ଭୁବନେଶ୍ୱର,୧୬/୦୧: ରାଜ୍ୟ ବିଜେପିର ହେବ ନବକଳେବର । ନୂଆବର୍ଷରେ ଦଳର ସାଂଗଠନିକ ପୁନର୍ବିନ୍ୟାସ ପ୍ରକ୍ରିୟା ଶେଷ ହେବାକୁ ଯାଉଛି । ଦଳର ପରବର୍ତ୍ତୀ ରାଜ୍ୟ ସଭାପତି କିଏ?  ବିଜେପି ଦଳ ସହ ରାଜ୍ୟ ରାଜନୀତି ପାଇଁ ଏହା ଏବେ ବଡ଼ ପ୍ରଶ୍ନ । କେନ୍ଦ୍ରୀୟ ହାଇକମାଣ୍ଡ କାହାମୁଣ୍ଡରେ ସୁନାକଳସ ଢାଳୁଛନ୍ତି ତା’କୁ ସାରା ରାଜ୍ୟର ବିଜେପି ନେତା ଓ କର୍ମୀମାନେ ବେଶ୍‌ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ସଭାପତି ମନମୋହନ ସାମଲଙ୍କ ପରେ କିଏ ଦଳର ମଙ୍ଗ  ଧରିବ ତା’କୁ ନେଇ ଆରମ୍ଭ ହୋଇଛି ଅଙ୍କକଷା ।  

ବିଜେପିର କିଏ ହେବ ରାଜ୍ୟ ମୁଖିଆ? ଏହି  ରେସରେ ବିଭିନ୍ନ ନେତା ଥିବା ଚର୍ଚ୍ଚା ହେଉଛି ।  ମାତ୍ର ସବୁକିଛି ନିର୍ଭର କରୁଛି କେନ୍ଦ୍ରୀୟ ନେତୃତ୍ୱ ଉପରେ । ବିଜେପିର ସୂତ୍ର କହୁଛି, ଜାନୁଆରୀ ଶେଷ ସୁଦ୍ଧା ଓଡ଼ିଶା ବିଜେପି ନୂଆ ସଭାପତି  ପାଇବ । ଏଥିପାଇଁ ଦିଲ୍ଲୀରେ ବିଜେପି କୋର କମିଟିର ଦୁଇଥର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଲାଣି ।  

ବିଜେପି ରାଜ୍ୟରେ କ୍ଷମତାକୁ ଆସିଛି । ଦୀର୍ଘମିଆଦି ଭିତ୍ତିରେ ରାଜ୍ୟରେ କ୍ଷମତାରେ ରହିବାକୁ କେନ୍ଦ୍ରୀୟ ବିଜେପି ସାଂଗଠନିକ ବିସ୍ତାରକୁ ଗୁରୁତ୍ୱ ଦେଉଛି । ବୁଥ୍‌ସ୍ତରରୁ ସଂଗଠନକୁ ବଳୁଆ କରିବାକୁ ମଧ୍ୟ ଦଳ ଯୋଜନା କରୁଛି । ସଂଗଠନ ଓ ସରକାର ସମନ୍ୱୟ ରକ୍ଷା କରି ଚାଲିବାକୁ ନୂଆଦିଲ୍ଲୀରୁ ନିର୍ଦ୍ଦେଶ ଜାରି ହୋଇଛି । ଦଳର ସଭାପତି ପଦ ଉପରେ ଏବେ ବହୁ ନେତା ଆଖି  ପକାଇଛନ୍ତି । ଦଳରେ କିନ୍ତୁ ୨/୩ଟି ଗୋଷ୍ଠୀ ନିଜ ସପକ୍ଷରେ ଲବି କରୁଛନ୍ତି । ମାତ୍ର ହାଇକମାଣ୍ଡ କାହାକୁ ଆଶୀର୍ବାଦ କରିବେ ତାହା ଏଯାଏଁ ଅସ୍ପଷ୍ଟ । 

ବିଜେପିର ନୂଆଦିଲ୍ଲୀ ସୂତ୍ର କହୁଛି, ବହୁ  ବର୍ଷ ପରେ ଓଡ଼ିଶାରେ ବିଜେପି ନିଜ ଦମ୍‌ରେ ଶାସନ ଡୋରି ଧରିଛି । କେନ୍ଦ୍ରୀୟ ବିଜେପି ପାଇଁ ଓଡ଼ିଶାର ସଂଗଠନ ଗୁରୁତ୍ୱ ରଖୁଛି । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ  ଅମିତ୍‌ ଶାହ, ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଯାଏଁ  ସମସ୍ତଙ୍କ ନଜର ଓଡ଼ିଶା ଉପରେ ରହିଛି । ତେଣୁ  ଦଳର ରାଜ୍ୟ ମୁଖିଆ ପଦ ପାଇଁ ଯେ କେନ୍ଦ୍ରୀୟ  ନେତାଙ୍କ ଆଶୀର୍ବାଦ ଯେ ଦରକାର ତାହା ଜଳଜଳ । 

