ନୂଆଦିଲ୍ଲୀ,୧୫/୧୧: ଶ୍ରୀଲଙ୍କାରେ ଗୁରୁବାର ହୋଇଥିବା ସଂସଦୀୟ ନିର୍ବାଚନ ପାଇଁ ହୋଇଥିବା ମତଦାନର ଫଳାଫଳ ପ୍ରକାଶ ପାଇଛି। ଶ୍ରୀଲଙ୍କାର ନିର୍ବାଚନ ଆୟୋଗ ଦ୍ବାରା ଘୋଷିତ ସରକାରୀ ଫଳାଫଳ ଅନୁଯାୟୀ ରାଷ୍ଟ୍ରପତି ଅନୁରା କୁମାରା ଡିଶାନାୟକେଙ୍କ 'ନାସ୍‌ନାଲ ପିପୁଲ୍ସ ପାଓ୍ବାର' ଦଳ ସଂସଦରେ ବହୁମତ ହାସଲ କରିଛନ୍ତି। ଏନପିପି ୧୨୩ଟି ଆସନ ପାଇଛି। ଅପରାହ୍ନ ୨ ଟା ସୁଦ୍ଧା ଶ୍ରୀଲଙ୍କା ନିର୍ବାଚନ ଆୟୋଗଙ୍କ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ମଲିମାୱା (କମ୍ପାସ୍) ଚିହ୍ନ ମାଧ୍ୟମରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଏନପିପି ୧୨୩ ଟି ସିଟ୍ ଜିତିଥିବାବେଳେ ୧୭୧ ଟି ଆସନ ପାଇଁ ଫଳାଫଳ ଘୋଷଣା କରାଯାଇଛି। ମୋଟ ୧୯୬ ଟି ସିଟ୍ ମଧ୍ୟରୁ ୨୫ ଟି ଆସନର ଫଳାଫଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଜାତୀୟ ସ୍ତରରେ କରାଯାଇଥିବା ମୋଟ ଭୋଟ୍ ଆଧାରରେ ସମସ୍ତ ଦଳ ଆଉ ୨୯ ଟି ସିଟ୍ ପାଇବେ ବୋଲି ଆଶା କରାଯାଉଛି।

ଏନପିପି ୬୮ ଲକ୍ଷ ଭୋଟ୍ କିମ୍ବା ୬୧ ପ୍ରତିଶତ ଭୋଟ୍ ପାଇଛି, ଯାହାକି ଏହାର ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ଅଧିକ ଅଟେ। ଦଳ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଆଗେଇ ଆସୁଛି କାରଣ ଏହା ୨୯ ଟି ଆସନରୁ ଅଧିକ ପାଇବ ବୋଲି ଆଶା କରାଯାଉଛି ଯାହାଦ୍ବାରା ୨୨୫ ସଦସ୍ୟ ବିଶିଷ୍ଟ ଗୃହରେ ଏନ୍‌ପିପି ୧୫୦ ଟି ସିଟ୍ ସହିତ ପୂର୍ଣ୍ଣ ବହୂମତ ହାସଲ କରିବ। ୨୧ ସେପ୍ଟେମ୍ବର ୨୦୨୪ ରେ ଶ୍ରୀଲଙ୍କାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଅନୁରା ଦିସାନାୟକେ ଜିତିଥିଲେ ମଧ୍ୟ ସେ ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇବାରେ ସଫଳ ହୋଇନଥିଲେ। ଏହା ପରେ, ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ମାତ୍ରେ ଦିସାନାୟକେ ସଂସଦ ଭଙ୍ଗ କରି ନଭେମ୍ବରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ନିର୍ବାଚନରୁ ଦୁରେଇ ରହିଛନ୍ତି ଅନେକ ହେଭିଓ୍ବେଟ: 

ଏହି ନିର୍ବାଚନରେ ଶ୍ରୀଲଙ୍କାର ୨୨ ଟି ନିର୍ବାଚନ ମଣ୍ଡଳୀରେ ୬୯୦ ରାଜନୈତିକ ଦଳ ଏବଂ ସ୍ବାଧୀନ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେପ୍ଟେମ୍ବରରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଦିସାନାୟକେଙ୍କ ଠାରୁ ହାାରିଥିବା ପୂର୍ବତନ ରାଷ୍ଟ୍ରପତି ବିକ୍ରମାସିଂହେ ୧୯୭୭ ପରଠାରୁ ପ୍ରଥମ ଥର ପାଇଁ ସଂସଦୀୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିନଥିଲେ। ମହିନ୍ଦା, ଗୋଟାବାୟା, ଚାମଲ ଏବଂ ବାସିଲ ରାଜପକ୍ଷ ମଧ୍ୟ ଏଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିନାହାଁନ୍ତି। ଶ୍ରୀଲଙ୍କା ଅର୍ଥନୈତିକ ସଙ୍କଟରେ ପଡ଼ିବା ପରେ ଏହା ପ୍ରଥମ ସଂସଦୀୟ ନିର୍ବାଚନ ଥିଲା। ପ୍ରାୟ ଗୃହଯୁଦ୍ଧ ପରି ପରିସ୍ଥିତି ଏବଂ ମାସ ମାସର ଜନ ବିରୋଧ ସେତେବେଳେ ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ଲୁଚି ପଳାଇବାକୁ ବାଧ୍ୟ କରିଥିଲା।