ଭୁବନେଶ୍ୱର/କଟକ,୩୧/୧୨: ନୂଆବର୍ଷକୁ  ସ୍ୱାଗତ ଆଳରେ ଡିସେମ୍ବର ୩୧ ‘ଜିରୋ ଆୱାର’ରେ ପୂର୍ବ ବର୍ଷ ଭଳି ଅନେକ ଅମାନିଆ ମାତିବେ । ନାକେ ଯାଏ ମଦ ପିଇ ଉତ୍ପାତ କରିବାକୁ ଯୋଜନାରେ ଅଛନ୍ତି ।  ଏଭଳି ମଦ୍ୟପ ଗାଡ଼ି ଚାଳକଙ୍କୁ ନିସ୍ତାର ମିଳିବନି ।  ପରିବହନ ବିଭାଗ ପକ୍ଷରୁ ଗଠିତ ସ୍ୱତନ୍ତ୍ର ସ୍କ୍ୱାଡ୍‌ ମଙ୍ଗଳବାର ଅପରାହ୍ଣ ୪ଟାଠାରୁ ଜୋର୍‌ଦାର୍‌ ଯାଞ୍ଚ  କରିବ । ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।  

ଜିରୋ ଆୱାରରେ ଦୁର୍ଘଟଣା ହ୍ରାସ ପାଇଁ ଏଭଳି  ପଦକ୍ଷେପ ନେବାକୁ ପରିବହନ ଆୟୁକ୍ତ ଅମିତାଭ  ଠାକୁର ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଆଞ୍ଚଳିକ  ପରିବହନ ଅଧିକାରୀ(ଆରଟିଓ)ଙ୍କୁ ଫତୁଆ ଜାରି  କରିଛନ୍ତି । ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ  କରିବାକୁ ଗୁରୁତ୍ୱପୂର୍ଣ୍ଣ ଛକ, ଟ୍ରାଫିକ ପଏଣ୍ଟ ଆଦି  ସ୍ଥାନରେ ସ୍ୱତନ୍ତ୍ର ଟିମ୍‌ ଯାଞ୍ଚ ଦାୟିତ୍ୱରେ ରହିବେ । ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରିବାକୁ ଶ୍ରୀ ଠାକୁର ନିର୍ଦ୍ଦେଶ ଦେଇଛନ୍ତି । 

ମଦ ପିଇ ଗାଡ଼ି ଚଳାଉଥିଲେ ମୋଟର ଯାନ ଆଇନର  ଧାରା ୧୮୫ ଅନୁଯାୟୀ ଗାଡ଼ି ଜବତ କରାଯିବା  ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ ଓ ଜରିମାନା  କରାଯିବ । ସେହିଭଳି ଦ୍ରୁତଗତି, ବେପରୁଆ ଗାଡ଼ି  ଚାଳନା ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ।  ନିୟମ ଉଲ୍ଲଙ୍ଘନକାରୀ ଗାଡ଼ି ଚାଳକ ଯଦି ପରିଚୟ  ପ୍ରଦାନରେ ସହଯୋଗ ନ କରନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏକ ମାସ ଜେଲ୍‌ଦଣ୍ଡ କିମ୍ବା  ଦୁଇ ହଜାର ଜରିମାନା କିମ୍ବା ଉଭୟ ଲାଗୁ ହେବ ।  

ସଡ଼କ ସୁରକ୍ଷା ସପ୍ତାହ ନୁହେଁ, ଚଳିତବର୍ଷ  ସାରା ରାଜ୍ୟରେ ସଡ଼କ ସୁରକ୍ଷା ମାସ ପାଳନ  କରାଯିବ । ଜାନୁଆରୀ ପହିଲାରୁ ମାସ ଯାକ ସଡ଼କ  ଦୁର୍ଘଟଣା ରୋକିବା ସହ ସଚେତନତା ଦିଗକୁ ଗୁରୁତ୍ୱ  ଦିଆଯିବ । ବିଶେଷକରି ବଣଭୋଜି ଅଞ୍ଚଳରେ  ମଦ୍ୟପାନ କରି ଗାଡ଼ି ଚାଳନା ରୋକିବାକୁ ଅଧିକ  ଯାଞ୍ଚ ହେବ । ପିକନିକ୍‌ ସ୍ପଟକୁ ଆସୁଥିବା ଗାଡ଼ିଗୁଡ଼ିକ  ଯେଉଁଭଳି ସମସ୍ତ ସୁରକ୍ଷା ନିୟମର ପାଳନ କରିବେ  ସେଥିପାଇଁ ମଧ୍ୟ ଏସଓପି ଜାରି କରାଯାଇଛି ।  

ଏସ୍‌ଟିଏ କମିସନର ଶ୍ରୀ ଠାକୁର କହିଛନ୍ତି ଯେ,  ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସାରା  ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।  ଜନସଚେତନତାକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି ।  ସେହିଭଳି ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ  କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଛି ।  ଇଂରାଜୀ ନୂଆବର୍ଷ ପାଳନର ଉନ୍ମାଦନାରେ ଅନେକ  ସମୟରେ ଯୁବପିଢ଼ି ନିଶାସକ୍ତ ହୋଇ ଗାଡ଼ିଚାଳନା  କରୁଛନ୍ତି । ତେଣୁ ଏହି ସମୟରେ ଦୁର୍ଘଟଣା  ରୋକିବାକୁ ଜିରା ଆୱାର ଯାଞ୍ଚ୍‌ ପାଇଁ ନିଷ୍ପତ୍ତି ହୋଇଛି ।