ଭୁବନେଶ୍ବର, ୨୪।୧୧ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ୟାବିନେଟ ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ବିଭାଗର ଆଗତ ୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୈଠକ ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିରେ ଅତିରିକ୍ତ ବଜେଟକୁ ଅନୁମୋଦନ କରାଯାଇଛି। ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଚିଠା ପ୍ରସ୍ତାବ ଅନୁମୋଦନ ହୋଇଛି। ଏହା ଆସନ୍ତା ୨୮ରେ ବିଧାନସଭାରେ ଉପସ୍ଥାପନ ହେବ।
ସେହିପରି ଉଚ୍ଚ ମାଧ୍ଯମିକ (୧୦+୨) ସ୍ତର କିମ୍ବା ସମାନ ସ୍ତର ଅଧୀନସ୍ଥ ସ୍ବତନ୍ତ୍ର ସେବା ଓ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ, ୨୦୨୨ ର ସଂଶୋଧନ କରାଯାଇଛି । ୨୦୨୨ ର ନିୟମ-୩ ରେ ଧାର୍ଯ୍ୟ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ, ଉଚ୍ଚ ମାଧ୍ୟମିକ (୧୦+୨) ସ୍ତର କିମ୍ବା ସମାନ ସ୍ତର ଅଧିନସ୍ଥ ସ୍ବତନ୍ତ୍ର ସେବା ଓ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ, ୨୦୨୨ ର ସିଡ୍ୟୁଲରେ ୧ ଟି ନୂତନ ପଦବୀ ତଥା ସ୍ଵରାଷ୍ଟ୍ର ବିଭାଗର ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର ଅଧୀନରେ ଥିବା କନିଷ୍ଠ ଅପରାଧ ବିଧି ସହାୟକ ପଦବୀକୁ ଅନ୍ତର୍ଭୂକ୍ତ କରାଯିବ । ଯାହାଫଳରେ ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ ସର୍ବମୋଟ ୧୨ ଟି ଭିନ୍ନ ପଦବୀ ଗୁଡିକୁ ମିଳିତ ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ।
ସେହିପରି ରାଜ୍ୟ ସରକାରଙ୍କ ଅଧନସ୍ଥ ଖ–ବର୍ଗ ଏବଂ ଗ-ବର୍ଗ ଅନ୍ତର୍ଗତ ବିଭିନ୍ନ ସେବା ଓ ପଦବୀ ରେ ନିଯୁକ୍ତି ନିମନ୍ତେ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ, ୨୦୨୨ ର ସଂଶୋଧନ କରିଛି ରାଜ୍ୟ କ୍ୟାବିନେଟ I ଯାହାଫଳରେ, ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ ସର୍ବମୋଟ ୨୪ ଟି ଭିନ୍ନ ପଦବୀ ଗୁଡିକୁ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ । ଅନ୍ୟପଟେ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଖ-ବର୍ଗ ଏବଂ ଗ-ବର୍ଗ ଅନ୍ତର୍ଗତ ସ୍ବତନ୍ତ୍ର ସେବା ଓ ପଦବୀ ରେ ନିଯୁକ୍ତି ନିମନ୍ତେ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ, ୨୦୨୨ ର ସଂଶୋଧନ କରାଯାଇଛି ।୨୦୨୨ ର ନିୟମ-୩ ରେ ଧାର୍ଯ୍ୟ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ, ରାଜ୍ୟ ସରକାରଙ୍କ ଅଧୁନସ୍ଥ ଖ-ବର୍ଗ ଏବଂ ଗ-ବର୍ଗ ଅନ୍ତର୍ଗତ ସ୍ବତନ୍ତ୍ର ସେବା ଓ ପଦବୀ ରେ ନିଯୁକ୍ତି ନିମନ୍ତେ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ, ୨୦୨୨ ର ସିଡ୍ୟୁଲ-୧ ରେ ୧୪ ଟି ନୂତନ ପଦବୀକୁ ଅନ୍ତର୍ଭୂକ୍ତ କରାଯିବା ସହିତ ପୂର୍ବରୁ ଅନ୍ତର୍ଭୂକ୍ତ ହୋଇଥିବା ୪ ଟି ପଦବୀକୁ ବାଦ ଦିଆଯିବ । ଏହା ଦ୍ବାରା ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ ସମସ୍ତ ୩୯ଟି ସ୍ବତନ୍ତ୍ର ପଦବୀଗୁଡିକୁ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ।