ପୁରୀ, ୧୨/୦୫: ଭୋର୍‌ରୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ବସୁଛି ନିଶାଡ଼ିଙ୍କ ଆସର । କାହାରିକୁ ଖାତିର ନ କରି ନିଶାଡ଼ିମାନେ ଖୋଲାଖୋଲି ଚିଲମ ଭିଡ଼ୁଛନ୍ତି । ଧୂଆଁମୟ ହୋଇପଡୁଛି ସ୍ଥାନୀୟ ଅଞ୍ଚଳ । ଗଞ୍ଜେଇ ଧୂଆଁରେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ । ନିକଟସ୍ଥ ବେପାରୀମାନେ ମଧ୍ୟ ଅଣନିଃଶ୍ୱାସୀ ହୋଇପଡ଼ିଲେଣି । ଏନେଇ ବାରମ୍ବାର ପୁଲିସ ଓ ଶ୍ରୀମନ୍ଦିର ପ୍ରାଶାସନିକ ଅଧିକାରୀଙ୍କୁ ଗୁହାରି କଲେଣି । ହେଲେ କେହି କର୍ଣ୍ଣପାତ କରୁନାହାନ୍ତି ।

ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା ମାର୍ଗର ଦୃଶ୍ୟକୁ ଉପଭୋଗ କରୁଛନ୍ତି । ପରିବାର ଓ କୁନି କୁନି ପିଲାମାନଙ୍କୁ ଧରି ପରିକ୍ରମା ମାର୍ଗରେ ବସି ମହାପ୍ରଭୁଙ୍କ ନୀଳଚକ୍ର ବାନା ବନ୍ଧାର ଦୃଶ୍ୟକୁ ଦେଖୁଛନ୍ତି । ହେଲେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ପରିକ୍ରମା ମାର୍ଗର ଉତ୍ତରଦ୍ୱାର, ପଶ୍ଚିମଦ୍ୱାର, ଦକ୍ଷିଣଦ୍ୱାରର ଗଛତଳେ ନିଶାଡ଼ିଙ୍କ ଗଞ୍ଜେଇ ଧୂଆଁରେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ଶ୍ରଦ୍ଧାଳୁ, ପର୍ଯ୍ୟଟକ । ଭୁବନେଶ୍ୱରର ଶ୍ରଦ୍ଧାଳୁ ଭୀମସେନ ପ୍ରଧାନ କହିଛନ୍ତି, ଗଞ୍ଜେଇ ଧୂଆଁରେ ବାଧ୍ୟ ହୋଇ ନାକରେ ରୁମାଲ ଦେଇ ଯାତାୟାତ କରୁଛୁ । ପରିବାର ସହ ପରିକ୍ରମା ମାର୍ଗ ବୁଲିବା ବେଳେ ଏଭଳି ଅବ୍ୟବସ୍ଥା ଆଦୌ ଭଲ ଲାଗୁନାହିଁ ।

ସେହିଭଳି ଜଣେ ସ୍ଥାନୀୟ ବ୍ୟବସାୟୀ କୁହନ୍ତି, ଜଣେ କି ଦୁଇ ଜଣ ନୁହେଁ, ଏକ ସମୟରେ ୧୦ରୁ ଊଦ୍ଧ୍ୱର୍ ଗୋଷ୍ଠୀ ଭିନ୍ନ ଭିନ୍ନ ସ୍ଥାନରେ ବସି ଗଞ୍ଜେଇ ଟାଣୁଛନ୍ତି । ଏହି ଦୃଶ୍ୟ ନିତିଦିନିଆ । ଏତେ ମାତ୍ରରେ ଧୂଆଁ ଆସୁଛି ଯେ ଗନ୍ଧରେ ନାକ ବନ୍ଦ ହୋଇଯାଉଛି । ଦୋକାନକୁ ଆସୁଥିବା ଗ୍ରାହକ ମଧ୍ୟ ଅତିଷ୍ଠ ହୋଇ ପଡୁଛନ୍ତି । ତାଙ୍କ କହିବା ଅନୁସାରେ କେବଳ ଗଞ୍ଜେଇ ନୁହେଁ, ବିଳମ୍ବିତ ରାତିରେ ମଦୁଆଙ୍କ ଆସର ବସୁଛି । ମଦ ପିଇ ବୋତଲ ପରିକ୍ରମା ମାର୍ଗ ପାଚେରି ନିକଟରେ ପକାଉଛନ୍ତି । କିଛି ବ୍ୟବସାୟୀ ଏକାଠି ହୋଇ ଏହାକୁ ପ୍ରତିବାଦ କରିଥିଲୁ । ହେଲେ ନିଶାଡ଼ିମାନେ ଓଲଟା ଆମକୁ ଏଠାରେ ଦୋକାନ କରିପାରିବୁ ନାହିଁ ବୋଲି ଧମକ ଦେଲେ । ତେଣୁ ଆମେ ନାଚାର । ପୁଲିସ ଓ ମନ୍ଦିର ପ୍ରାଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେଲେ କିଛି ବି ଲାଭ ହେଉନି । ଏ ସମ୍ପର୍କରେ ସିଂହଦ୍ୱାର ଆଇଆଇସି ଶ୍ୱେତପଦ୍ମା ଦାଶଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ବି ସମ୍ଭବ ହୋଇନଥିଲା।

ଅଧିକ ପଢ଼ନ୍ତୁ :-  ଜିମ୍ ଚାଲିଛି ଅବାଧ ଷ୍ଟେରଏଡ୍ କାରବାର, ଟ୍ରେନର୍ଙ୍କ କଥାରେ ଫସି ମନଇଚ୍ଛା ଇଞ୍ଜେକସନ୍ ଫୋଡୁଛନ୍ତି ଲୋକେ