ପରଲୋକରେ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷମାନଙ୍କ ମଧ୍ୟରେ କଳ୍ପିତ ଏହି ବାର୍ତ୍ତାଳାପ ଭାରତର ସାଂପ୍ରତିକ କାହାଣୀକୁ ଜୀବନ୍ତ ଭାବେ ବଖାଣୁଛି । ସତ୍ୟ, ଅହିଂସାକୁ ପାଥେୟ କରି ୧୯୪୭ରେ ଆମକୁ ଯେତେବେଳେ ସ୍ୱାଧୀନତା ମିଳିଗଲା ବିଶ୍ୱବାସୀ ଚକିତ ହୋଇଯାଇଥିଲେ।
ଆମର ରାଜନୈତିକ ପୂର୍ବପୁରୁଷମାନେ ଏହି ଆଶା ନେଇ ସ୍ୱାଧୀନତା ଚାହିଁଥିଲେ ଯେ ବିଦେଶୀ ଗଲାପରେ ଏ ଦେଶ ପୁଣି ସୁନା ଚଢ଼େଇର ଦେଶ ହେବ ଓ ଲୋକେ ସୁଖ ଶାନ୍ତିରେ ରହିବେ । ଦେଶ ଆମର, ସରକାର ଆମର, ନେତା ଆମର, ପ୍ରଶାସନ ଆମର, ତେଣୁ ଆମକୁ ଦୁଃଖ ଦାରିଦ୍ର୍ୟ ଦେବାକୁ ଆଉ କେହି ରହିବେନାହିଁ । ଆଜି ଅଧିକାଂଶ ସ୍ୱାଧୀନତା ସଂଗ୍ରାମୀ ପରଲୋକରେ ଓ ସେମାନେ ଯେତେବେଳେ ପରଲୋକରୁ ଆମ ଦେଶର ସାମ୍ପ୍ରତିକ ସ୍ଥିତିକୁ ଦେଖୁଥିବେ ଭାବୁଥିବେ- କ'ଣ ପ୍ରକୃତରେ ଏହି ଭାରତ ଗଢ଼ିବାକୁ ସେମାନେ ଚାହିଁଥିଲେ,
ଏହି ସ୍ୱାଧୀନତା ପାଇଁ ଲଢ଼େଇ କରି ଲାଠି ଖାଇଥିଲେ, ଜେଲ୍ ଯାଇଥିଲେ ଓ ଫାଶୀ ପାଇଥିଲେ । ସେମାନେ ସମ୍ଭବତଃ ଏହା ଭାବି ଖୁସି ହେଉଥିବେ ଯେ ସ୍ୱାଧୀନତା ପୂର୍ବରୁ ଓ ସ୍ୱାଧୀନତାର ଅଳ୍ପ ବର୍ଷ ପରେ ସେମାନଙ୍କ ପରଲୋକ ହୋଇଗଲା । ବଞ୍ଚିଥିଲେ ହୁଏତ ସେମାନଙ୍କୁ ଦେଖିବାକୁ ପଡ଼ିଥାଆନ୍ତା ଦେଶ ବିଭାଜନ, ବେଇମାନୀ, ନମକହାରାମୀ, ବେନାମୀ ଆକାଉଣ୍ଟ, ମନି ଲଣ୍ଡରିଂ, ନେତା ଓ ଅଫିସରମାନଙ୍କ ଧନୀ ହେବା, ଭଦ୍ରତା, ଶାଳୀନତା ଓ ନମ୍ରତାର ମୃତ୍ୟୁ, ଆଇନକୁ ଖଣ୍ଡ ଖଣ୍ଡ କରି କାଟିବା, କନ୍ୟାଭ୍ରୁଣ ହତ୍ୟା, ମହିଳାଙ୍କ ଦୁରବସ୍ଥା, ହିଂସା, ଔଦ୍ଧତ୍ୟ, ସାଂପ୍ରଦାୟିକତା, ଜରୁରିକାଳୀନ ପରିସ୍ଥିତି, କମିସନି କାରବାର ଇତ୍ୟାଦି ।
ସ୍ୱାଧୀନତାର ୭୭ବର୍ଷ ପରେ ମଧ୍ୟ ପ୍ରକୃତ ଅର୍ଥରେ ସମ୍ପୂର୍ଣ୍ଣ ଅଗଷ୍ଟ ୧୫ (ସ୍ୱାଧୀନତା) ଆସିଲା ନାହିଁ । ଯାହା ଆସିଛି ତାହା ଅଧା ଅଗଷ୍ଟ ୧୫ । ଗାନ୍ଧିଜୀ କହିଥିବେ, ଭଲ ହେଲା ସ୍ୱାଧୀନତାର ବର୍ଷକ ପରେ ମୁଁ ପରଲୋକ ଆସିଗଲି । କାରଣ ଗୋଟିଏ ବର୍ଷ ମଧ୍ୟରେ ଯାହା ଘଟିଗଲା ତାହା ଦେଖିପାରିଲି ନାହିଁ । ଭାରତବାସୀ ଆଦୌ ଖରାପ ନୁହନ୍ତି । ଭାରତ, ଫୁଲ ଅତର ଓ ସ୍ନେହ ମମତାର ମାଟି । କିନ୍ତୁ ଭାରତରେ ଆଜି ପ୍ରତି ନୂଆ ବର୍ଷ ପୁରୁଣା ବର୍ଷଠାରୁ ଆହୁରି ଖରାପ ଆସୁଛି କାହିଁକି? ଦେଶବାସୀ କାହିଁକି ବୁଝିପାରୁନାହାନ୍ତି ଯେ ସେମାନଙ୍କ ଶକ୍ତି ଦୁନିଆର ସବୁଠାରୁ ବଡ଼ ଶକ୍ତି?
ଏହି ୭୭ବର୍ଷ ମଧ୍ୟରେ ଦେଶବାସୀଙ୍କୁ ହୃଦୟରୁ କନ୍ଦାଇବାର ସବୁ ପ୍ରୟାସ ଅନୁଭବ ହେଉଛି । କୌଣସି ବି ସରକାର ଦୁର୍ବଳ ଓ ଗରିବଙ୍କୁ ମଣିଷ ବୋଲି ଭାବୁନାହାନ୍ତି । ଖାଇବାକୁ ନାହିଁ, ଘର ନାହିଁ, ରାତିରେ ନିଦ ନାହିଁ । ନେତାଙ୍କ ଚେହେରା କେବଳ ନିର୍ବାଚନ ବେଳେ ଦେଖିବାକୁ ମିଳୁଛି । ଜନତା ସତେଯେପରି ସେମାନଙ୍କ ପାଇଁ ଏକ ଗାଈଗୋଠ । ନେତାମାନେ ବଡ଼ ବଡ଼ ଗାଡ଼ିରେ ବସି, ନିଜକୁ ଈଶ୍ୱର ମନେ କରି, ସାଇରନ ବଜାଇ ସେମାନଙ୍କୁ ହୁରୁଡ଼ାଇ ଦିଅନ୍ତି ଓ ଆଜିକାଲି ସେମାନଙ୍କ ପାଇଁ କିଛି ଟଙ୍କା ଓ ବିରିଆନିର ପ୍ୟାକେଟ ଫିଙ୍ଗି ଚାଲିଯାଆନ୍ତି । ଛୋଟ ଛୋଟ ପିଲାମାନେ ଦୌଡ଼ିଯାଇ ସେହି ପ୍ୟାକେଟକୁ ମହାଆନନ୍ଦରେ ଉଠାଇ ଆଣନ୍ତି । ବୟସ୍କ ଲୋକେ ଆଣନ୍ତି ନାହିଁ ଓ କୁହନ୍ତି ଆମ କଥା ଛାଡ଼, କିନ୍ତୁ ଏହି ଛୋଟ ଛୋଟ ପିଲାମାନେ ତ ବଞ୍ଚିବା ନିହାତି ଆବଶ୍ୟକ ।
ଗାଡ଼ିଗୁଡ଼ିକ ଚାଲିଯିବା ପରେ ଲୋକେ ଚୁପ୍ଚାପ ନିଜ ଘରକୁ ଏପରି ଫେରିଯାଆନ୍ତି, ଯେପରି ଶବ ସତ୍କାର ପରେ ଶବ ଶୋଭାଯାତ୍ରାରେ ଯାଇଥିବା ଲୋକେ ଦୁଃଖ ଓ ହତାଶାରେ କରନ୍ତି । ଆରେ ଭାଇ! ଆଉ କେତେ ରୋଜଗାର କରିବ, ଆଉ କେତେ ଲୁଟିବ, ଆଉ କେତେ ମିଛ କହିବ, ନିଜ ଉପରେ ଆଉ କେତେ ଖର୍ଚ୍ଚ କରିବ, ଗରିବ ପ୍ରାର୍ଥନା କଲେଣି- ପ୍ରଭୁ ତୁମ ଛଡ଼ା ଆମର ଅନ୍ୟ କୌଣସି ଶକ୍ତି ନାହିଁ, ସ୍ୱର୍ଗକୁ ଯିବା ଛଡ଼ା ଆମର ଆଉ କୌଣସି ବାଟ ନାହିଁ । ସରକାରରେ ଥିବା ଲୋକେ ବିଭିନ୍ନ ସମୃଦ୍ଧ ରାଷ୍ଟ୍ର ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିକୁ ଗରିବଙ୍କ ସକାଶେ ଟଙ୍କା ସହାୟତା ମାଗୁଛନ୍ତି । କିନ୍ତୁ ଗରିବ କହୁଛନ୍ତି- ଆଜ୍ଞା, ଆମମାନଙ୍କୁ ବଦନାମ କରନ୍ତୁ ନାହିଁ । ଯଦି ମାଗୁଛନ୍ତି ନିଜ ପାଇଁ ମାଗନ୍ତୁ । ଜନତାଙ୍କ ସହିତ ଆଉ କେତେ ଅନ୍ୟାୟ କରିବ, କେତେ ଅଭିନୟ କରିବ, କେତେ ଉପେକ୍ଷା କରିବ । ଦେଶରେ ଆଜି ଶିକ୍ଷାର ଅଭାବ, ଅଶିକ୍ଷା ଭରପୂର, ଭଦ୍ରତା କମ୍, ଅଭଦ୍ରାମି ବେଶୀ, ବିଶ୍ୱାସ କମ୍, ଅବିଶ୍ୱାସ ଅଧିକ, ମାନବିକତା କମ୍ ଓ ପାଶବିକତା ବେଶୀ, ଇଜ୍ଜତ କମ୍ ଓ ବେଇଜ୍ଜତି ବେଶୀ । ମଣିଷର ମଣିଷପଣିଆ ଆଜି ଶୀଣ୍ଣ ଓ ଶ୍ରୀହୀନ । କ୍ଷମତାଲୋଭୀ ଓ କର୍ତ୍ତୃତ୍ୱଲୋଭୀଙ୍କ ପ୍ରାଚୁର୍ଯ୍ୟର ଦେଶ ହୋଇଗଲାଣି ଏ ଦେଶ ।
କଥା ହେଲା, ଏ ଅବସ୍ଥା କାହିଁକି ଉପୁଜିଲା? ଯେତେବେଳେ ଛଳନାର ଭାଷା ସରକାରଙ୍କ ଭାଷା ବନିଯାଏ ତେବେ ଅବସ୍ଥା ଏପରି ହୋଇଥାଏ । ମୁହଁ ଖୋଲିଲେ ଧମକଚମକ । ସରକାର ଓ ନେତା ଜନତାଙ୍କ ଆବଶ୍ୟକତା, କିନ୍ତୁ କେଜାଣି କାହିଁକି ଜନତା ସେମାନଙ୍କ ଆବଶ୍ୟକତା ହୋଇଯାଉଛନ୍ତି । ସାଧାରଣ ଜନତା ମଧ୍ୟ ଭଲ ନୁହେଁ । ଦେଶରେ ୭୦ଭାଗ ଲୋକ ଗରିବ ଓ ୩୦ଭାଗ ଲୋକ ଧନୀ । ଧନୀମାନଙ୍କର ହିନ୍ଦୁସ୍ତାନ ସହିତ କୌଣସି ସମ୍ପର୍କ ନାହିଁ । ସେମାନେ ନିଜ ନିଜ ପିଲାଛୁଆଙ୍କୁ ହିନ୍ଦୁସ୍ଥାନୀ ସଂସ୍କୃତି ଓ ଶିକ୍ଷାଦେବାକୁ ଆମେରିକା, ୟୁରୋପ ପଠାଉଛନ୍ତି । ପଚାରିଲେ କହୁଛନ୍ତି ଏଠାରେ ହିନ୍ଦୁସ୍ତାନୀ ହେବାର ସୁଯୋଗ ଓ ବାତାବରଣ ନାହିଁ ।
ବେରୋଜଗାରୀ, ଦୁରବସ୍ଥା, ଦରଦାମ୍ ବୃଦ୍ଧି, ଦୁଶ୍ଚିନ୍ତା, ଉଦାସୀ ଦେଶ ଉପରେ କଳାବାଦଲ ପରି ଘୋଟିଗଲାଣି । ଏ ଦେଶର ପ୍ରତି ନେତା, ଅଫିସର ଓ ସାଧାରଣ ଜନତାଙ୍କୁ ଜଣାନାହିଁ ଯେ ସେମାନେ ଏ ଦେଶ ସହିତ କ'ଣ କରୁଛନ୍ତି? ଚାରିଆଡ଼େ ଖାଲି ପଇସା, ପଇସା ଆଉ ପଇସା । ଏମିତିକି ଦିନ ଆଗକୁ ଆସିପାରେ ଯେତେବେଳେ ସରକାରୀ ଦପ୍ତରରେ ଗାନ୍ଧୀ, ନେହରୁଙ୍କ ଫଟୋ ବଦଳରେ ଧନ କୁବେରମାନଙ୍କ ଫଟୋ କାନ୍ଥରେ ଟଙ୍ଗା ହେବ । କାରଣ ଟଙ୍କା ପଇସାରେ ଗାନ୍ଧୀ, ନେହରୁଙ୍କ କ'ଣ ସମ୍ପର୍କ? ଆଜି ଏହା ହିଁ ପ୍ରକୃତ ଭାରତର କାହାଣୀ । କେବଳ ଏତିକି କୁହାଯାଇପାରିବ ଯେ, ଯାହା ହୃଦୟରେ ଅଛି ତାହା ଖୋଲାଖୋଲି କହିଲେ ବିପଦ ।
