ବିଶ୍ୱର ବିଭିନ୍ନ ଦେଶ କେବଳ ଚନ୍ଦ୍ର ଓ ମଙ୍ଗଳ ଅଭିଯାନରେ ବ୍ୟସ୍ତ ନରହି, ନିଜ ମୁଣ୍ଡ ଉପରେ ଯେଉଁ ମହାକାଶ ବର୍ଜ୍ୟ ଖଣ୍ଡା ପରି ତୀବ୍ରଗତିରେ ଘୂରି ବୁଲୁଛି ତାକୁ ନିୟନ୍ତ୍ରଣ କରିବା ଦରକାର । ବେଳେବେଳେ ପ୍ରଶ୍ନ ଉଠେ, ଯଦି ମହାକାଶ ଅଭିଯାନର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏକ, ତେବେ ବିଭିନ୍ନ ରାଷ୍ଟ୍ର ଅଲଗା ଭାବରେ ବ୍ୟୟବହୁଳ ପ୍ରକଳ୍ପ ଆପଣେଇବାର ଆବଶ୍ୟକତା କ’ଣ?
ସାଂପ୍ରତିକ ସ୍ଥିତିରେ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । କିନ୍ତୁ ସମସ୍ତଙ୍କ ଅଲକ୍ଷ୍ୟରେ ମହାକାଶ ଯେ ଦିନକୁ ଦିନ ବର୍ଜ୍ୟବସ୍ତୁରେ ପ୍ରଦୂଷିତ ଓ ଭାରାକ୍ରାନ୍ତ ହୋଇଚାଲିଛି, ଏ ବିଷୟରେ ସମ୍ୟକ ସୂଚନା ସାଧାରଣ ଲୋକଙ୍କ ନିକଟରେ ନାହିଁ । ଅବଶ୍ୟ ମହାକାଶ ବିଜ୍ଞାନୀମାନେ ମହାକାଶ ପ୍ରଦୂଷଣ ବିଷୟରେ ଯଥେଷ୍ଟ ସଚେତନ ଏବଂ ତତ୍ଜନିତ ସମସ୍ୟାକୁ ଗୁରୁତ୍ୱର ସହିତ ଅନୁଧ୍ୟାନ କରୁଛନ୍ତି । ପ୍ରଥମ ସମସ୍ୟା ହେଲା, ପୃଥିବୀର କକ୍ଷପଥରେ ବା ମଙ୍ଗଳ, ଶୁକ୍ର ଗ୍ରହଙ୍କ କକ୍ଷ ଚାରିପଟେ ଦିନକୁଦିନ ତ୍ୱରିତ ଗତିରେ ବୃଦ୍ଧିପାଉଥିବା ସାଟେଲାଇଟ ସଂଖ୍ୟା । ୧୯୫୭ ମସିହାରେ ମହାକାଶରେ ସାଟେଲାଇଟ ସଂଖ୍ୟା ଶୂନ ଥିଲା। ୨୦୦୦ ମସିହା ବେଳକୁ ଏହି ସଂଖ୍ୟା ବଢ଼ି ୨୦୧୫ରେ ପହଞ୍ଚିଲା । ଏବେ ୨୦୨୫ ମସିହାରେ ମହାକାଶରେ ଘୂରି ବୁଲୁଥିବା ସାଟେଲାଇଟର ସଂଖ୍ୟା ୧୪,୯୦୦।୨୦୧୯ ମସିହାରେ ୟୁଏସ୍ ସ୍ପେଶ ସର୍ଭେଲାନ୍ସ ନେଟୱର୍କ ପ୍ରକାଶ କରିଥିବା ଏକ ରିପୋର୍ଟରେ ଦର୍ଶାଇଥିଲା ପୃଥିବୀର କକ୍ଷପଥରେ କାର୍ଯ୍ୟକ୍ଷମ ଥିବା ସାଟେଲାଇଟ ବା ଉପଗ୍ରହ ବ୍ୟତୀତ ୨୧,୯୦୧ କୃତ୍ରିମ ବସ୍ତୁ ମଧ୍ୟ ଘୂରିବୁଲୁଛି, ଯାହା ମହାକାଶରେ ଟ୍ରାଫିକ ଜାମ୍ ଭଳି ସମସ୍ୟା ସୃଷ୍ଟି କରୁଛି ।
ଗତ ଚାରି ପାଞ୍ଚ ବର୍ଷ ମଧ୍ୟରେ ମହାକାଶକୁ ବିଭିନ୍ନ ଦେଶର ସାଟେଲାଇଟ ପ୍ରକ୍ଷେପଣ କେନ୍ଦ୍ରରୁ ଉତ୍କ୍ଷେପଣ କରାଯାଉଥିବା ସାଟେଲାଇଟଗୁଡ଼ିକର ସଂଖ୍ୟା ଦ୍ରୁତ ବୃଦ୍ଧିପାଇଛି । ଆମ ପୃଥିବୀ, ମଙ୍ଗଳ ଓ ଶୁକ୍ର ଗ୍ରହଙ୍କ କକ୍ଷପଥରେ ଅନେକ ମହାକାଶୀୟ ବସ୍ତୁ ଘୂରୁଥିବାରୁ ପରସ୍ପର ଭିତରେ ଧକ୍କାହେବାର ଆଶଙ୍କା ମଧ୍ୟ ବଢୁଛି । ଥରେ ଧକ୍କା ହେଲେ ଅପରିମିତ ମହାକାଶ ବର୍ଜ୍ୟ ସୃଷ୍ଟି ହୋଇଥାଏ । ମହାକାଶ ଟ୍ରାଫିକ ବିଶେଷଜ୍ଞମାନେ ମହାକାଶରେ ବଢୁଥିବା ବର୍ଜ୍ୟ ବିଷୟରେ ବେଶ୍ କିଛିବର୍ଷ ହେଲା ସତର୍କ ସୂଚନା ଦେଇଆସୁଛନ୍ତି । ଅଥଚ ତଥାକଥିତ ମହାକାଶ ଅଭିଯାନ ଦୌଡ଼ ପ୍ରତିଯୋଗିତାରେ ସାମିଲ ହୋଇଥିବା ଆମେରିକା, ରୁଷିଆ, ଚାଇନା, ଭାରତ, ୟୁରୋପିଆନ ସ୍ପେଶ ଏଜେନ୍ସି, ଜାପାନ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ ସମେତ କେତେକ ଦେଶ କେହି ପଛରେ ପଡ଼ିବାକୁ ଚାହାନ୍ତିନାହିଁ ।
ମହାକାଶର ବ୍ୟବହାର ଉପଯୁକ୍ତ ଓ ସହନୀୟ ଢଙ୍ଗରେ କରିବା ପାଇଁ ସମ୍ମିଳିତ ପ୍ରଚେଷ୍ଟା ମଧ୍ୟ ନାହିଁ । ଆଜିର ଦିନରେ ହୁଏତ ମହାକାଶ ବର୍ଜ୍ୟ ଏତେଟା ଗମ୍ଭୀର ସମସ୍ୟା ସୃଷ୍ଟି କରିନାହିଁ । କିନ୍ତୁ ଭବିଷ୍ୟତରେ ଏହା ପୃଥିବୀର କୋଣ ଅନୁକୋଣକୁ ପ୍ରଭାବିତ କରିପାରେ ଏବଂ ଭିନ୍ନ ଭିନ୍ନ ଅଞ୍ଚଳର ଆଘାତପ୍ରବଣତା ବୃଦ୍ଧି ପାଇପାରେ, ଅବଶ୍ୟ ୟୁରୋପିଆନ ସ୍ପେଶ ଏଜେନ୍ସି, ଜାପାନର ଏରୋସ୍ପେଶ ଏକ୍ସପ୍ଲୋରେସନ ଏଜେନ୍ସି (ଜାକ୍ସା) ଏବଂ ଆମେରିକା ମହାକାଶ କେନ୍ଦ୍ର ନାସାର ଗତିଶୀଳ ବୈଦ୍ୟୁତିକ ବର୍ଜ୍ୟ ନିଷ୍ପାସନ ଯନ୍ତ୍ର (ଇଡିଡିଓ) ଓ ଭାରତୀୟ ଇସ୍ରୋର ନେତା ମହାକାଶରେ ବର୍ଜ୍ୟ ପରିମାଣ ହ୍ରାସପାଇଁ ନିଜର ଆଭ୍ୟନ୍ତରୀଣ ପଲିସି ଜାରି ରଖିଛନ୍ତି । ତଥାପି ବିଶ୍ୱର ଅନେକ ଦେଶ ମହାକାଶ ବର୍ଜ୍ୟଦ୍ୱାରା ସୃଷ୍ଟ ବିପଦ ବିଷୟରେ ସଚେତନ ନୁହଁନ୍ତି । ଆମେରିକାର ନାସା ପ୍ରଥମ ଆନ୍ତର୍ଜାତିକ ମହାକାଶ ଷ୍ଟେସନ ସ୍କାଇଲାବ ୧୯୭୩ ମସିହାରେ ସ୍ଥାପନ କରିଥିଲା । ୧୯୭୯ ମସିହା ଜୁଲାଇ ମାସରେ ଯେବେ ନାସା ତରଫରୁ ଘୋଷଣା କରାଗଲା ଯେ ଆଉ ମାତ୍ର ବର୍ଷକ ପରେ ସ୍କାଇଲାବର କାର୍ଯ୍ୟକାଳ ପୂରିଯିବ । ଏହା ସକ୍ରିୟରୁ ନିଷ୍କ୍ରିୟ ଅବସ୍ଥାକୁ ଆସିଯିବ । ସେତେବେଳେ ସାରାବିଶ୍ୱରେ ଭୟ ଓ ଆଶଙ୍କାର ବାତାବରଣ ଖେଳିଯାଇଥିଲା । ପରବର୍ତ୍ତୀ ସମୟରେ ଆମେରିକା, ରୁଷିଆ, କାନାଡ଼ା, ଜାପାନ ଆଦି ଦେଶମାନଙ୍କର ମିଳିତ ସହଯୋଗରେ ନିର୍ମିତ ଅନ୍ୟ ଏକ ମହାକାଶ ଷ୍ଟେସନ ୨୦୦୦ ମସିହା ନଭେମ୍ବର ମାସରେ କକ୍ଷରେ ଅବସ୍ଥାପିତ ହେଲା ପରଠାରୁ ତାର କକ୍ଷପଥରେ ଅନେକବାର ପରିବର୍ତ୍ତନ କରାଯାଇଛି । ପୃଥିବୀର ଚତୁଃପାଶ୍ୱର୍ରେ ଅସଂଖ୍ୟ କୃତ୍ରିମ ବସ୍ତୁ ବା ମହାକାଶ ବର୍ଜ୍ୟ ଘୂରି ବୁଲୁଥିବାରୁ ସ୍ପେଶ ଷ୍ଟେସନ ସହିତ ଧକ୍କାହେବାର ଆଶଙ୍କା ମଧ୍ୟ ବଢ଼ିଚାଲିଛି । ଏମିତି ଏକ ବିରଳ ଘଟଣା ଘଟିଥିଲା ଗତ ୨୦୨୪ ମସିହା ନଭେମ୍ବର ମାସରେ । ଖଣ୍ଡେ ମହାକାଶ ବର୍ଜ୍ୟ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ଆଡ଼କୁ ମାଡ଼ିଆସିଥିଲା । ସ୍ପେଶ ଷ୍ଟେସନରେ ଗବେଷଣାରତ ମହାକାଶଚାରୀମାନେ ଷ୍ଟେସନ ସହିତ ସଂଯୁକ୍ତ ଏକ ରୁଷୀୟ ସାଟେଲାଇଟ ଇଂଜିନକୁ ଚାଲୁ କରି ନିଜ କେନ୍ଦ୍ରର ହାଲକା ପରିବର୍ତ୍ତନ କଲେ ଓ ବିପଦ ଟଳିଗଲା। ଉଭୟ ଚନ୍ଦ୍ର ଉପଗ୍ରହ ଓ ମଙ୍ଗଳ ଗ୍ରହକୁ ମନୁଷ୍ୟ ପ୍ରେରିତ ଯାନ ପଠାଇବା କାର୍ଯ୍ୟରେ ସହଯୋଗ କରୁଥିବା ଏହି ସ୍ପେଶ ଷ୍ଟେସନଟି ଆସନ୍ତା ୨୦୩୧ ମସିହାରେ ନିଷ୍କ୍ରିୟ ହେଇଯିବ । ଗୋଟିଏ ଫୁଟବଲ ପଡ଼ିଆ ଆକୃତିର ୪୦୦ଟନ୍ ବିଶିଷ୍ଟ ଏହି ପ୍ରୟୋଗଶାଳାକୁ ନିୟନ୍ତ୍ରଣ କରି ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ଏବେ ଆଉ କଷ୍ଟକର ବ୍ୟାପାର ନୁହେଁ । କାରଣ ପ୍ରଯୁକ୍ତି ବିଦ୍ୟାରେ ଆମେ ଯଥେଷ୍ଟ ଅଗ୍ରଗତି ହାସଲ କରିସାରିଛେ । ଅବସର ନେଲାପରେ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦିଆଯାଇଥିବା ଏହି ସ୍ପେଶ ଷ୍ଟେସନଟି ଯେବେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିଦ୍ୱାରା ଆକର୍ଷିତ ହୋଇ ବାୟୁମଣ୍ଡଳରେ ପ୍ରବେଶ କରିବ ସେତେବେଳେ ଏହାର ବେଗ ଥିବ ଘଣ୍ଟାପ୍ରତି ୨୮,୦୦୦ କି.ମି.,ବାୟୁ ସହିତ ସଂଘର୍ଷରେ ଏହି ବିଖଣ୍ଡିତ ବର୍ଜ୍ୟଗୁଡ଼ିକ ଜଳିଯାଇ ପ୍ରଶାନ୍ତ ମହାସାଗରର ଏକ ନିର୍ଜନ ସ୍ଥାନ ‘ନୋମୋ’ରେ ଅବତରଣ କରିବ । ଧନ ଜୀବନ ହାନି ହେବନାହିଁ ।
ମହାକାଶରେ ଘୂରି ବୁଲୁଥିବା ଏପରି ଲକ୍ଷାଧିକ ବର୍ଜ୍ୟ ଅଛି, ଯାହାକୁ ଚିହ୍ନଟ କରିବା ପାଇଁ ମହାକାଶ ବିଜ୍ଞାନୀଙ୍କର ବୈଷୟିକ ଜ୍ଞାନକୌଶଳ ସମର୍ଥ ନୁହେଁ । ୟୁରୋପୀୟ ମହାକାଶ ଏଜେନ୍ସିର ତଥ୍ୟ ଅନୁସାରେ, ମହାକାଶ ଗବେଷଣାର ପ୍ରାରମ୍ଭିକ ସମୟ ୧୯୫୭ ପରଠାରୁ ଅଦ୍ୟାବଧି ୬୫୦ରୁ ଅଧିକ ମହାକାଶ ବସ୍ତୁ ଭାଙ୍ଗିବା, ବିସ୍ଫୋରଣ ଏବଂ ପରସ୍ପର ସହ ଧକ୍କାହେବା କାରଣରୁ ମହାକାଶ ବର୍ଜ୍ୟ ସୃଷ୍ଟିହୋଇ ଟ୍ରାଫିକ ଜାମ୍ ସମସ୍ୟା ସୃଷ୍ଟି କରିଥାଏ । ଏଭଳି ସୃଷ୍ଟି ହୋଇଥିବା ଅସଂଖ୍ୟ ମହାକାଶ ବର୍ଜ୍ୟ ଭବିଷ୍ୟତର ଆବର୍ତ୍ତନ ମିଶନ କାର୍ଯ୍ୟକ୍ରମ ପାଇଁ ସବୁଠାରୁ ବଡ଼ ବିପଦ ସୃଷ୍ଟି କରିବାର ସମ୍ଭାବନା ଥାଏ । ନାନା ମହାକାଶ ଗବେଷଣା କେନ୍ଦ୍ରର