ କରିଥିଲା । ଦିଲସାନ ମୁନାବୀରା ୪ଟି  ୱିକେଟ୍‌ ନେଇଥିଲେ । 

ବିଜୟ ଲକ୍ଷ୍ୟକୁ ପିଛା କରି କୋଣାର୍କ  ସୂର୍ଯ୍ୟସ କିନ୍ତୁ ଆରମ୍ଭରୁ ବିପର୍ଯ୍ୟୟର ଶିକାର  ହୋଇଥିଲା । ଓପନର ରିଚାର୍ଡ ଲେଭି ୧୬,  ଦିଲସାନ ୧୧, କେଭିନ ଓ’ବ୍ରାଏନ ୧୭ ଏବଂ ଅଧିନାୟକ ଇରଫାନ ୩ ରନ୍‌ କରି  ଫେରିଥିଲେ । ୟୁସୁଫ ପଠାନ ହିଁ ଦଳର ରକ୍ଷା  କବଜ ସାଜିଥିଲେ। ସେ ଏକାକୀ କ୍ରିଜରେ  ଛିଡ଼ା ହୋଇ ଦଳକୁ ବିଜୟ ନିକଟତର  କରାଇଥିଲେ । ୧୯ ଓଭରରେ ୟୁସୁଫ  ୪ଟି ଛକା ଓ ଗୋଟିଏ ଚୌକା ମାରି ଖେଳ  ଓଲଟପାଲଟ କରି ଦେଇଥିଲେ । ଅନ୍ତିମ  ଓଭରରେ କୋଣାର୍କ ବିଜୟ ପାଇଁ ୭ ରନ୍‌  ଆବଶ୍ୟକ କରୁଥିଲା । ମାତ୍ର ଓଭରର ଅନ୍ତିମ  ବଲରେ ୟୁସୁଫ ୨ ରନ୍‌ ନେବାକୁ ଯାଇ  ରନ୍‌ ଆଉଟ୍‌ ହୋଇଥିଲେ । କୋଣାର୍କ ୯ ୱିକେଟ୍‌ରେ ୧୬୪ ରନ୍‌ ସଂଗ୍ରହ କରିବା  ଫଳରେ ମ୍ୟାଚ୍‌ ସୁପର ଓଭରକୁ ଯାଇଥିଲା ।  ୟୁସୁଫ ୩୮ ବଲରୁ ୬ଟି ଚୌକା ଓ ୮ଟି  ଛକା ମାରି ୮୫ ରନ୍‌ କରିଥିଲେ ।