ଏହି ଆଖି ଭାରତ, ବିକାଶର ଶିଡ଼ି ଚଢ଼ିବା କମ୍ ଓ ଶିଡ଼ିରୁ ଖସିବା ବେଶୀ ଦେଖିଲା । ସରକାରଙ୍କ କାମ ହେଲା ଦେଶବାସୀଙ୍କୁ ଖୁସି ଓ ସର୍ବଦା ହସ ହସ ରଖିବା । ସରକାର ତ ଦେଶବାସୀଙ୍କୁ ହସହସ ରଖୁଛି, କାରଣ ସଂସଦ ଓ ବିଧାନସଭାରେ ଯାହା କିଛି ହେଉଛି ଦେଶବାସୀ ଘଣ୍ଟା ଘଣ୍ଟା ଧରି ହସୁଛନ୍ତି, କିନ୍ତୁ ଖୁସିରେ ନାହାନ୍ତି । ନେତାଙ୍କ ହାତରୁ ମାଇକ୍ରୋଫୋନ ଛଡ଼ାଇବା ସେତିକି କଷ୍ଟକର ହେଲାଣି ଯେତିକି ଛୋଟ ଛୁଆଙ୍କ ହାତରୁ ଝୁମ୍ଝୁମା । ଗଣତନ୍ତ୍ରରେ ଯିଏବି ସରକାରରେ ଥାଆନ୍ତି ଦେଶବାସୀ ସେମାନଙ୍କୁ ଇଜ୍ଜତ୍ ଦେବା ଉଚିତ୍, ସେମାନଙ୍କୁ ସୁରକ୍ଷା ଦେବା ଉଚିତ୍ । କାରଣ ସରକାର ଦେଶବାସୀଙ୍କୁ ଇଜ୍ଜତ ଦେଉନାହାନ୍ତି କି ସୁରକ୍ଷା ଦେଉନାହାନ୍ତି । ସବୁ ସରକାର ନିଜର ଯେତିକି ବିକାଶ କଲେ ସେତିକି ବିକାଶ ଯଦି ଦେଶବାସୀଙ୍କର କରିଥାଆନ୍ତେ ତେବେ ଆଜି ଏ ଦେଶ ଏମିତି ନଥାଆନ୍ତା । ଯେଉଁ ଅଧିକାରୀମାନେ ଆଦେଶ ପାଇ ଅନ୍ୟକୁ ଅକାରଣରେ ହଇରାଣ ହରକତ କରୁଛନ୍ତି ସେମାନେ ସେଥିପାଇଁ ନିଜକୁ ଦାୟୀ ମନେ କରୁନାହାନ୍ତି । କହୁଛନ୍ତି ସେମାନେ ତ ଆଦେଶର ଚାକର ଓ ସେମାନେ ଆଇନ ପ୍ରଣୟନ କରିନାହାନ୍ତି । ସେମାନେ ଭୁଲିଯାଉଛନ୍ତି ଯେ, ପ୍ରତି ଅମଳ ଜଣେ ଅମଳକାରୀଙ୍କ ପାଖକୁ ଫେରିଆସିବ ଓ ସେମାନେ ଯାହା ଅମଳ କରିଛନ୍ତି ତାହା ତାଙ୍କରି ପାଖକୁ ହିଁ ଫେରିବ ।
ସ୍ୱାଧୀନତା ପରଠାରୁ ଯେଉଁମାନେ ଗରିବ ଥିଲେ ସେମାନେ ଆଜି ବି ଗରିବ । ଅଜା ଗରିବ, ବାପା ଗରିବ, ପୁଅ ଗରିବ ଓ ନାତି ବି ଗରିବ । ସେମାନଙ୍କ ପାଖରେ କିଛି ନାହିଁ କି ତହିଁରେ ସେମାନଙ୍କର କୌଣସି ଅଧିକାର ମଧ୍ୟ ନାହିଁ । ସେମାନଙ୍କ କେବଳ ଗୋଟିଏ ଅଧିକାର ନିର୍ବାଚନରେ ଭୋଟ ଦେବା । କିନ୍ତୁ ଅପରପକ୍ଷେ, ଯେଉଁମାନେ ୭୭ବର୍ଷ ହେଲା କ୍ଷମତାରେ ଅଛନ୍ତି, ଅଜା କ୍ଷମତାରେ, ବାପ କ୍ଷମତାରେ, ପୁଅ କ୍ଷମତାରେ ଓ ନାତି ବି କ୍ଷମତାରେ । ଦେଶରେ ଧନୀ ଚିନ୍ତାରେ ଯେ ଡଲାରର ମୂଲ୍ୟ ବଢ଼ିଗଲା । ଗରିବ ଚିନ୍ତାରେ ଯେ ରୁଟିର ମୂଲ୍ୟ ବଢ଼ିଗଲା । ହିନ୍ଦୁ ଚିନ୍ତାରେ ଯେ ସେମାନେ ସୁରକ୍ଷିତ ନୁହଁନ୍ତି ଓ ମୁସଲମାନ ଚିନ୍ତାରେ ଯେ ସେମାନେ ଅସୁରକ୍ଷିତ । ସ୍ୱାଧୀନତା ପରଠାରୁ ଯେ ବି ସରକାରରେ ରହିଲା ସେମାନଙ୍କୁ ସାଧାରଣ ଜନତା ଧୈର୍ଯ୍ୟର ସହିତ ମୁକାବିଲା କରିଛନ୍ତି । କାରଣ ଦେଶବାସୀ ଜାଣିଛନ୍ତି ଯେ, ସୈତାନ ମଧ୍ୟ ମଝିରେ ମଝିରେ ବେଶ ବଦଳେଇ ନିଜ କାମ କରାଇନେବାରେ ସଫଳ ହୋଇଥାଏ । ଦେଶବାସୀ ତ କେବଳ ଚୁପ୍ ହୋଇ ଯାତ୍ରା ଦେଖନ୍ତି । ଦେଶବାସୀଙ୍କୁ ଏଥିପାଇଁ କେତେ ମୂଲ୍ୟ ଦେବାକୁ ପଡ଼ିବ ତାହା କଳ୍ପନା କରିବାର ସତ୍ସାହସ କାହାର ନାହିଁ । କେବଳ ହସିବା ଛଡ଼ା କ'ଣଟା ବା ଆଉ କରିପାରିବେ? କାରଣ ଏହି ଲୋକମାନେ କେବେ ବି ବଦଳିବେ ବୋଲି ଆଶା ନାହିଁ ।
ସ୍ୱାଧୀନତା ପରେ ଉପଲବ୍ଧି ହୋଇଛି କ'ଣ । କେବଳ କିଛି ବୋମା? କିନ୍ତୁ ଆଜ୍ଞା! ବୋମା କେବେ କୌଣସି ଦେଶ ବା ମାନବ ସମାଜ ପାଇଁ ସୁଖ ସମୃଦ୍ଧି ଆଣିଦେଇପାରିବ କି? ଦେଶ ବିପର୍ଯ୍ୟୟର ପାଦ ଦେଶରେ ପହଞ୍ଚିବାର ସବୁ ଲକ୍ଷଣ ସ୍ପଷ୍ଟଭାବେ ଦେଖାଯାଉଛି । ଖଳଲୋକ ଭଲଲୋକଙ୍କୁ ଶାସନ କରୁଛନ୍ତି, ମିଛକୁ ସତ ମନେ କରାଯାଉଛି, ନ୍ୟାୟାଳୟର ଭୂମିକା ବିବାଦୀୟ ହୋଇଯିବା, ଧର୍ମଗୁରୁମାନଙ୍କ ମଧ୍ୟରୁ ଅଧିକାଂଶ ଜେଲ୍ରେ ଓ ଯେଉଁମାନେ ବାହାରେ ଅଛନ୍ତି ସେମାନଙ୍କ ମଧ୍ୟରୁ କେତେକ ଅନ୍ୟମାନଙ୍କ ମା', ଭଉଣୀ ଓ ଝିଅଙ୍କ ବିଷୟରେ ଏପରି ଭାଷା ପ୍ରୟୋଗ କରୁଛନ୍ତି ସତେଯେପରି ସେମାନଙ୍କ କୌଣସି ମା' ନାହାନ୍ତି, ଉଭୟ ବାପା ଥିଲେ । ଦେଶରେ ଏଭଳି ସ୍ଥିତିରେ ଯେଉଁମାନେ ଦୀର୍ଘଜୀବୀ ରହୁଛନ୍ତି ସେମାନେ ପ୍ରକୃତରେ ମହାନ୍ ।
ମହାତ୍ମା ଗାନ୍ଧୀ କହୁଥିବେ ଏ ଭାରତ ମୁଁ ବନାଇନାହିଁ । ଯେଉଁ ରାଷ୍ଟ୍ର ଏପରି, ସେହି ରାଷ୍ଟ୍ରର ରାଷ୍ଟ୍ରପିତା ହେବା ମୋ ପାଇଁ ଏକ ଦଣ୍ଡ । ବିଶ୍ୱବାସୀ ନିଶ୍ଚୟ ଭାବୁଥିବେ ଯେ ଯେଉଁ ରାଷ୍ଟ୍ର ଏୟା, ସେ ଦେଶର ରାଷ୍ଟ୍ରପିତା କେମିତି ହୋଇଥିବେ? ଲଜ୍ଜା ଲାଗୁଛି ରାଷ୍ଟ୍ରପିତା ହୋଇ । ଭାରତବାସୀ ପ୍ରତିବର୍ଷ ୨ ଅକ୍ଟୋବରକୁ ମୋର ଜନ୍ମଦିନ ଭାବେ ଧୁମ୍ଧାମ ଭାବେ ପାଳନ କରୁଛନ୍ତି, ଯାହା ମୋତେ ଆଦୌ ଭଲ ଲାଗୁନି । ମୁଁ ଚାହେଁ ସେମାନେ ମୋର ଜନ୍ମଦିନ ପାଳନ ନକରି ମୋର କେବଳ ଶ୍ରାଦ୍ଧ ଦିବସକୁ ପାଳନ କଲେ ତାହା ମୋ ପାଇଁ ଭଲ ହୁଅନ୍ତା ।
ପରଲୋକରେ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷମାନଙ୍କ ମଧ୍ୟରେ କଳ୍ପିତ ଏହି ବାର୍ତ୍ତାଳାପ ଭାରତର ସାଂପ୍ରତିକ କାହାଣୀକୁ ଜୀବନ୍ତ ଭାବେ ବଖାଣୁଛି । ସତ୍ୟ, ଅହିଂସାକୁ ପାଥେୟ କରି ୧୯୪୭ରେ ଆମକୁ ଯେତେବେଳେ ସ୍ୱାଧୀନତା ମିଳିଗଲା ବିଶ୍ୱବାସୀ ଚକିତ ହୋଇଯାଇଥିଲେ ଓ ଆମ ଲୋକେ ସେତେବେଳେ ଗର୍ବର ସହିତ ଗାଉଥିଲେ "ୟୁଁ୍ୟ ଦି ହମେ ଆଜାଦୀ, କି ଦୁନିଆ ହୁଇ ହୈରାନ' । କିନ୍ତୁ ଏଇ ୭୭ବର୍ଷ ମଧ୍ୟରେ ଦେଶରେ ଯାହାକିଛି ଘଟିଗଲା ବିଶ୍ୱବାସୀ ଆଶ୍ଚର୍ଯ୍ୟ ହୋଇ କହୁଛନ୍ତି ଭାରତ ସ୍ୱାଧୀନତା ପାଇଲା କେମିତି ଓ କାହିଁକି? ଦେଶବାସୀ ଦୁଃଖ ଓ ନୈରାଶ୍ୟରେ ଗାଉଛନ୍ତି "କୁଁ୍ୟ ଦି ହମେ ଆଜାଦୀ, କି ଦୁନିଆଁ ହୁଇ ହୈରାନ୍’