ମୁମ୍ଵାଇ, ୦୩/୧୧ : ମହିଳା ବିଶ୍ଵକପ୍ ଇତିହାସରେ ଭାରତର ଦୀର୍ଘ ୫୨ ବର୍ଷର ବିଜୟ ମରୁଡ଼ିରେ ବ୍ରେକ୍... ବହୁ ପତୀକ୍ଷାର ଅନ୍ତ ଘଟାଇ ୫୨ ରନ୍‌ରେ ବିଶ୍ଵ ବିଜୟୀ ହେଲେ ଭାରତୀୟ ନାରୀ।  ୧୯୮୩ ମସିହାର କପିଲ ଦେବଙ୍କ ପୁରୁଷ କ୍ରିକେଟ୍ ଦଳର ଐତିହାସିକ ବିଶ୍ଵକପ୍ ଭଳି ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ବିଶ୍ଵ ମୁକୁଟ ପିନ୍ଧି କ୍ରିକେଟ୍ ଜଗତରେ ନୂଆ ଫର୍ଦ୍ଦ ଯୋଡ଼ିଛି। ଯାହାକି ଭାରତ ପାଇଁ ଆଣିଛି ଗର୍ବ ଓ ଗୌରବ । ତେବେ ମହିଳା କ୍ରିକେଟ୍ ପାଇଁ ଏହା ପ୍ରଥମ ଟାଇଟଲ୍ ଥିବା ବେଳେ ପୁରୁଷ ଟିମ୍ କିନ୍ତୁ ଏ କ୍ଷେତ୍ରରେ ଗୋଟିଏ ପାଦ ଆଗରେ ରହିଛି। ଆସନ୍ତୁ ଜାଣିବା କେବେ ଓ କାହା ନେତୃତ୍ୱରେ ଭାରତୀୟ ଟିମ୍ ଜିତିଛି ବିଶ୍ବକପ୍...

​​​​​​​

୧୯୮୩ ମସିହାରେ ପ୍ରଥମ ଥର ପାଇଁ ଭାରତର ବିଜୟ ଯାତ୍ରା ଆରମ୍ଭ ହୋଇଥିଲା। କପିଳ ଦେବଙ୍କ ପୁରୁଷ କ୍ରିକେଟ୍ ଟିମ୍ ଦୁଇ ଥରର ଚମ୍ପିଆନ୍ ୱେଷ୍ଟଇଣ୍ଡିଜ୍‌କୁ ହରାଇ ଇଂଲଣ୍ଡରେ ବିଶ୍ଵକପ୍ ଜିତିଥିଲା। 

ଏହାର ୨୮ ବର୍ଷ ପରେ ମହେନ୍ଦ୍ର ସିଂ ଧୋନୀଙ୍କ ଟିମ୍ ଘରୋଇ ମଇଦାନରେ ୨୭୫ ରନ୍‌ର ଟାର୍ଗେଟ୍‌କୁ ନେଇ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଯାହାକି ଭାରତ ପାଇଁ ବଡ଼ ବିଜୟ ଥିଲା। ପୁରୁଷ ଟିମ୍‌ର ଏହା ଦ୍ଵିତୀୟ ବିଶ୍ଵକପ୍ ବିଜୟ ଥିଲା। ଏହା ପୂର୍ବରୁ ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୦୭ ଟି୨୦ ବିଶ୍ବକପ୍ ଚାମ୍ପିଅନ୍ ହୋଇଥିଲା । 

ଆଇସିସି ୫୦ ଓଭର ବିଶିଷ୍ଟ ବିଶ୍ୱକପ୍‌କୁ "କ୍ରିକେଟ୍ ବିଶ୍ୱକପ୍" ବୋଲି କହିଥାଏ । କାରଣ ଏହା କ୍ରିକେଟ୍‌ର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ। ୨୦୦୭ ମସିହାରେ ଟି-ଟ୍ଵେଣ୍ଟି ବିଶ୍ବକପ୍ ଆରମ୍ଭ ହୋଇଥିଲା। ଖୁବ୍ କମ୍ ଦିନରେ ଏହା ସବୁଠୁ ଲୋକପ୍ରିୟ ଫର୍ମାଟ୍ ପାଲଟିଥିଲା। ସବୁଠୁ ବଡ଼ କଥା ହେଉଛି ଯେ, ଭାରତ ପ୍ରଥମ ସଂସ୍କରଣରେ ବିଜୟୀ ହୋଇଥିଲା, ଫାଇନାଲ୍‌ରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାତ୍ର ପାଞ୍ଚ ରନ୍‌ରେ ପରାସ୍ତ କରିଥିଲା ଧୋନୀ ସେନା ।

ଏହାର ୧୭ ବର୍ଷ ପରେ ରୋହିତ ଶର୍ମାଙ୍କ ଟିମ୍ ପୁଣି ଥରେ କମାଲ୍ କରିଥିଲା। ଦ୍ଵିତୀୟ ପୁରୁଷ ଟି-ଟ୍ଵେଣ୍ଟି ବିଶ୍ଵ କପ୍ ଜିତି ଭାରତର ୧୩ ବର୍ଷର ବିଜୟ ମରୁଡ଼ିରେ ବ୍ରେକ୍ ଲଗାଇଥିଲା। ବାରବାଡୋସ୍‌ରେ ହୋଇଥିବା ଫାଇନାଲ୍‌ରେ ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ବିଜୟ ମୁକୁଟ ପିନ୍ଧିଥିଲା।

​​​​​​​