ମୁମ୍ବାଇ ୨୧/୧୧: ଫିଲ୍ମ ନିର୍ମାତା ଏସଏସ ରାଜାମୌଲି ତାଙ୍କର ପରବର୍ତ୍ତୀ ଫିଲ୍ମ "ବାରାଣସୀ" ପାଇଁ ପ୍ରଥମ ଥର ପାଇଁ ମହେଶ ବାବୁଙ୍କ ସହ ଏକାଠି କାମ କରିଛନ୍ତି। ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ଏକ ଇଭେଣ୍ଟରେ ଫିଲ୍ମର ଟାଇଟଲ୍ ଘୋଷଣା କରାଯାଇଥିଲା।ମହେଶ ବାବୁଙ୍କ ବ୍ୟତୀତ ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରା ଏବଂ ପୃଥ୍ୱୀରାଜ ସୁକୁମାରନ୍ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ପ୍ରିୟଙ୍କା 'ବାରାଣସୀ' ସହିତ ବଡ଼ ପରଦାକୁ ଫେରୁଛନ୍ତି, ଏବଂ ଫ୍ୟାନ୍ସ ଏବେ ଅଭିନେତ୍ରୀଙ୍କ ସମେତ ସମସ୍ତ ଷ୍ଟାର କାଷ୍ଟଙ୍କ ଫି’ ଜାଣିବାକୁ ଉତ୍ସାହିତ।

ପ୍ରିୟଙ୍କା ଚୋପ୍ରା ପ୍ରଥମ ଥର ପାଇଁ ଏସଏସ ରାଜାମୌଲିଙ୍କ ସହ କାମ କରିବେ। ଏକ ରିପୋର୍ଟ ଅନୁସାରେ, ପ୍ରିୟଙ୍କା ଏହି ଫିଲ୍ମ ପାଇଁ ୩୦ କୋଟି ଫି’ ଚାର୍ଜ କରିଛନ୍ତି। ଯେଉଁଥିପାଇଁ ସେ ସବୁଠାରୁ ଅଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହୋଇଛନ୍ତି। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ପ୍ରିୟଙ୍କା ତାଙ୍କର ଫି’ ବୃଦ୍ଧି କରିଛନ୍ତି। ଆଲିଆ ଭଟ୍ଟ ଏସଏସ ରାଜାମୌଲିଙ୍କ "ଆରଆରଆର" ପାଇଁ ୯ କୋଟି ଚାର୍ଜ କରିଥିଲେ। ଅନୁଷ୍କା ସେଟ୍ଟୀ "ବାହୁବଳୀ" ପାଇଁ ୫ କୋଟି ଚାର୍ଜ କରିଥିଲେ। ଏ ସମସ୍ତଙ୍କୁ ପଛରେ ପକାଇଛନ୍ତି ପ୍ରିୟଙ୍କା।

ତେବେ ଏକ ସୂତ୍ର ଅନୁସାରେ, ମହେଶ ବାବୁ ଏବଂ ଫିଲ୍ମ ନିର୍ମାତା ଏସଏସ ରାଜାମୌଲି ସେମାନଙ୍କର ସାଧାରଣ ଦରମା ନେବେ ନାହିଁ। ରାଜାମୌଲିଙ୍କର ମହେଶ ବାବୁଙ୍କ କାମ ଉପରେ ଅପାର ବିଶ୍ୱାସ ଅଛି, ଯାହା ତାଙ୍କୁ ଷ୍ଟାରଡମରେ ପହଞ୍ଚାଇଛି।ଏହି କାରଣରୁ, ଦୁହେଁ ଅଧିକ ଫି’ ନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କର ଲକ୍ଷ୍ୟ 'ବାରାଣସୀ' ସହିତ ଏକ ଐତିହ୍ୟ ସୃଷ୍ଟି କରିବା। ତେଣୁ, ମହେଶ ବାବୁ ଏବଂ ରାଜାମୌଲି ନିର୍ମାତାଙ୍କ ସହିତ ୪୦% ଲାଭ ଚୁକ୍ତିନାମା କରିବେ ବୋଲି ଜଣାପଡ଼ିଛି। ରିପୋର୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ମହେଶ ବାବୁ କୌଣସି ଦରମା ନେବେ ନାହିଁ ଏବଂ ରାଜାମୌଲିଙ୍କ ସହ ଏକ ଅଂଶ ଲାଭ ଚୁକ୍ତିନାମା ଉପରେ ଆଲୋଚନା କରିଛନ୍ତି। ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ 'ବାରାଣସୀ' ପାଇଁ ମହେଶ ବାବୁଙ୍କ ପାରିଶ୍ରମିକ ସମ୍ପୂର୍ଣ୍ଣ ଭାବରେ ଫିଲ୍ମର ଲାଭ ଉପରେ ନିର୍ଭର କରିବ। ସେହିପରି ପୃଥ୍ୱୀରାଜ ସୁକୁମାରନଙ୍କ ଫି’ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।