ନୂଆଦିଲ୍ଲୀ,୧୧।୮: ଭାରତ ଓ ଆମେରିକା ଭିତରେ ଜାରି ରହିଛି ଟାରିଫ୍ ବିବାଦ। ଦୁନିଆର ସବୁ ଦେଶ ସହ ଭାରତର ପଡୋଶୀ ଦେଶରେ ମଧ୍ୟ ଏହି ଚର୍ଚ୍ଚା ଜୋରଦାର ଭାବରେ ଚାଲିଛି। ଭାରତ ଏହି ସମସ୍ୟାରୁ କିଭଳି ବାହାରକୁ ଆସିବ ସେ ନେଇ ଖୁବ୍ ଚର୍ଚ୍ଚା। ଏହା ଭିତରେ ଶ୍ରୀଲଙ୍କାର ସାଂସଦ ହର୍ଷା ଡି ସିଲଭାଙ୍କ ଏକ ବୟାନ ସାମନାକୁ ଆସିଛି। ଯେଉଁଥିରେ ସେ ସଂସଦରେ ଠିଆ ହୋଇ ଶାସକ ପକ୍ଷର ସାଂସଦଙ୍କ ଆଡକୁ ଇଶାରା କରି କହିଛନ୍ତି ଆମେ ଭାରତକୁ ପରିହାସ କରିବା ବଦଳରେ ତାଙ୍କ ସହ ଠିଆ ହେବା ଦରକାର। କାରଣ ଯେତେବେଳେ ଆମେ ସଙ୍କଟରେ ଥିଲୁ, ସେତେବେଳେ ସବୁଠାରୁ ପ୍ରଥମେ ଭାରତ ଆମର ସହାୟତା କରିଥିଲା।

ସୋସିଆଲ ମିଡିଆରେ ଅଫିସିଆଲ ହ୍ୟାଣ୍ଡେଲରେ ଦିଆଯାଇଥିବା ଭିଡିଓରେ ଶ୍ରୀଲଙ୍କା ସଂସଦରେ ଥିବା ସାଂସଦ ହର୍ଷା ଡି ସିଲଭା ନିଜ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଆମକୁ ଟ୍ରମ୍ପଙ୍କ ଟାରିଫ ବିରୋଧରେ ଭାରତର ସାହାସିକତାକୁ ପରିହାସ କରିବା ଉଚିତ ନୁହେଁ। ଯେପରି ସରକାରଙ୍କ ଲୋକ କରୁଛନ୍ତି, ଆମକୁ ହସିବା ଉଚିତ ନୁହେଁ। ଭାରତ ଆମର ପ୍ରକୃତ ବନ୍ଧୁ ଓ ସହଯୋଗୀ। ସବୁଠାରୁ କଠିନ ସମୟରେ ଆମ ସହ ରହିଛି। ଭାରତ ଭଳି ଦେଶର ସାହାସ ପୁରା ଏସିଆକୁ ପ୍ରୋତ୍ସାହିତ କରିଥାଏ।’

ଉଲ୍ଳେଖନୀୟ ଯେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତ ଉପରେ ୨୫% ଟାରିଫ୍ ଘୋଷଣା କରିଥିଲେ। ଏହାପରେ ସେ ରୁଷ ତେଲ କିଣା ପାଇଁ ଭାରତ ଉପରେ ଟାରିଫ୍‌କୁ ଆହୁରି ୨୫% ବଢାଇ ପୁରା ୫୦% କରିଦେଇଥିଲେ। ଭାରତ ପକ୍ଷରୁ ଏହି ନିଷ୍ପତ୍ତିକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲା। ଭାରତ କହିଥିଲା ଆମ ଦେଶର ଲୋକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦିଆଯାଇଛି। ଏହା ସହ ଆମେରିକା ଏବଂ ବହୁ ୟୁରୋପୀୟ ଦେଶକୁ ମଧ୍ୟ ଆଇନା ଦେଖାଇଥିଲା।