ପୁରୀ,୧୯।୧୨ :  ଆସନ୍ତା ନୂଆବର୍ଷରୁ ଶ୍ରୀମନ୍ଦିରରେ ଆରମ୍ଭ ହେବାକୁ ଯାଉଛି ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା। ନାଟମଣ୍ଡପରେ ଭକ୍ତମାନେ ଅସ୍ଥାୟୀ ବ୍ୟାରିକେଡ଼ ଦେଇ ଧାଡ଼ିରେ ଦର୍ଶନ କରିବେ। ଏହାକୁ କାର୍ଯ୍ୟକାରୀ କରାଯିବା ପରେ ପରବର୍ତ୍ତୀ ସମୟରେ ଯାହା ତ୍ରୁଟି ବିଚ୍ୟୁତି‌ ଥିବ ତାହାକୁ ସମୀକ୍ଷା କରାଯାଇ ଦୂର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ସେପଟେ ଶ୍ରୀମନ୍ଦିରରେ ଶୃଙ୍ଖଳା ଆଣିବା ପାଇଁ ଆହୁରି ଅନେକ କିଛି ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି। 

 ଶ୍ରୀମନ୍ଦିର ନାଟମଣ୍ଡପରେ ଅସ୍ଥାୟୀ ବ୍ୟାରିକେଡ଼ କରାଯାଇ ମହିଳା, ଶିଶୁ ଓ ବୟସ୍କ ବ୍ୟକ୍ତି ମାନଙ୍କୁ ଏକ ସ୍ବତନ୍ତ୍ର ଲାଇନ୍ ରେ ଏବଂ ଅନ୍ୟ ଭକ୍ତମାନଙ୍କୁ ସ୍ବତନ୍ତ୍ର ଧାଡ଼ିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଛଡାଯିବ।‌ ସେହିପରି ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ପାଇଁ ସେବାୟତଙ୍କ ସହ ଆଲୋଚନା କରାଯାଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ। ଓବିସିସି ପକ୍ଷରୁ ଏହି ଦାୟିତ୍ବ ନିଆଯାଇଥିବା ବେଳେ ଆସନ୍ତା ଇଂରାଜୀ ନବବର୍ଷ ରୁ ଏହି ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ନେଇ ଲକ୍ଷ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ଏହାକୁ ଲାଗୁ କରାଯିବା ପରେ ଯାହା ତ୍ରୁଟି ବିଚ୍ୟୁତି‌ ଆସିବ ତାହାକୁ ସମୀକ୍ଷା କରାଯାଇ ଆହୁରି ଶୃଙ୍ଖଳିତ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। 

 ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସହ ଆନନ୍ଦ ବଜାରରେ ମଧ୍ୟ ଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ। ମହାପ୍ରସାଦ ବିକ୍ରି କରୁଥିବା ସୁଆର ମହାସୁଆର ମାନଙ୍କ ସହାୟକ ମାନଙ୍କୁ ସ୍ବତନ୍ତ୍ର ଡ୍ରେସ୍ କୋଡ ଏବଂ ପରିଚୟପତ୍ର ପ୍ରଦାନ କରାଯିବ। ସେହିପରି ଶ୍ରୀମନ୍ଦିର ଭିତରେ ଯେଉଁ ସେବାୟତ ବିଶୃଙ୍ଖଳା କରିବେ ସେମାନଙ୍କ ବିରୋଧରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମନ୍ଦିର ଭିତରେ ଯେଉଁଠାରେ ବେଆଇନ୍ ଭାବେ ଥାଳି ପକାଯାଇ ଦକ୍ଷିଣା ଆଦାୟ ହେଉଛି ତା'କୁ ମଧ୍ୟ ଖୁବଶୀଘ୍ର ବନ୍ଦ କରାଯିବ। ଆଗାମୀ ଦିନରେ ଭକ୍ତମାନେ ଯେଭଳି ଶାନ୍ତି ଶୃଙ୍ଖଳାରେ ଏକ ଭଲ ଅନୁଭୂତି ନେଇ ମହାପ୍ରଭୁଙ୍କ ଦର୍ଶନ କରି ଶ୍ରୀମନ୍ଦିରରୁ ଫେରିବେ ସେ ଦିଗରେ ସମସ୍ତ ପଦକ୍ଷେପ ନିଆଯାଉଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। 

 ଶ୍ରୀମନ୍ଦିରକୁ ଦିନକୁ ଦିନ ଭକ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ କୌଣସି ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ନଥିବାରୁ ମହାପ୍ରଭୁଙ୍କୁ ଦର୍ଶନ କରିବାରେ ଭକ୍ତମାନେ ପ୍ରବଳ ହଇରାଣ ହେଉଛନ୍ତି। ବିଶେଷ କରି ମହିଳା, ଛୋଟପିଲା ଓ ବୟସ୍କ ବ୍ୟକ୍ତି ଅନେକ ସମୟରେ ତଳେ ପଡିଯାଇ ଆହତ ହେଉଥିବା ବେଳେ ଅନେକ ସମୟରେ ଅପ୍ରିତୀକର ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି।