ଗୟା, ୧୭/୧୨ : ୩ ଦିନିଆ ଭାରତ ଗସ୍ତରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକ। ଏହି ଅବସରରେ ସେ ମଙ୍ଗଳବାର ବୋଧଗୟା ପରିଭ୍ରମଣ କରିବାକୁ ପହଞ୍ଚିଛନ୍ତି। ମହାବୋଧି ସୋସାଇଟି ତରଫରୁ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ଏହାପରେ ଶ୍ରୀଲଙ୍କା ରାଷ୍ଟ୍ରପତି ମହାବୋଧି ମନ୍ଦିରରେ ପହଞ୍ଚି ଭଗବାନ ବୁଦ୍ଧଙ୍କର ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗୟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।  

ରାଷ୍ଟ୍ରପତି ଦିସାନାୟକଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ହାଇ ଆଲର୍ଟରେ ଅଛନ୍ତି। ବିମାନବନ୍ଦର ଠାରୁ ନେଇ ମହାବୋଧି ମନ୍ଦିର ପର୍ଯ୍ୟନ୍ତ ପୋଲିସ ଛାଉଣି ହୋଇଛନ୍ତି। ରାଷ୍ଟ୍ରପତିଙ୍କ ଆଗମନ ପୂର୍ବରୁ ଏୟାରପୋର୍ଟ ଠାରୁ ନେଇ ବୋଧଗୟା ପର୍ଯ୍ୟନ୍ତ ସଡ଼କ ମାର୍ଗ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ସେହିପରି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଦିନ ସାଢେ ୧୦ଟା ପର୍ଯ୍ୟନ୍ତ ମହାବୋଧି ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। 

ସୂଚନା ଥାଉକି, ଡିସେମ୍ଵର ମାସରେ ବିଭିନ୍ନ ଦେଶର ବୌଦ୍ଧ ଶ୍ରଦ୍ଧାଳୁ ବୋଧଗୟା ଆସନ୍ତି ଏବଂ ଭଗବାନ ବୁଦ୍ଧଙ୍କ ଉପାସନା କରନ୍ତି। ଏହି କ୍ରମରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସେପ୍ଟେମ୍ଵର ମାସରେ କାର୍ଯ୍ୟଭାର ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଯାତ୍ରା। ବୋଧଗୟା ଆସିବା ପୂର୍ବରୁ ଅନୁରା ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପିଏମ୍ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ନେତାଙ୍କ ସହ ସାକ୍ଷାତ କରିଛନ୍ତି।