ନୂଆଦିଲ୍ଲୀ ୧୭/୦୬: ପ୍ରାଚୀନ ନକ୍ଷତ୍ରମାନଙ୍କର ବିସ୍ଫୋରଣରୁ ଏବେ ବି ରେଡିଓଆକ୍ଟିଭ୍ ଆବର୍ଜନା ପୃଥିବୀରେ ପଡୁଛି । ଏକ ସଦ୍ୟ ଅଧ୍ୟୟନରୁ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଅଧ୍ୟୟନରୁ ପ୍ରାୟ ୮୦ ହଜାର ବର୍ଷ ପୁରୁଣା ଆଣ୍ଟାର୍କଟିକ୍ ବରଫ ଭିତରେ ଲୁକ୍କାୟିତ ବ୍ରହ୍ମାଣ୍ଡୀୟ ଧୂଳିର କଣିକା ମିଳିଛି । ଗବେଷକମାନେ ଆଣ୍ଟାର୍କଟିକାରୁ ସଂଗ୍ରହ କରିଥିବା ବରଫ ନମୁନାରେ ସୁପରନୋଭା ବିସ୍ଫୋରଣ ସମୟରେ ଉତ୍ପନ୍ନ ଏକ ବିରଳ ରେଡିଓଆକ୍ଟିଭ୍ ଆଇସୋଟୋପ୍ ‘ଆଇରନ୍-୬୦’ ଚିହ୍ନଟ କଲେ । ସମୟ ସହିତ ଆଇରନ୍-୬୦ କ୍ଷୟ ହୋଇଥାଏ ଏବଂ ଏହାର ଅଧା ଜୀବନ ହାରାହାରି ୨୬ କୋଟି ବର୍ଷ । ସେଥିପାଇଁ ବୈଜ୍ଞାନିକମାନେ ଜାଣନ୍ତି ୪୬୦ କୋଟି ବର୍ଷ ପୂର୍ବେ ପୃଥିବୀର ଉତ୍ପତ୍ତି ପରଠୁ ଏହା ତିଷ୍ଠିନପାରେ । ଅର୍ଥାତ୍, ଏହି ଉପାଦାନ ଅପେକ୍ଷାକୃତ ନିକଟରେ ମହାକାଶରୁ ଆସିଥିବ । ଏହି ଆବିଷ୍କାର ସେହି ପ୍ରମାଣକୁ ଆହୁରି ମଜଭୁତ କରିଛି ତାହା ହେଉଛି- ପ୍ରାଚୀନ ସମୟରେ ସଂଘଟିତ ନକ୍ଷତ୍ର ବିସ୍ଫୋରଣରୁ ସୃଷ୍ଟ ଆବର୍ଜନାର ବାଦଲ ଦ୍ୱାରା ବର୍ତ୍ତମାନ ଆମ ଗ୍ରହ ଗତି କରୁଛି ।

ଅଧ୍ୟୟନକର୍ତ୍ତା ୪୦,୦୦୦-୮୦,୦୦୦ ବର୍ଷ ପୁରୁଣା ବରଫ ଆସ୍ତରଣକୁ ବିଶ୍ଳେଷଣ କଲେ ଏବଂ ଆଇସୋଟୋପ୍ ନାମରେ ପରିଚିତ ଆଇରନ୍-୬୦ର ସୂକ୍ଷ୍ମ କଣିକା ଚିହ୍ନଟ କଲେ । ବିସ୍ଫୋରଣ ପରେ ମହାକାଶରେ ବ୍ୟାପୁଥିବା ବିଶାଳକାୟ ନକ୍ଷତ୍ର ଭିତରେ ଆଇସୋଟୋପ୍ ସୃଷ୍ଟି ହୋଇଥାଏ । ପୂର୍ବରୁ ବୈଜ୍ଞାନିକମାନେ ଗଭୀର-ସମୁଦ୍ରର ପଙ୍କ, ମହାସାଗର ତଳେ, ଚନ୍ଦ୍ର ନମୁନା, ଏପରିକି ସତେଜ ଆଣ୍ଟାର୍କଟିକ୍ ତୁଷାରରେ ଆଇରନ୍-୬୦ ଠାବ କରିଥିଲେ । ସଦ୍ୟ ଅଧ୍ୟୟନ ଦର୍ଶାଇଛି, ପ୍ରାଚୀନ ସୁପରନୋଭାରୁ ରେଡିଓଆକ୍ଟିଭ୍ ଧୂଳିକଣା ଏବେ ବି ପୃଥିବୀରେ ପହଞ୍ଚୁଛି । ଏହି ଉପକରଣ ସ୍ଥାନୀୟ ଆନ୍ତଃତାରକୀୟ ବାଦଲ ସହ ସଂଶ୍ଳିଷ୍ଟ ହୋଇପାରେ, ଯାହା ଗ୍ୟାସ୍ ଓ ଧୂଳିର ଏକ ବିଶାଳ କ୍ଷେତ୍ର ଏବଂ ତା’ ମଧ୍ୟଦେଇ ଆମ ସୌରମଣ୍ଡଳ ବର୍ତ୍ତମାନ ଯାତ୍ରା କରୁଛି । ଆଇରନ୍-୬୦ର ଉପସ୍ଥିତି ପ୍ରାଚୀନ ବ୍ରହ୍ମାଣ୍ଡୀୟ ଘଟଣାଗୁଡ଼ିକର ଅଧ୍ୟୟନ ଲାଗି ବୈଜ୍ଞାନିକଙ୍କୁ ଅନନ୍ୟ ମାର୍ଗ ପ୍ରଦାନ କରିଛି ।

 

ଆଇସୋଟୋପ୍ କେବଳ ବିଶାଳ ନକ୍ଷତ୍ର ଭିତରେ ସୃଷ୍ଟି ହେଉଥିବାରୁ ଅତୀତର ସୁପରନୋଭା ବିସ୍ଫୋରଣର ଏହା ଫିଙ୍ଗରପ୍ରିଣ୍ଟ ଭଳି କାମ କରିପାରେ । ପୃଥିବୀରେ ଏହାର ଉପସ୍ଥିତିକୁ ଚିହ୍ନଟ କରି ବୈଜ୍ଞାନିକମାନେ ପଡ଼ୋଶୀ ଆକାଶଗଙ୍ଗାର ଇତିହାସ ଏବଂ ସୌରମଣ୍ଡଳ ଚତୁଃପାଶ୍ୱର୍ର ପରିବେଶ ସମ୍ପର୍କରେ ଅଧିକ ତଥ୍ୟ ପାଇପାରିବେ । ପୂର୍ବ ଅଧ୍ୟୟନରୁ କୋଟି କୋଟି ବର୍ଷ ପୁରୁଣା ଆଇରନ୍-୬୦ର ପ୍ରମାଣ ମିଳିଛି । ତେଣୁ ନିକଟସ୍ଥ ନକ୍ଷତ୍ର ବିସ୍ଫୋରଣର ଆବର୍ଜନା ସଂସ୍ପର୍ଶରେ ପୃଥିବୀ ପୂର୍ବରୁ ଆସିଛି ବୋଲି ଅଧ୍ୟୟନ ଦର୍ଶାଇଛି । ଆଇରନ୍-୬୦ର ଚିହ୍ନଟ ଅତ୍ୟନ୍ତ ଜଟିଳ, କାରଣ ଏହି କଣିକା ଖୁବ୍ ବିରଳ । ବୈଜ୍ଞାନିକମାନେ ବିଶ୍ଳେଷଣ ପାଇଁ ପର୍ଯ୍ୟାପ୍ତ ଆଇରନ୍-୬୦କୁ ଅଲଗା କରିବା ପୂର୍ବରୁ ପ୍ରାୟ ୩୦୦ କିଲୋ ଆଣ୍ଟାର୍କଟିକ୍ ବରଫକୁ ଅଧ୍ୟୟନ କରିଥିଲେ । ବ୍ୟାପକ ପରିମାଣର ସାଧାରଣ ଉପାଦାନ ଭିତରେ ମୁଠାଏ ରେଡିଓଆକ୍ଟିଭ୍ ପରମାଣୁ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର ଉପକରଣ ପ୍ରୟୋଗ କରାଯାଇଥିଲା । ଏହି ରେଡିଓଆକ୍ଟିଭ୍ ଧୂଳିକଣା ପୃଥିବୀ ପାଇଁ ବିପଦପୂର୍ଣ୍ଣ ନୁହେଁ । କିନ୍ତୁ କୋଟି କୋଟି ବର୍ଷ ପୂର୍ବେ ଘଟିଥିବା ଘଟଣା ସହିତ ଉଲ୍ଲେଖଯୋଗ୍ୟ ସଂଯୋଗକୁ ଏହା ଦର୍ଶାଇଛି ।

ଆହୁରି ପଢ଼ନ୍ତୁ...Artificial Intelligence: ୨୦୩୦ ସୁଦ୍ଧା ଏଆଇ ନେଇଯିବ ୨୨% ଚାକିରି, ଆରମ୍ଭ ହେଲାଣି ଏଆଇ କୋର୍ସ