ନୂଆଦିଲ୍ଲୀ, ୧୦/୧୧ : ମଝି ଆକାଶରେ ଟଳିଲା ବଡ଼ ବିପଦ। ଉଡ଼ାଣ ବେଳେ ଫେଲ୍ ହୋଇଗଲା ସ୍ପାଇସ୍ ଜେଟ୍ ବିମାନର ଇଞ୍ଜିନ୍। କୋଲକାତାରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ପ୍ଲେନ୍। ଅଳ୍ପକେ ବର୍ତ୍ତିଲେ ବିମାନ ଯାତ୍ରୀ।
ସୂଚନାନୁଯାୟୀ, ରବିବାର ରାତିରେ ମୁମ୍ବାଇରୁ କୋଲକାତା ଆସୁଥିବା ସ୍ପାଇସ୍ଜେଟ୍ର SG670 ବିମାନର ଇଞ୍ଜିନ୍ ମଝି ଆକାଶରେ ଖରାପ ହୋଇଯାଇଥିଲା। ଏନେଇ ପାଇଲଟ୍ କୋଲକାତା ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ସୂଚନା ଦେଇଥିଲେ। ଅନୁମତି ମିଳିବା ପରେ କୋଲକାତା ବିମାନବନ୍ଦରରେ ପ୍ଲେନ୍ ଜରୁରୀ ଅବତରଣ କରିଛି। ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ଵର ସୁରକ୍ଷିତ ଅଛନ୍ତି। ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ବର୍ତ୍ତି ଯାଇଛି। ବିମାନର ଜରୁରୀ ଅବତରଣ ବେଳେ କୌଣସି ପ୍ରକାରର ଅଘଟଣ ଏଡ଼ାଇବାକୁ ଏୟାରପୋର୍ଟରେ ଦମକଳ ବାହିନୀ ଓ ମେଡିକାଲ ଟିମ୍ ନିୟୋଜିତ କରାଯାଇଥିଲା। ତେବେ ବମାନର ଇଞ୍ଜିନ୍ କେମିତି ଫେଲ୍ ହେଲା ତାହା ଅସ୍ପଷ୍ଟ ରହିଛି। ପ୍ଲେନ୍ ଲ୍ୟାଣ୍ଡ୍ କରିବା ପରେ ଟେକ୍ନିକାଲ୍ ଟିମ୍ ଯାଞ୍ଚ ଆରମ୍ଭ କରିଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପ୍ଲେନ୍ଟି ଖୁବ୍ କମ୍ ଉଚ୍ଚତାରେ ଉଡୁଥିଲା । ଲ୍ୟାଣ୍ଡିଂ ପାଇଁ ଏହା ସଙ୍ଘର୍ଷ କରୁଥିଲା । ଏଥିରୁ କିଛି ତ୍ରୁଟି ଥିବା ସେମାନେ ଆଶଙ୍କା କରୁଥିଲେ। ସୌଭାଗ୍ୟବଶତଃ ବିମାନଟି ଗୋଟିଏ ଇଞ୍ଜିନରେ ସେଫ୍ ଲ୍ୟାଣ୍ଡିଂ କରିଛି।