ପୁରୀ, ୧୨/୦୪: ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ବିମାନବନ୍ଦର ପ୍ରତିଷ୍ଠା ନିମନ୍ତେ  ଆବଶ୍ୟକ ବେସରକାରୀ ଜମି ଅଧିଗ୍ରହଣ  ନିମନ୍ତେ ଦ୍ୱିତୀୟ ତଥା ଚୂଡ଼ାନ୍ତ ଜନଶୁଣାଣି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଷଣ୍ଢପୁର  ମୌଜା ନିମନ୍ତେ ଗୋରୁଆଳ ପଞ୍ଚାୟତର  ଷଣ୍ଢପୁର ମଙ୍ଗଳାମଣ୍ଡପ ନିକଟରେ ଜନଶୁଣାଣି  ହୋଇଥିଲା । ଏଠାରେ ୨୫ ଲିଖିତ ଅଭିଯୋଗ  ଓ ୧୮ ମୌଖିକ ମତାମତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶରତ ଚନ୍ଦ୍ର ବେହେରାଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣିରେ  ଉପଜିଲ୍ଲାପାଳ, ଜମି ଅଧିଗ୍ରହଣ ଅଧିକାରୀ  ପ୍ରମୁଖ ଯୋଗଦେଇଥିଲେ । ଜମି ଅଧିଗ୍ରହଣ  ନିମନ୍ତେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା  କ୍ଷତିପୂରଣ ରାଶି(ଚିଠା ପ୍ରସ୍ତାବ) ନିଷ୍ପତ୍ତିକୁ  ଅନେକ ବିରୋଧ କରିଥିଲେ । କିଛି ଲୋକ  ୪ରୁ ୫ ଗୁଣା ଅଧିକ କ୍ଷତିପୂରଣ ପାଇବାକୁ  ଦାବି କରିଥିବା ବେଳେ କିଛି ଉଚିତ୍‌ କ୍ଷତିପୂରଣ  ଦାବି ରଖିଥିଲେ । 

ଜମି ଅଧିଗ୍ରହଣ ନିମନ୍ତେ  ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା  ଚିଠା ପ୍ରସ୍ତାବ ମୁତାବକ ଦିଆଯାଉଥିବା  କ୍ଷତିପୂରଣକୁ ବିରୋଧ କରାଯାଇଥିବାରୁ  ଏବାବଦରେ ସରକାରଙ୍କୁ ଜିଲ୍ଲା ପ୍ରଶାସନ  ଜଣାଇବ । ସରକାରଙ୍କ ନିଷ୍ପତ୍ତିକ୍ରମେ କ୍ଷତିପୂରଣ  ଦିଆଯାଇ ଜମି ଅଧିଗ୍ରହଣ କରାଯିବ । ସରକାରୀ ନିୟମ ମୁତାବକ ଜନଶୁଣାଣିରେ  ହୋଇଥିବା ଦାବି ନେଇ ଜିଲ୍ଲାପାଳ ଖୁବ୍‌ଶୀଘ୍ର ଆରଡିସିଙ୍କୁ ଜଣାଇବେ ବୋଲି ଜଣାପଡ଼ିଛି । ବ୍ୟକ୍ତିଗତ ଜମି ଉପରେ ସମ୍ପୂର୍ଣ୍ଣ ବିସ୍ଥାପିତ  ହେଉଥିବା ପ୍ରତି ପରିବାର ପାଇଁ ପୁନଃର୍ବାସ  ଏବଂ ଥଇଥାନ ସହାୟତା ପ୍ରଦାନ, ବ୍ୟକ୍ତିଗତ  ଜମି ଉପରେ ଆଂଶିକ ପ୍ରଭାବିତ ହେଉଥିବା  ପ୍ରତି ପରିବାର ପାଇଁ ପୁନର୍ବାସ ଓ ଥଇଥାନ  ସହାୟତା, କୃଷି ଭିତ୍ତିକ ଶ୍ରମିକଙ୍କୁ ସର୍ବନିମ୍ନ  ମଜୁରୀ ସହିତ ଏକକାଳୀନ ସହାୟତା,  ଭଡ଼ାଟିଆ ଏବଂ ଭାଗଚାଷୀଙ୍କୁ ଏକର ପିଛା  ସହାୟତା ରାଶି ପ୍ରଦାନ, ଗୁହାଳ ଓ କ୍ଷୁଦ୍ର  ଦୋକାନ ପାଇଁ ପ୍ରଭାବିତ ପରିବାରଙ୍କୁ  ଏକକାଳୀନ ସହାୟତା ଦେବା ନିମନ୍ତେ  ଥିବା ଚିଠା ପ୍ରସ୍ତାବ ନେଇ ଜନଶୁଣାଣିରେ  ଲୋକଙ୍କୁ ଅବଗତ କରାଯାଇଥିଲା । 

ଚିଠା  ପ୍ରସ୍ତାବ ମୁତାବକ ବିମାନବନ୍ଦର ନିମନ୍ତେ ଜମି  ଅଧିଗ୍ରହଣ ହେଲେ ସିପସରୁବାଲି ଓ ଷଣ୍ଢପୁର  ମୌଜାରୁ ମୋଟ ପ୍ରାୟ ୧୨୩ ଜଣ ପ୍ରଭାବିତ  ହେବେ । ଯାହା ଭିତରେ ଷଣ୍ଢପୁର ମୌଜାର  ୭୮ ଜଣ ରହିଛନ୍ତି । ଯେତେବେଳେ କି ମୋଟ  ୬ ଜଣ ବିସ୍ଥାପିତ ହେଉଛନ୍ତି । ବିସ୍ଥାପିତଙ୍କୁ  ପୁନର୍ବାସ ଓ ଥଇଥାନ ସହାୟତା ପ୍ରାୟ ୬୫  ଲକ୍ଷ, ପ୍ରଭାବିତ ହେଉଥିବା ପରିବାରଙ୍କୁ ପ୍ରାୟ  ୭ କୋଟି, ଭାଗ ଚାଷୀ ଓ ଭଡ଼ାଟିଆଙ୍କୁ ପ୍ରାୟ  ୧୫ ଲକ୍ଷ, ଗୁହାଳ ଓ କ୍ଷୁଦ୍ର ଦୋକାନ ପ୍ରଭାବିତ  ପରିବାରଙ୍କୁ ପ୍ରାୟ ୭୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଚିଠା ସହାୟତା ଆକଳନ ହୋଇଛି ।  ପ୍ରକଳ୍ପ ହେଲେ ଏହି ମୌଜାର ୩୮ ପରିବାର  ପ୍ରଭାବିତ ହେଲେ । ଯେତେବେଳେ କି ଏହି ପ୍ରକଳ୍ପ ଯୋଗୁ ଉଭୟ ମୌଜାର ପ୍ରାୟ ୨୦ ପରିବାର ପରୋକ୍ଷ ଭାବେ ପ୍ରଭାବିତ ହେଉଥିବା  ପ୍ରଶାସନିକ ସର୍ଭେରୁ ଜଣାପଡ଼ିଛି ।