ନୂଆଦିଲ୍ଲୀ,୨୨।୧୦:  ପରଲୋକରେ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ପ୍ରମୁଖ ବୈଜ୍ଞାନିକ ଡକ୍ଟର ଏକନାଥ ବସନ୍ତ ଚିଟାନିସ୍‌।ବୁଧବାର ପୁନେ ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ପରିବାର ସଦସ୍ୟଙ୍କ କହିବା ଅନୁସାରେ,ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଆଜି ସକାଳୁ ତାଙ୍କର ହୃଦଘାତ ହୋଇଥିଲା। ଡକ୍ଟର ଚିଟନିସ୍ ମଙ୍ଗଳବାର ତାଙ୍କର ୧୦୦ତମ ଜନ୍ମଦିନ ପାଳନ କରିଥିଲେ। ତାଙ୍କ ଦେହାନ୍ତ ଭାରତୀୟ ବୈଜ୍ଞାନିକଙ୍କ ଦୁନିଆ ପାଇଁ ଏକ ବଡ଼ କ୍ଷତି।

ଡକ୍ଟର ଚିଟନିସ ଭାରତର ମହାକାଶ କ୍ଷେତ୍ରର ପ୍ରାରମ୍ଭିକ ଦିନରେ ଜଣେ ଅଗ୍ରଣୀ ନାୟକ ଥିଲେ। ସେ ଭାରତୀୟ ଜାତୀୟ ମହାକାଶ ଗବେଷଣା କମିଟି (INCOSPAR) ରେ  ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯାହା କି ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ରେ ପରିଣତ ହୋଇଥିଲା। ଇସ୍ରୋ ଆଜି ବିଶ୍ୱର ପ୍ରମୁଖ ମହାକାଶ ସଂଗଠନ ମଧ୍ୟରୁ ଅନ୍ୟତମ, ଯାହା ଚନ୍ଦ୍ରଯାନ ଏବଂ ମଙ୍ଗଳଯାନ ଭଳି ମିଶନ ପାଇଁ ଜଣାଶୁଣା। ଡକ୍ଟର ଚିଟନିସଙ୍କ ଇସ୍ରୋରର ପ୍ରତିଷ୍ଠାରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା।  

chitnis

ଭାରତର ପ୍ରଥମ ରକେଟ୍ ପ୍ରକ୍ଷେପଣ ସ୍ଥାନ, କେରଳର ଥୁମ୍ବା ଚୟନ କରିବାରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଥୁମ୍ବା ଭାରତର ମହାକାଶ କାର୍ଯ୍ୟକ୍ରମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହୋଇ ରହିଛି। ୧୯୬୦ ଦଶକରେ ଯେତେବେଳେ ଭାରତର ମହାକାଶ କାର୍ଯ୍ୟକ୍ରମ ଆରମ୍ଭ ହେଉଥିଲା,  ସେତେବେଳେ ଡକ୍ଟର ଚିଟନିସ୍ ସେହି ସ୍ଥାନକୁ ଚୟନ କରିଥିଲେ ଯେଉଁଠାରୁ ଭାରତର ପ୍ରଥମ ରକେଟ୍ ଉଡ଼ାଣ କରିଥିଲା। ସମୁଦ୍ର ନିକଟରେ ଅବସ୍ଥିତ ଏହି ସ୍ଥାନ ରକେଟ୍ ଉତକ୍ଷେପଣ ପାଇଁ ଖୁବ୍ ସୁରକ୍ଷିତ ଥିଲା।

୧୯୮୧ ରୁ ୧୯୮୫ ପର୍ଯ୍ୟନ୍ତ, ଡକ୍ଟର ଚିଟନିସ୍ ଅହମ୍ମଦାବାଦରେ ISROର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (SAC)ର ଦ୍ୱିତୀୟ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ସେ ସେଠାରେ ଉପଗ୍ରହ ଏବଂ ମହାକାଶ ପ୍ରଯୁକ୍ତିବିଦ୍ୟା ଉପରେ କାର୍ଯ୍ୟ କରିଥିଲେ। ତାଙ୍କ ନେତୃତ୍ୱରେ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆରମ୍ଭ ହୋଇଥିଲା, ଯାହାର ଭାରତର ବିକାଶରେ ସ୍ବତନ୍ତ୍ର ଅବଦାନ ରହିଛି। ସେ ଡକ୍ଟର ବିକ୍ରମ ସାରାଭାଇଙ୍କ ଶେଷ ଜୀବିତ ସହଯୋଗୀଙ୍କ ମଧ୍ୟରୁ ଜଣେ ଥିଲେ।  ସାରାଭାଇଙ୍କୁ ଭାରତର ମହାକାଶ କାର୍ଯ୍ୟକ୍ରମର ଜନକ ଭାବରେ ଜଣାଶୁଣା। ସେ ୧୯୬୦ ଦଶକରେ ଇସ୍ରୋର ମୂଳଦୁଆ ସ୍ଥାପନ କରିଥିଲେ। ତାଙ୍କ ସହିତ ମିଶି ଡକ୍ଟର ଚିଟନିସ୍ ଭାରତର ମହାକାଶ କ୍ଷେତ୍ରକୁ ମଜବୁତ କରିଥିଲେ। ଡକ୍ଟର ସାରାଭାଇଙ୍କ ମୃତ୍ୟୁ ପରେ ମଧ୍ୟ, ଡକ୍ଟର ଚିଟନିସ୍ ତାଙ୍କ ସ୍ୱପ୍ନକୁ ଆଗକୁ ବଢାଇଥିଲେ।

kalam​​​​​​​

ସବୁଠାରୁ ବଡ଼ କଥା ହେଲା ଡକ୍ଟର ଚିଟାନିସ୍‌ ମିସାଇଲ ମ୍ୟାନ୍‌ ନାମରେ ପରିଚିତ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ମାର୍ଗଦର୍ଶକ ଥିଲେ। ଡକ୍ଟର କଲାମ  ଭାରତର ପ୍ରସିଦ୍ଧ ବୈଜ୍ଞାନିକ ଏବଂ ରାଷ୍ଟ୍ରପତି ଥିଲେ। କଲାମଙ୍କ ପ୍ରାରମ୍ଭିକ ଦିନରେ ଡକ୍ଟର ଚିଟନିସ୍ ତାଙ୍କର ମାର୍ଗଦର୍ଶକ ଥିଲେ। ଡକ୍ଟର ଚିଟନିସଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା। ସେ ସର୍ବଦା ସରଳ ଜୀବନଯାପନ କରୁଥିଲେ ଏବଂ ଯୁବ ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରୁଥିଲେ।