ଭୁବନେଶ୍ୱର ୦୯/୦୧: ଗୁରୁବାର ହଂସିକା ଏବଂ ଅନିଲ ଦିନିକିଆ ରିମାଣ୍ଡରେ ନେଲା ସ୍ପେଶାଲ କ୍ରାଇମ ୟୁନିଟ। ଝାରପଡ଼ା ଜେଲରୁ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତରୀ ଯାଞ୍ଚ ପରେ ଉଭୟଙ୍କୁ ଠକେଇ ମାମଲାର ଖୋଳତାଡ଼ କରିବାକୁ ରିମାଣ୍ଡରେ ନେଇଛି କ୍ରାଇମ୍ ୟୁନିଟ୍। କ୍ୟାପିଟାଲ ହସ୍ପିଟାଲରୁ ବାହାରିବା ବେଳେ ହଂସକା କାନ୍ଦି କାନ୍ଦି ବାହାରୁ ଥିବାର ଦେଖିବାକୁ ମିଳିଥିଲା । ସେଠାରେ ହାତ ଯୋଡ଼ି କହିଲେ ମୋତେ ଫସାଇ ଦିଆଯାଇଛି। ପୋଲିସ ଆଗରେ ସବୁ ସତ କହିବି। ତଦନ୍ତରେ ସହଯୋଗ କରିବି। ସବୁ ଗୁମର ଖୋଲିବି।

ସ୍ପେଶାଲ କ୍ରାଇମ ୟୁନିଟ ୩  ଦିନ ରିମାଣ୍ଡ ଆବେଦନ କରିଥିଲା । କୋର୍ଟ  ଗୋଟିଏ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି ।  ଗୁରୁବାର ଦିନ ସକାଳ ୧୦ଟା ବେଳେ ଜେଲରୁ ଆଣି ଜେରା ପରେ ଶୁକ୍ରବାର  ଦିନ ୧୦ଟାବେଳେ ଛାଡ଼ିବା ଏହି ସମୟ ଭିତରେ କ୍ରାଇମବ୍ରଞ୍ଚ ଟିମ ଉଭୟ  ଜେରା କରିବ। ଏହା  ପରେ ଆବଶ୍ୟକ ପଡିଲେ ଆଉ ଥିରେ ରିମାଣ୍ଡ ଆବେଦନ କରିପାରେ ବୋଲି ସୂଚନା ମିଳିଛି।

ସେପଟେ ଆୟକର ବିଭାଗ (ଆଇଟି)  ପକ୍ଷରୁ ଆରମ୍ଭ ହୋଇଥିବା ଚଢ଼ଉ  ତୃତୀୟ ଦିନରେ ପହଞ୍ଚିଛି । ଗୁରୁବାର ହଂସିକାଙ୍କ ଶ୍ବଶୁର ତଥା ବରିଷ୍ଠ କଂଗ୍ରେସ ନେତା ସିମାଞ୍ଚଳ ଆଚାର୍ଯ୍ୟଙ୍କ ଘରେ ରେଡ୍ କରାଯାଇଛି।  ଏହି ଚଢାଉ ସମୟରେ ଆୟକର ଟିମ୍‌କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ମିଳିଥିବା ସୂଚନା ମିଳିଛି । ତେବେ ଜବତ ହୋଇଥିବା ଦସ୍ତାବିଜରେ ଅନେକ ତଥ୍ୟ ରହିଛି । ଯାହାକି ଆଗାମୀ ଦିନରେ ହଂସିକାଙ୍କୁ ଜେରା ସମୟରେ ଆୟକର ଟିମ୍‌ ସହାୟତା ହେବ ବୋଲି ଆଶା କରାଯାଉଛି । 

ବୁଧବାର  ଦିନ ଆୟକର ବିଭାଗ ହଂସିକାଙ୍କ ଦ୍ୱିତୀୟ  ସ୍ୱାମୀଙ୍କ ଘରେ ଚଢ଼ଉ କରିଛି । ଚଢ଼ଉ  ସମୟରେ ଏକାଧିକ ପେନ୍‌ଡ୍ରାଇଭ୍‌ ଓ  କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ  ହୋଇଛି । ମଙ୍ଗଳବାର ଆଇଟି  ପକ୍ଷରୁ ହଂସିକା ଓ ଅନିଲ୍‌ଙ୍କ ଫ୍ଲାଟ୍‌,  ନୂଆପଲ୍ଲୀ ଘର, ଦିଲ୍ଲୀରେ ଥିବା ଢାବା, ଝାଡ଼ଖଣ୍ଡରେ ଥିବା ହଂସିକାଙ୍କ ଅଫିସ୍‌,  ରଘୁନାଥପୁରରେ ଥିବା ଅନିଲ୍‌ଙ୍କ ଅଫିସ୍‌  ସହ ୧୨ଟି ସ୍ଥାନରେ ଚଢ଼ଉ କରିଥିଲା  ଆୟକର ବିଭାଗ । ଚଢ଼ଉ ସମୟରେ କୋଟି କୋଟି ଟଙ୍କା କାରବାର ସମ୍ପର୍କିତ  କାଗଜପତ୍ର ଜବତ କରାଯାଇଥିଲା ।  ରଘୁନାଥପୁର ଜେଡ୍‌ରେ ହଂସିକାଙ୍କ  ଦ୍ୱିତୀୟ ସ୍ୱାମୀ ସରୋଜ ସାହୁ ରହୁଥିବା  ଫ୍ଲାଟ୍‌କୁ ମଙ୍ଗଳବାର ଦିନ ଆୟକର  ବିଭାଗ ଯାଇଥିଲା । ହେଲେ ରୁମ୍‌ ଲକ୍‌  ଥିବାରୁ ଟିମ୍‌ ଫେରି ଆସିଥିଲା ।

ସୂଚନାଯୋଗ୍ୟ ମନୋଜ ୨୦୧୯  ସାଧାରଣ ନିର୍ବାଚନରେ କନ୍ଧମାଳ  ଲୋକସଭା ଆସନ ପାଇଁ କଂଗ୍ରେସରୁ  ପ୍ରାର୍ଥୀ ହୋଇଥିଲେ । ୨୦୨୦ ମସିହାରେ  ମନୋଜ ହଂସିକାଙ୍କୁ ବିବାହ କରିଥିଲେ ।  ଭୁବନେଶ୍ୱର ଠାରେ ସେମାନଙ୍କ ବିବାହ  ଭୋଜି ଆୟୋଜିତ ହୋଇଥିଲା । ତେବେ  ବିବାହର ଏକ ବର୍ଷ ପର ଠାରୁ ହଂସିକା  ସହିତ ମନୋଜଙ୍କ ଆଉ କୌଣସି  ସମ୍ପର୍କ ନଥିବା କହିଛନ୍ତି ପରିବାର  ଲୋକେ । ମନୋଜ ବହୁ ସମୟରେ  ମାନସିକ ଚାପରେ ରହୁଥିବା ବେଳେ  ସେ ଠକେଇର ମଧ୍ୟ ଶିକାର ହୋଇଥିବା  ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ହାଇ-ପ୍ରୋଫାଇଲ୍‌ ଠକେଇ  ମାମଲାର ଚେର କେତେ ଲମ୍ବିଛି, କେଉଁ  କେଉଁମାନେ ହଂସିକା ଜାଲରେ ପଡିଛନ୍ତି,  ଧିରେ ଧିରେ ତା’ର ଗୁମର ଫିଟୁଛି ।