ମୁମ୍ବାଇ,୦୪/୦୩: ଆଉ ନାହାନ୍ତି ମହାନ୍ କ୍ରିକେଟର ପଦ୍ମାକର ଶିବଲକର । ମୁମ୍ବାଇର ପ୍ରସିଦ୍ଧ ବାମହାତୀ ସ୍ପିନର ପଦ୍ମାକର ଶିବଲକରଙ୍କର ସୋମବାର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ତାଙ୍କର ୨୬ ବର୍ଷ କ୍ରିକେଟ କ୍ୟାରିୟର ମଧ୍ୟରେ ସେ ୧୨୪ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୫୮୯ଟି ୱିକେଟ ଅକ୍ତିଆର କରିଥିଲେ । ତାଙ୍କ ବିୟୋଗ କ୍ରିକେଟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।

୧୯୬୧/୬୨ ସିଜନର ସେ ମୁମ୍ବାଇ ପକ୍ଷରୁ ରଣଜୀ ଟ୍ରଫିରେ ପଦାର୍ପଣ କରିଥିଲେ । ୧୯୮୭/୮୮ ସିଜନ ଖେଳି ୪୮ ବର୍ଷ ବୟସରେ ସେ ଅବସର ନେଇଥିଲେ । ଅବସର ପରେ ସ୍ପିନ ବୋଲିଂ କୋଚ୍ ଭାବେ କାର୍ଯ୍ୟ କରିଥିଲେ । ପରେ ମୁମ୍ବାଇ କ୍ରିକେଟ ଚୟନ କମିଟି ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । କେବଳ ରଣଜୀ ଟ୍ରଫିରେ ସେ ୩୬୧ଟି ୱିକେଟ ନେଇଛନ୍ତି । କ୍ରିକେଟ କ୍ୟାରିୟରରେ ସେ ୬୦୫ ୱିକେଟ ନେଇ ବି ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳି ନଥିଲା । ୨୨ ବର୍ଷ ବୟସରେ ରଣଜୀରେ ପଦାର୍ପଣ କରିଥିଲେ । ୪୮ ବର୍ଷ ଯାଏ ରଣଜୀ ଖେଳିବା ଜାରି ରଖିଥିଲେ । ଶିବଲକର ୧୨ଟି ଲିଷ୍ଟ ଏ ମ୍ୟାଚ ଖେଳି ୧୬ଟି ୱିକେଟ ନେଇଥିଲେ । ଘରୋଇ କ୍ରିକେଟରେ ଅନନ୍ୟ ସଫଳତା ସତ୍ତ୍ବେ ସେ ଭାରତ ପକ୍ଷରୁ ଟେଷ୍ଟ ଖେଳିବାକୁ ସୁଯୋଗ ପାଇ ନଥିଲେ । 

ପଦ୍ମାକରଙ୍କ ନିଧନରେ ମୁମ୍ବାଇ କ୍ରିକେଟ ସଂଘ (ଏମସିଏ) ଅଧ୍ୟକ୍ଷ ଅଜିଙ୍କ୍ୟ ନାଇକ କହିଛନ୍ତି, ''ମୁମ୍ବାଇ କ୍ରିକେଟ ଆଜି ଜଣେ ସଚ୍ଚୋଟ କିମ୍ବଦନ୍ତୀ କ୍ରିକେଟରଙ୍କୁ ହରାଇଛି । ପଦ୍ମାକର ଶିବଲକର ସାରଙ୍କ ଖେଳରେ ଯୋଗଦାନ ବିଶେଷ କରି ସେ ଜଣେ ମହାନ ସ୍ପିନରଙ୍କ ମଧ୍ୟରେ ଜଣେ ଥିଲେ ।''

ଅଧିକ ପଢନ୍ତୁ...Rohit Sharma: ରୋହିତ ଶର୍ମାଙ୍କୁ ‘ମୋଟା ଓ ଅଯୋଗ୍ୟ ଅଧିନାୟକ’ କହି ବିବାଦରେ ଫସିଥିବା ଶମା ମହମ୍ମଦ କିଏ ?

ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛି ବିସିସିଆଇ । ସୋସିଆଲ ମିଡିଆ ଏକ୍ସରେ ଜୀବନ ବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ ସମୟର ଏକ ଭିଡିଓ ସେୟାର କରି ଶ୍ରଦ୍ଧାଞ୍ଜଳି ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ୨୦୧୭ରେ ତାଙ୍କୁ ବିସିସିଆଇ ସିକେ ନାୟୁଡୁ ଜୀବନ ବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ କରିଥିଲା ।