ଭୁବନେଶ୍ୱର,୦୩/୧୧: କିଏ ହେବ  ରାଜ୍ୟ କଂଗ୍ରେସ ସଭାପତି? କାହାକୁ କଲେ ଦଳ  ଅଧିକ ମଜଭୁତ ହେବ । ଏଭଳି ଜଣେ ଦକ୍ଷ  ପିସିସି ସଭାପତି ଚୟନ ପାଇଁ ଆସନ୍ତା ୪ ତାରିଖ  (ସୋମବାର)ରେ ଓଡ଼ିଶା ଆସିବେ ଏଆଇସିସି  ପର୍ଯ୍ୟବେକ୍ଷକ । ସୋମବାର ଦିନ ୧୨ଟା ବେଳକୁ  କଂଗ୍ରେସ ଭବନରେ ପହଞ୍ଚିବେ ଏଆଇସିସି  ପର୍ଯ୍ୟବେକ୍ଷକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ  ଚରଣ ଦାସ ମହନ୍ତ ଓ ଛାତ୍ର କଂଗ୍ରେସର ପୂର୍ବତନ  ରାଷ୍ଟ୍ରୀୟ ସଭାପତି ମିନାକ୍ଷୀ ନଟରାଜନ୍‌ । ଗସ୍ତ  ବେଳେ ରାଜ୍ୟ ନେତାଙ୍କୁ ଭେଟିବେ । ବିଶେଷ  କରି କଂଗ୍ରେସ ଭବନରେ ଉପସ୍ଥିତ ରହିବା  ପାଇଁ ଓଡ଼ିଶା କଂଗ୍ରେସର ଷ୍ଟିୟରିଂ କମିଟି  ସଦସ୍ୟ ଓ ବିଧାୟକଙ୍କୁ ଚିଠି ମିଳିଛି । ତେବେ  ପର୍ଯ୍ୟବେକ୍ଷକଙ୍କ ଗସ୍ତ ପୂର୍ବରୁ ରାଜ୍ୟ କଂଗ୍ରେସ  ମହଲରେ ସାମାନ୍ୟ ରାଜନୈତିକ ଉଷ୍ମତା  ଦେଖାଯାଇଛି । ପର୍ଯ୍ୟବେକ୍ଷକଙ୍କ ଆଗରେ ନୂଆ  ପିସିସି ସଭାପତି ଭାବେ ମହମ୍ମଦ ମୋକିମଙ୍କୁ  ଚୟନ କରିବା ପାଇଁ ତାଙ୍କ ସମର୍ଥକମାନେ  ମେଳି ବାନ୍ଧିଥିବା ଦେଖିବାକୁ ମିଳିଛି ।  

ଶନିବାର ଦିନ ବେଳେ ସ୍ଥାନୀୟ ରୋଟାରୀ  ଭବନରେ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ  ଦାଶ ଏକ ବନ୍ଧୁମିଳନ ଆୟୋଜନ କରିଥିଲେ । ମାତ୍ର ଏହି କାର୍ଯ୍ୟକ୍ରମକୁ ବିଶ୍ୱଜିତ ମୋକିମଙ୍କୁ  ଅତିଥି ଭାବେ ନିମନ୍ତ୍ରଣ କରିଥିଲେ । ମୋକିମଙ୍କ  ଗସ୍ତ ବେଳେ ରାଜ୍ୟ କଂଗ୍ରେସର ବହୁ ନେତା  ଉପସ୍ଥିତ ଥିଲେ । ପିସିସି ସଭାପତି ଭାବେ  ଏମାନେ ମୋକିମଙ୍କୁ ଦେଖିବାକୁ ଚାହୁଁଛନ୍ତି  ବୋଲି ଯୁକ୍ତି ବାଢ଼ିଥିଲେ । ତେବେ ଦୁଇ ପ୍ରଭାରୀ  ନୂଆ ପିସିସି ସଭାପତି ଚୟନ ପାଇଁ ଆଲୋଚନା  କରିବା ପରେ ଏଆଇସିସିକୁ କାହା ସପକ୍ଷରେ  ରିପୋର୍ଟ ଦେବେ ତାହା ଗୁରୁତ୍ୱପୂର୍ଣ୍ଣ । ମାତ୍ର  ଗସ୍ତ ପୂର୍ବରୁ ମୋକିମଙ୍କ ସପକ୍ଷରେ ଏକ ହାୱା  ସୃଷ୍ଟି ହେଉଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ଭକ୍ତଚରଣ  ଦାସ, ଶରତ ରାଉତ ପ୍ରମୁଖଙ୍କ ନାମ ଦୌଡ଼ରେ  ଥିବା କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି ।