ନୂଆଦିଲ୍ଲୀ,୧୫/୦୭: ଚଳିତ ଫିଫା ବିଶ୍ୱକପ୍ରେ ପ୍ରଥମ ଦଳ ଭାବେ ସ୍ପେନ୍ ଫାଇନାଲ୍ରେ ପ୍ରବେଶ କରିଛି । ଡାଲାସ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ସେମି ଫାଇନାଲ୍ ମୁକାବିଲାରେ ଦଳ ୨-୦ ଗୋଲ୍ରେ ଫ୍ରାନ୍ସକୁ ପରାସ୍ତ କରିଥିଲା ଓ ୧୬ବର୍ଷ ପରେ ପୁଣିଥରେ ଫାଇନାଲ୍ରେ ସ୍ଥାନ ପକ୍କା କରିଥିଲା । ପୂର୍ବରୁ ସ୍ପେନ୍ ୨୦୧୦ରେ ଥରେ ମାତ୍ର ଫାଇନାଲ୍ ଖେଳିଥିଲା ଓ ନେଦରଲାଣ୍ଡ୍ସକୁ ୧-୦ ଗୋଲ୍ରେ ହରାଇ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା । ୨୦୧୮ ଚାମ୍ପିଅନ୍ ଓ ୨୦୨୨ ବିଶ୍ୱକପ୍ ରନର୍ସ ଅପ୍ ଫ୍ରାନ୍ସ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ସ୍ପେନ ସବୁ ବିଭାଗରେ ପ୍ରଭାବ ବିସ୍ତାର କରି ଖେଳିଥିଲା ।
ବଲ୍ ପୋଜେସନଠୁ ଆରମ୍ଭ କରି ପାସ୍ ବିନିମୟ ପର୍ଯ୍ୟନ୍ତ ଦଳ ସମ୍ପୂର୍ଣ୍ଣ ୯୦ ମିନିଟ୍ ଧରି ମ୍ୟାଚକୁ ନିୟନ୍ତ୍ରଣରେ ରଖିଥିଲା । ୨୨ତମ ମିନିଟ୍ରେ ଏକ ପେନାଲ୍ଟିକୁ ଗୋଲ୍ରେ ପରିଣତ କରି ମିକେଲ ଓୟରଜବାଲ ସ୍ପେନ୍କୁ ଅଗ୍ରଣୀ କରାଇଥିଲେ । ସେହିପରି ଦ୍ୱିତୀୟାର୍ଦ୍ଧରେ ମ୍ୟାଚର ୫୮ତମ ମିନିଟ୍ରେ ପେଡ୍ରୋ ପୋରୋ ଦ୍ୱିତୀୟ ଗୋଲ୍ ଦେଇଥିଲେ । ଏଥିରେ ତାଙ୍କୁ ସହାୟତା କରିଥିଲେ ଡାନି ଓଲମୋ । ଫ୍ରାନ୍ସ ଅନ୍ତିମ ଭାଗରେ ଜୋରଦାର ଆକ୍ରମଣ କରିଥିଲେ ହେଁ ଗୋଲ୍ କରିପାରି ନଥିଲା ।
ଫ୍ରାନ୍ସର ସ୍ୱପ୍ନ ଧୂଳିସାତ୍- ବିଶ୍ୱକପ୍ ଚାମ୍ପିଅନ୍ ଓ ୨୦୨୨ ରନର୍ସ ଅପ୍ ଫ୍ରାନ୍ସର କ୍ରମାଗତ ତୃତୀୟ ଫାଇନାଲ୍ ସ୍ୱପ୍ନ ଧୂଳିସାତ୍ ହୋଇ ଯାଇଛି । ସେମି ଫାଇନାଲ୍ରେ ସ୍ପେନ ଠାରୁ ୨-୦ ଗୋଲ୍ରେ ପରାଜିତ ହୋଇ ଫ୍ରାନ୍ସ ବିଦାୟ ନେଇଛି । ଆଉ ଏକ କ୍ଲିନ ସିଟ୍ ସହ ସ୍ପେନ ଦୀର୍ଘ ୧୬ ବର୍ଷ ପରେ ଫାଇନାଲ୍ରେ ପ୍ରବେଶ କରିଛି । ମ୍ୟାଚ ଆରମ୍ଭରୁ ସ୍ପେନ୍ ବଲ୍କୁ ନିୟନ୍ତ୍ରଣରେ ରଖି ଫ୍ରାନ୍ସ ଉପରେ ଆକ୍ରମଣ କରିଥିଲା । ପ୍ରଥମ ୫ ମିନିଟ୍ ମଧ୍ୟରେ ସ୍ପେନ୍ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲା । ନବମ ମିନିଟ୍ରେ ସ୍ପେନ୍କୁ ଏକ ସୁଯୋଗ ମିଳିଥିଲା । ଡାନି ଓଲମୋଙ୍କୁ ଫାଉଲ ମାରିଥିଲେ ଆଡ୍ରିଆନ ରାବିଓଟ । ଫ୍ରାନ୍ସ ବକ୍ସ ନିକଟରେ ସ୍ପେନକୁ ମିଳିଥିଲା ଫ୍ରି-କିକ୍ । କିନ୍ତୁ ସ୍ପେନ୍ ଏହାକୁ ଗୋଲରେ ପରିଣତ କରିପାରି ନଥିଲା । ଏହାପରେ ଫ୍ରାନ୍ସ ସୁଯୋଗ ସୃଷ୍ଟି କରିଥିଲା । ୧୬ତମ ମିନିଟ୍ରେ ମାଇକେଲ ଓଲିସ ଏକ ପ୍ରତି ଆକ୍ରମଣ ଜରିଆରେ ଗୋଲ୍ ପାଇଁ ପ୍ରୟାସ କରିଥିଲେ । କିନ୍ତୁ ବିଫଳ ହୋଇଥିଲେ ।
୨୦ତମ ମିନିଟ୍ରେ ଲୁକାସ ଡିଗ୍ନେ ନିଜ ଦଳର ବକ୍ସ ଭିତରେ ଲାମିନ ୟମାଲଙ୍କୁ ଫାଉଲ ମାରିଥିଲେ । ସ୍ପେନ୍କୁ ପେନାଲ୍ଟି ମିଳିଥିଲା । ମିକେଲ ଓୟାରଜବାଲ ଏହାକୁ ଗୋଲରେ ପରିଣତ କରି ସ୍ପେନ୍କୁ ଅଗ୍ରଣୀ କରାଇଥିଲେ । ୩୦ତମ ମିନିଟ୍ରେ ଫ୍ରାନ୍ସକୁ ଏକ ଶକ୍ତ ଧକ୍କା ଲାଗିଥିଲା । ୱିଲିୟମ ସାଲିବା ଆହତ ହୋଇ ଗ୍ରାଉଣ୍ଡରୁ ବିଦାୟ ନେଇଥିଲେ । ତାଙ୍କ ସ୍ଥାନରେ ମୋକ୍ସେନ୍ସ ଲାକ୍ରୋଏକ୍ସ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ।
ପରବର୍ତ୍ତୀ ୧୫ମିନିଟ୍ ରହିଥିଲା ବେଶ୍ ଆକର୍ଷଣୀୟ । ଉଭୟ ଦଳ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ । ୩୪ତମ ମିନିଟ୍ରେ ଡାନି ଓଲମୋ, ୩୬ତମ ମିନିଟ୍ ବ୍ରାଡଲି ବାର୍କୋଲା (ଫ୍ରାନ୍ସ), ୩୭ତମ ମିନିଟରେ ପେଡ୍ରୋ ପୋରୋ ଓ ୩୮ତମ ମିନିଟ୍ ଫାବିଆନ ରୁଇଜ (ସ୍ପେନ୍) ପ୍ରୟାସ କରି ବିଫଳ ହୋଇଥିଲେ । ୪୫୍ମ୩ତମ ମିନଟ୍ରେ ଫ୍ରାନ୍ସ ପାଇଁ ଶ୍ରେଷ୍ଠ ସୁଯୋଗ ସୃଷ୍ଟି ହୋଇଥିଲା । ଜ୍ୟୁଲ୍ସ କୁଣ୍ଡେ ସ୍ପେନ୍ ଗୋଲ ପୋଷ୍ଟ ନିକଟକୁ ଏକ ଚମତ୍କାର କ୍ରସ୍ ପଠାଇଥିଲେ ।
ଏହା ବି ପଢନ୍ତୁ...India vs England 1st ODI: ବର୍ମିଂହାମରେ ଭାଙ୍ଗିଲା ବ୍ରିଟିଶ୍ ଗର୍ବ; ଗିଲ୍, ଅକ୍ଷର, ସୁନ୍ଦରଙ୍କ କମାଲ, ଭାରତର ସହଜ ବିଜୟ
ହେଲେ ଏମବାପେ ସଠିକ୍ ସମୟରେ ସେଠାରେ ପହଞ୍ଚି ପାରି ନଥିଲେ । ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ସ୍ପେନ ପ୍ରଭାବ ଜାରି ରଖିଥିଲା । ଫ୍ରାନ୍ସ କେବଳ ସୁଯୋଗ ଅପେକ୍ଷାରେ ରହିଥିଲା । ସ୍ପେନ୍ ସମ୍ପୂର୍ଣ୍ଣ ରୂପେ ମ୍ୟାଚକୁ ନିୟନ୍ତ୍ରଣରେ ରଖି ୫୮ତମ ମିନିଟ୍ରେ ଦ୍ୱିତୀୟ ଗୋଲ୍ ଦେଇଥିଲା । ଡାନି ଓଲମୋଙ୍କ ପାସ୍କୁ ପେଡ୍ରୋ ପୋରୋ ଗୋଲ୍ରେ ପରିଣତ କରିଥିଲେ । ଏହାପରେ ଫ୍ରାନ୍ସ ଘନ ଘନ ଆକ୍ରମଣ କରିଥିଲା । ୬୪ ଓ ୬୭ତମ ମିନିଟ୍ରେ ଏମବାପେ ୨ଟି ସୁଯୋଗ ସୃଷ୍ଟି କରିଥିଲେ । ହେଲେ କିଛି ଫଳ ମିଳି ନଥିଲା । ୮୯ତମ ମିନିଟ୍ରେ ଏକ ଫ୍ରି-କିକକୁ ମଧ୍ୟ ଏମବାପେ ହାତଛଡ଼ା କରିଥିଲେ । ୯୦+୫ତମ ମିନିଟ୍ରେ ଓସମାନ ଡେମ୍ବେଲେଙ୍କ ସଟ୍କୁ ସ୍ପେନ୍ ଗୋଲ୍ କିପର ଉନାଇ ସିମନ ଅଟକାଇ ଦେଇଥିଲେ । ଫ୍ରାନ୍ସର ଆଶା ମଉଳି ଯାଇଥିଲା ।