ନୂଆଦିଲ୍ଲୀ: ଷ୍ଟାଫ୍ ସିଲେକ୍ସନ୍ କମିଶନ (ଏସ୍ଏସ୍ସି) ପରିକ୍ଷାର୍ଥୀଙ୍କ ନିମନ୍ତେ ଖୁସି ଖବର। ନିକଟରେ ଅନୁଷ୍ଠିତ ହୋଇଥିବା ସିଲେକ୍ସନ୍ ପୋଷ୍ଟ ଫେଜ୍-୧୩ ପରୀକ୍ଷାକୁ ବାତିଲ କରାଯିବ ନାହିଁ। କିନ୍ତୁ କୁପରିଚାଳନା ଯୋଗୁଁ ପ୍ରଭାବିତ ପରୀକ୍ଷାର୍ଥୀଙ୍କ ପାଇଁ ପୁନଃପରୀକ୍ଷା ଆୟୋଜନ କରିବାକୁ ନେଇ ବିଭାଗ ବିଚାର କରୁଛି ବୋଲି ଏସ୍ଏସ୍ସି ଅଧ୍ୟକ୍ଷ ଏସ୍. ଗୋପାଳକ୍ରିଷ୍ଣନ ସୋମବାର ଘୋଷଣା କରିଛନ୍ତି। ଜୁଲାଇ ୨୪ରୁ ଅଗଷ୍ଟ ୧ ମଧ୍ୟରେ ୧୪୨ଟି ସହରରେ ୧୯୪ଟି କେନ୍ଦ୍ରରେ ଆୟୋଜିତ ଏହି ପରୀକ୍ଷାରେ ପ୍ରାୟ ୫ ଲକ୍ଷ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ଏହି ପରୀକ୍ଷାରେ ଅଚାନକ ବାତିଲ, ସଫ୍ଟୱେୟାର କ୍ରାସ୍, ବାୟୋମେଟ୍ରିକ୍ ସତ୍ୟାପନ ବିଫଳତା ଏବଂ ଭୁଲ କେନ୍ଦ୍ର ବଣ୍ଟନ ଭଳି ଆଦି ସମସ୍ୟା ଦେଖାଦେଇଥିଲା। ଯାହା ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା।
ଏହି ସମସ୍ୟା ସମାଧାନ ପାଇଁ ଏସ୍ଏସ୍ସି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଏଡୁକ୍ୟୁଟି କ୍ୟାରିୟର ଟେକ୍ନୋଲୋଜିସ୍କୁ ସମସ୍ତ ଅଭିଯୋଗର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛି। ଏନେଇ ଅଧ୍ୟକ୍ଷ ଗୋପାଳକ୍ରିଷ୍ଣନ କହିଛନ୍ତି ଯେ, "ଆମେ ସମସ୍ତ ତଥ୍ୟର ବିଶ୍ଳେଷଣ କରୁଛୁ। ଯଦି ଆମେ ଜଣେ ମାତ୍ର ପରୀକ୍ଷାର୍ଥୀଙ୍କ ପ୍ରତି ଅନ୍ୟାୟ ହୋଇଥିବା ଜାଣିବାକୁ ପାଉ, ତେବେ ତାଙ୍କ ପାଇଁ ଆଉଥରେ ପୁନଃପରୀକ୍ଷା କରାଯିବ।" ଏହି ଘୋଷଣା ଆଶାୟୀ ମାନଙ୍କର ଦିଲ୍ଲୀରେ ଘୋର ପ୍ରତିବାଦ ଏବଂ ସୋସିଆଲ ମିଡିଆରେ ତୀବ୍ର ବିରୋଧ ପରେ ସାମ୍ନାକୁ ଆସିଛି।
ତୁରନ୍ତ ସମସ୍ୟା ସମାଧାନ ପାଇଁ ଅଗଷ୍ଟ ୨ ତାରିଖରେ ଅତିରିକ୍ତ ପରୀକ୍ଷା ଆୟୋଜନ କରାଯାଇଥିଲା। ଯେଉଁଥିରେ ୧୬,୬୦୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ (୮,୦୪୮) ଉପସ୍ଥିତ ରହିଥିଲେ। ଦିଲ୍ଲୀର ପବନ ଗଙ୍ଗା ଏବଂ ଉତ୍ତର ପ୍ରଦେଶର ଏଡୁକାସା କେନ୍ଦ୍ରରେ ପୂର୍ଣ୍ଣ ବାତିଲ ହୋଇଥିବା ପରୀକ୍ଷା ଯୋଗୁଁ ପ୍ରାୟ ୨,୫୦୦ ପରୀକ୍ଷାର୍ଥୀ ପ୍ରଭାବିତ ହୋଇଥିଲେ। ଆବଶ୍ୟକ ହେଲେ ଆଉ ଏକ ପୁନଃପରୀକ୍ଷା କରାଯାଇପାରେ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।
ଏସ୍ଏସ୍ସି ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ପ୍ରଶ୍ନ ପୁନରାବୃତ୍ତି ରୋକିବା ପାଇଁ କେବଳ ଏକ ମୌଳିକ ଏଆଇ ସିଷ୍ଟମ ବ୍ୟବହାର କରାଯାଇଛି ଏବଂ ପରୀକ୍ଷାର୍ଥୀଙ୍କ ଏଆଇ ଯୋଗୁଁ ପ୍ରଶ୍ନ ପୁନରାବୃତ୍ତି ହେଉଛି ବୋଲି ଦାବିକୁ ଖଣ୍ଡନ କରାଯାଇଛି। ନୂଆ ପରୀକ୍ଷା ପରିଚାଳନା ସଂସ୍ଥା ସହ କିଛି ପ୍ରାରମ୍ଭିକ ସମସ୍ୟା ଥିବା ସ୍ୱୀକାର କରି ଅଧ୍ୟକ୍ଷ କହିଛନ୍ତି ଯେ ସିଷ୍ଟମ ହ୍ୟାଙ୍ଗ ଏବଂ ମାଉସ ଜନିତ ତ୍ରୁଟି ଭଳି ସମସ୍ୟା ପାଇଁ ପରୀକ୍ଷା ପରିଚାଳନା ସଂସ୍ଥାଠୁ ଜବାବ ତଲବ କରାଯିବ। ଆଗାମୀ ଅଗଷ୍ଟ ୬-୮ ତାରିଖରେ ୩.୫ ଲକ୍ଷ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଅଧିକ ସୁଗମ ହେବ ବୋଲି ଏସ୍ଏସ୍ସି ଆଶାବାଦୀ ରହିଛି।