ତଥ୍ୟ ଅନୁସାରେ, ପୃଥିବୀର ନିମ୍ନ ଘୂର୍ଣ୍ଣନ କକ୍ଷ ବାସ୍ତବ କ୍ଷେତ୍ରରେ ମନୁଷ୍ୟକୃତ ଏବଂ ମହାକାଶକୁ ପ୍ରେରିତ ଲକ୍ଷ ଲକ୍ଷ ନିଷ୍କ୍ରିୟ ତଥା ମୃତ ସାଟେଲାଇଟର ଭଗ୍ନାଂଶ ଓ ରକେଟର ଅବଶିଷ୍ଟାଂଶକୁ ନେଇ ମହାକାଶ ବର୍ଜ୍ୟର ଅଗଣା ପାଲଟିଲାଣି । ଏହା ଜଳବାୟୁ ତଥା ଜୀବଜଗତ ପ୍ରତି କ୍ଷତିକାରକ । ୨୦୦୭ରେ ଚୀନର ସାଟେଲାଇଟ ବିରୋଧାତ୍ମକ ପରୀକ୍ଷଣ ଏବଂ ୨୦୦୯ ମସିହାରେ ପ୍ରେରିତ ରୁଷିଆର ମହାକାଶଯାନ ପରସ୍ପର ସହିତ ଧକ୍କା ଖାଇବା ଫଳରେ ୬୦୦୦ ଟନ୍ର ବର୍ଜ୍ୟ ସୃଷ୍ଟି ହୋଇଥିଲା, ଯାହାକୁ ପରିଷ୍କାର କରିବା ଏକ ବ୍ୟୟସାପେକ୍ଷ ଆହ୍ୱାନ ।
ସ୍ପେଶ ରିସର୍ଚ୍ଚ କମିଟି (କୋସପାର) ନାମକ ଏକ ସଂସ୍ଥା ୧୯୫୮ରୁ ପ୍ରତିଷ୍ଠା ହୋଇ ଆନ୍ତର୍ଜାତିକ ମହାକାଶ ଗବେଷଣା କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରୁଛି । ୨୬ଜଣ ବୈଜ୍ଞାନିକ ଓ ୧୨ଟି ମହାକାଶ ସଂସ୍ଥାର ମିଳିତ ଉଦ୍ୟମରେ ସୌରମଣ୍ଡଳ ସଂରକ୍ଷଣ ନୀତି ୧୯୬୦ରେ ପ୍ରଣୟନ କରାଯାଇଛି ଏବଂ ଗତ ୨୦୨୧ ମସିହାର ଏହାର ସଂଶୋଧନ ଓ ପରିବର୍ଦ୍ଧନ କରାଯାଇଛି । ଏହି ସଂସ୍ଥା ସ୍ପେଶ ରିସର୍ଚ୍ଚ କମିଟି କୋସପାର ଅଧୀନରେ କାମ କରୁଛି । ସୌରମଣ୍ଡଳକୁ ସୁରକ୍ଷିତ ରଖିବାର ମୌଳିକ ନିୟମ ହେଲା, ଏହାକୁ ଭୂପୃଷ୍ଠର ଜୀବନ ବା ପ୍ରାଣଶକ୍ତି ଏବଂ ପୃଥିବୀକୁ ବାହ୍ୟ ପାର୍ଥିବ ଜୀବନଶକ୍ତିର ସଂକ୍ରମଣ ତଥା ପ୍ରଦୂଷଣରୁ ସଂରକ୍ଷିତ ରଖିବା । କିନ୍ତୁ ସ୍ପେଶ ରିସର୍ଚ୍ଚ କମିଟି ଅଧୀନରେ ଆମେରିକାର ନାସା ଭାରତର ଇସ୍ରୋ ରୁଷିଆର ରସେକସମସ୍, ଚୀନର ନାସନାଲ ସ୍ପେଶ ଏଜେନ୍ସି, ଜର୍ମାନର ଏରୋସ୍ପେଶ ସେଣ୍ଟର ଏବଂ ୟୁନାଇଟେଡ କିଙ୍ଗ୍ଡମ୍ର ସ୍ପେଶ ଏଜେନ୍ସି ନିୟମ ମୁତାବକ କାର୍ଯ୍ୟ କରୁଥିଲେ ମଧ୍ୟ ସମୟକ୍ରମେ ଅନେକ ବେସରକାରୀ ଅନୁଷ୍ଠାନ ମହାକାଶ ଅଭିଯାନ କ୍ଷେତ୍ରରେ ଦଖଲ ଦେବାକୁ ଆରମ୍ଭ କରିଛନ୍ତି ଏବଂ ସେମାନେ ସୌରଜଗତର ସୁରକ୍ଷା ପ୍ରତି ସେତେଟା ଆଗ୍ରହୀ ନୁହଁନ୍ତି । ଉଦାହରଣ ସ୍ୱରୂପ, ଏଲନ ମସ୍କଙ୍କର ସ୍ପେଶ-ଏକ୍ସ ସଂସ୍ଥା ମଙ୍ଗଳ ଗ୍ରହରେ ବସତି ସ୍ଥାପନ କରିବାର ଲକ୍ଷ୍ୟ ରଖିଛି । ଏଲନ ମସ୍କ ଖୋଲାଖୋଲି ଭାବେ କହିଛନ୍ତି, ତାଙ୍କ ସଂସ୍ଥା ସୌରଜଗତ ସୁରକ୍ଷା ପ୍ରୋଟୋକଲ ପ୍ରତି ଆଗ୍ରହାନ୍ୱିତ ନୁହେଁ । କାରଣ ମଙ୍ଗଳ ଗ୍ରହରେ ଜୀବସତ୍ତା ଥିବାର ସମ୍ଭାବନା ନାହିଁ ।
୨୦୨୦ ମସିହାରେ ଘରୋଇ ବ୍ୟାବସାୟିକ ସଂସ୍ଥାଗୁଡ଼ିକୁ ମହାକାଶ ଅଭିଯାନ କ୍ଷେତ୍ରରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା । କିନ୍ତୁ ତା’ ପୂର୍ବରୁ ସ୍ୱାର୍ମ ଟେକନୋଲୋଜି ନାମରେ ଆମେରିକାର ଏକ ଷ୍ଟାର୍ଟଅପ୍ ସଂସ୍ଥା ୪ଟି ଛୋଟ ଉପଗ୍ରହକୁ ଭାରତୀୟ ରକେଟ ସାହାଯ୍ୟରେ ମହାକାଶକୁ ଉତ୍ପ୍ରେରଣ କରିଥିଲା । ଏହି ଉପଗ୍ରହ ବା ସାଟେଲାଇଟଗୁଡ଼ିକ ଆକୃତିରେ ବହୁତ ଛୋଟ ହୋଇଥିବାରୁ ଆମେରିକା ସରକାର ଉତ୍କ୍ଷେପଣ ନିମନ୍ତେ ଅନୁମତି ଦେଇନଥିଲେ । ୨୦୧୯ ମସିହାରେ ଇସ୍ରାଏଲର ଏକ ବେସରକାରୀ କମ୍ପାନୀ ସ୍ପେଶ ଆଇଏଲ ସଂସ୍ଥାକୁ ରାଷ୍ଟ୍ରୀୟ ଏରୋସ୍ପେଶ ଏଜେନ୍ସି ଚନ୍ଦ୍ର ଅଭିଯାନ ଓ ଚନ୍ଦ୍ରରେ ଅବତରଣ ନିମନ୍ତେ ଅନୁମତି ଦେଇଥିଲେ । ଏହି ମହାକାଶ ଯାନଟି ଚନ୍ଦ୍ରରେ ଅବତରଣ କଲାବେଳେ ଧ୍ୱଂସ ହୋଇଯାଇଥିଲା । ପରେ ୨୦୨୨ ମସିହାରେ ହାଇଦ୍ରାବାଦର ଏକ ବେସରକାରୀ ଷ୍ଟାର୍ଟଅପ୍ ସ୍କାଏ ରୁଟ୍ ଏରୋସ୍ପେଶ ଦ୍ୱାରା ବିକଶିତ ଭାରତର ପ୍ରଥମ ଘରୋଇ ରକେଟ ଇସ୍ରୋ ଶ୍ରୀହରିକୋଟା ରକେଟ ଉତ୍କ୍ଷେପଣ କେନ୍ଦ୍ରରୁ ମହାକାଶକୁ ପ୍ରେରଣ କରିଥିଲା । କେବଳ ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ନୁହେଁ, ବିଶ୍ୱର ଅନେକ ରାଷ୍ଟ୍ରର ମହାକାଶ ସଂସ୍ଥା ନିଜ ନିଜର ରକେଟ ଭିତ୍ତିଭୂମିକୁ ନିଜ ଦେଶର ବା ଅନ୍ୟ ଦେଶର ଘରୋଇ କମ୍ପାନୀକୁ ଭଡ଼ା ସୂତ୍ରରେ ଲଗାଇ, ସେମାନଙ୍କ ଦ୍ୱାରା ନିର୍ମିତ ରକେଟକୁ ମହାକାଶକୁ ପଠାଉଛନ୍ତି ।
ଏଲନ ମସ୍କଙ୍କ ସ୍ପେଶ-ଏକ୍ସ ଓ ଜେଫ୍ ବେଜୋସଙ୍କ ବ୍ଲୁ ଅରିଜିନ ଭଳି ଘରୋଇ ସଂସ୍ଥ।। ମଧ୍ୟ ମହାକାଶକୁ ଉପଗ୍ରହ ପଠାଉଛନ୍ତି । ଏହିସବୁ ଘଟଣାରୁ ଅନୁମାନ କରାଯାଇପାରେ, କିପରି ଘରୋଇ ବ୍ୟାବସାୟିକ କମ୍ପାନୀମାନେ ମହାକାଶ ଅଭିଯାନରେ ଦିନକୁ ଦିନ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି । କେବଳ ସେତିକି ନୁହେଁ, ସ୍ପେଶ ରିସର୍ଚ୍ଚ କମିଟି କୋସପାର ଦ୍ୱାରା ପ୍ରସ୍ତୁତ ମୌଳିକ ନିୟନ୍ତ୍ରଣାତ୍ମକ ନିୟମାବଳୀକୁ ଏଡେଇ ଯାଉଛନ୍ତି ବା ଭାଙ୍ଗି ଦେଉଛନ୍ତି । ବିଶ୍ୱର ବିଭିନ୍ନ ଦେଶ କେବଳ ଚନ୍ଦ୍ର ଓ ମଙ୍ଗଳ ଅଭିଯାନରେ ବ୍ୟସ୍ତ ନରହି, ନିଜ ମୁଣ୍ଡ ଉପରେ ଯେଉଁ ମହାକାଶ ବର୍ଜ୍ୟ ଖଣ୍ଡା ପରି ତୀବ୍ରଗତିରେ ଘୂରି ବୁଲୁଛି ତାକୁ ନିୟନ୍ତ୍ରଣ କରିବା ନିମନ୍ତେ ଦୃଢ଼ ପ୍ରଚେଷ୍ଟା କରିବା ଦରକାର। ବେଳେବେଳେ ପ୍ରଶ୍ନ ଉଠେ, ଯଦି ମହାକାଶ ଅଭିଯାନର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏକ, ତେବେ ବିଭିନ୍ନ ରାଷ୍ଟ୍ର ଅଲଗା ଭାବରେ ବ୍ୟୟବହୁଳ ପ୍ରକଳ୍ପ ଆପଣେଇବାର ଆବଶ୍ୟକତା କ’ଣ? ଅନେକ ରାଷ୍ଟ୍ର- ଏକ ମହାକାଶ ମିଶନ ଏହା ହିଁ ଧ୍ୟେୟ ହେଲେ କକ୍ଷପଥରେ ସାଟେଲାଇଟ ଟ୍ରାଫିକ ଜାମ୍ କମ୍ କରାଯାଇପାରିବ । ମହାକାଶ ବର୍ଜ୍ୟ ହ୍ରାସ ପାଇବା ସହିତ ମହାକାଶ ପ୍ରଦୂଷଣକୁ ମଧ୍ୟ କିଛିମାତ୍ରାରେ ରୋକାଯାଇ ପାରିବ ।