ଦଳର ଗୋଟିଏ ଗୋଷ୍ଠୀ କହୁଛି, ନୂଆ ସଭାପତି ବଦଳରେ ଦଳ ମନମୋହନଙ୍କୁ ପୁଣି ଏ ଗୁରୁଦାୟିତ୍ୱ  ଦେଇପାରେ । ମନମୋହନ ଏବେ ଦଳର ଅସ୍ଥାୟୀ ସଭାପତି ଭାର ତୁଲାଉଛନ୍ତି । ସେ ସାନି ସଭାପତି  ହେବାରେ କୌଣସି ପ୍ରତିବନ୍ଧକ ନାହିଁ । ତାଙ୍କ ନେତୃତ୍ୱରେ ଗତ ନିର୍ବାଚନରେ ଦଳକୁ ଯେଉଁ  ସଫଳତା ମିଳିଲା ତାର ପୁରସ୍କାର ଏଯାଏଁ ମିଳିନି ।  ଶ୍ରୀ ସାମଲ କାଳେ ପୂର୍ଣ୍ଣକାଳୀନ ୩ ବର୍ଷ ସ୍ଥାୟୀ  ସଭାପତି ଭାବେ ଦାୟିତ୍ୱ ତୁଲାଇବାକୁ ମଧ୍ୟ ଆଗ୍ରହୀ ଅଛନ୍ତି । ଏପରିକି ସାନି ସଭାପତି ପଦ ତୁଲାଇବାକୁ  ସେ ଅନ୍ୟ କୌଣସି ପଦ ପାଇଁ ଏଯାଏଁ ଆଗ୍ରହ  ପ୍ରକାଶ କରିନାହାନ୍ତି । ଏପରିକି ତାଙ୍କ ନେତୃତ୍ୱରେ  ଦଳ ଆଗାମୀ ପଞ୍ଚାୟତ ନିର୍ବାଚନ ଲଢ଼ିବା ଉଚିତ୍‌  ହେବ ବୋଲି ଅନେକ ଯୁକ୍ତି କରୁଛନ୍ତି । ତେଣୁ ଦଳ  ତାଙ୍କୁ ପୁଣି ସଭାପତି ପଦରେ ବସାଇବାର ଯଥେଷ୍ଟ  ସମ୍ଭାବନା ଥିବା ଚର୍ଚ୍ଚା ଜୋର ଧରିଛି । ମାତ୍ର ଅନ୍ୟ ଏକ ଗୋଷ୍ଠୀ କହୁଛି, ମନମୋହନଙ୍କୁ ଦଳ ଅନ୍ୟ ବାଟରେ  ପୁରସ୍କୃତ କରିବ । ନୂଆମୁହଁକୁ ଦଳ ସଭାପତି ଭାବେ  ଆଗକୁ ଆଣିବ । ଏ ନୂଆମୁହଁ ତାଲିକାରେ ବହୁ  ନାଁ ଯୋଡ଼ା ହୋଇଛି । ସମୀର ମହାନ୍ତି, ଗୋଲକ  ମହାପାତ୍ରଙ୍କ ଠାରୁ ଆରମ୍ଭ କରି ଆରଏସ୍‌ଏସ୍‌ ସହ  ସଂପର୍କରେ ଥିବା କିଛି ନେତାଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ  ଆସୁଛି । ମାତ୍ର ଏଯାଏ ଚିତ୍ର ଅସ୍ପଷ୍ଟ  ।   

ବିଜେପି ରାଜ୍ୟ ମୁଖିଆ ଚୟନ ପାଇଁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ପ୍ରଭାରୀ  ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ  ବୈଷ୍ଣବ, ଜୁଏଲ ଓରାମ, ସଂଗଠନ ମନ୍ତ୍ରୀ ମାନସ  ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ  ସମେତ କୋର୍‌ କମିଟି ସଦସ୍ୟମାନେ ବୈଠକରେ  ଏକାଠି ହୋଇ ଏ ସଂପର୍କରେ ଚର୍ଚ୍ଚା କରିଛନ୍ତି । ସପ୍ତାହକ ମଧ୍ୟରେ ଜିଲ୍ଲା ସଭାପତିଙ୍କ ନାମ ଚୂଡ଼ାନ୍ତ  ହୋଇ ଘୋଷଣା ପରେ ରାଜ୍ୟ ସଭାପତି ଚୟନ  କରାଯିବ । ଏଥିପାଇଁ ଦିଲ୍ଲୀରୁ ସଂଜୟ ଜୟସ୍ୱାଲ ଆସିବେ। ତାଙ୍କ ଉପସ୍ଥିତିରେ ହିଁ ସଭାପତିଙ୍କ ନାମ  ଘୋଷଣା କରାଯିବ । ଏ ମାସ ଶେଷ ସୁଦ୍ଧା ସଭାପତି  ଚୟନ କାମ ଶେଷ ହେବ ବୋଲି ସୂଚନା ମିଳିଛି । 

ରାଜ୍ୟରେ ମଣ୍ଡଳ ଓ ବୁଥ୍‌ ସଭାପତି ନିର୍ବାଚନ  ଶେଷ ହୋଇଛି । ନିୟମ ଅନୁସାରେ, ୫୦ ପ୍ରତିଶତ  ଜିଲ୍ଲା ସଭାପତି ନାଁ ଚୂଡାନ୍ତ ପରେ ରାଜ୍ୟ ସଭାପତି  ବଛାଯିବ । ଦଳ ତୃଣମୂଳ ଦାୟିତ୍ୱ ଏବେ ଯୁବବର୍ଗ  (୩୫ରୁ ୪୫ ବର୍ଷ)ଙ୍କ ହାତରେ ଦେବାକୁ ସ୍ଥିର  କରିଛି । ୧,୦୫୨ ମଣ୍ଡଳ ପାଇଁ ଯୁବ ନେତା ସଂଗଠନ  ଦାୟିତ୍ୱରେ ରହିବେ । ଜିଲ୍ଲା ସଭାପତି ନେତୃତ୍ୱ  ନେବାକୁ ୪୫ ରୁ ୬୦ ବର୍ଷ ବୟସ ଧାର୍ଯ୍ୟ ହୋଇଛି ।  ଯୁବ ଓ ପୁରୁଖା ନେତାଙ୍କ ସମ୍ମିଶ୍ରଣରେ ଦଳ ସନ୍ତୁଳନ  ରଖି ସଂଗଠନକୁ ଆଗକୁ ନେବାକୁ ସ୍ଥିର କରିଛି ।