ଭୁବନେଶ୍ୱର,୨୮/୦୨: ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରୁଛି ହେଲେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ପୁଲିସ୍‌ର ଦମ୍ ପାଉନି । ଫଳରେ ଅଧିକାଂଶ ମାମଲାରେ ନିର୍ଦ୍ଦୋଷରେ ଖସି ଯାଉଛନ୍ତି ଅଭିଯୁକ୍ତ । ଷ୍ଟେଟ୍ କ୍ରାଇମ୍ ରେକର୍ଡ ଅଫ୍ ବ୍ୟୁରୋ(ଏସ୍‌ସିଆରବି) ରିପୋର୍ଟ ଉପରେ ନଜର ପକାଇଲେ ଜଣାଯାଏ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ୧୧ଟି ପୁଲିସ ରାଜ୍ୟର ସମସ୍ତ ପୁଲିସ ଜିଲ୍ଲା ତାଲିକାରେ କମିଶନରେଟ୍ ପୁଲିସ୍ ଭୁବନେଶ୍ୱର ୟୁପିଡି(ସହରାଞ୍ଚଳ ପୁଲିସ ଜିଲ୍ଲା) ବହୁ ପଛରେ । ୧୧ ପୁଲିସ୍ ଜିଲ୍ଲା ପୁଲିସ ପଛରେ ରହିଛି ଭୁବନେଶ୍ୱର ୟୁପିଡି । ୨୦୨୫ରେ ଭୁବନେଶ୍ୱର ୟୁପିଡିର ଦଣ୍ଡାଦେଶ ହାର ରହିଛି ୩୯.୯% । ୮୯.୫% ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ପ୍ରଥମ ସ୍ଥାନ ଗ୍ରହଣ କରିଛି ଝାରସୁଗୁଡ଼ା ପୁଲିସ ଜିଲ୍ଲା ।

କ୍ରାଇମ୍‌ବ୍ରାଞ୍ଚ, ୨ଟି ଜିଆର୍ପି ଓ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍‌କୁ ମିଶାଇରେ ରାଜ୍ୟରେ ୩୮ ପୁଲିସ ଜିଲ୍ଲା କାମ କରୁଛି । ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ୩୮ ନମ୍ବର ତାଲିକାରେ ରହିଛି କେନ୍ଦ୍ରାପଡ଼ା ଜିଲ୍ଲା । ଯାହା କେନ୍ଦ୍ରାପଡ଼ା ପୁଲିସ୍ ଜିଲ୍ଲାର କେତେ ଦକ୍ଷ ପଦାରେ ପକାଇ ଦେଇଛି । ୨୦୨୫ରେ ଝାରସୁଗୁଡା ପୁଲିସ୍ ଜିଲ୍ଲାର ୨୦୩୬ ମାମଲାରେ ଶୁଣାଣି ହୋଇଥିଲା । ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ପାଇଁ ପୁଲିସ୍ ପକ୍ଷରୁ ସାକ୍ଷ୍ୟପ୍ରମାଣ ଦାଖଲ କରିଥିଲା । ୨୦୩୬ ମାମଲାର ବିଚାର କରି କୋର୍ଟ ୮୯.୫ଧ ଅର୍ଥାତ ୧୮୨୩ଟି ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ । କେନ୍ଦ୍ରାପଡ଼ା ମାତ୍ର ୩.୧ଧ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ କରିଛି । ତାଲିକାରେ ସର୍ବନିମ୍ନ ସ୍ଥାନରେ ରହିଛି କେନ୍ଦ୍ରାପଡ଼ା । ଏହି ଜିଲ୍ଲା ପୁଲିସ୍‌ର ୧୬୭୨ ମାମଲାରେ ଶୁଣାଣି ହୋଇଥିଲା । ମାତ୍ର ୫୨ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସ୍‌ର ୧୮୦୧ଟି ମାମଲାର ଶୁଣାଣି ହୋଇଥିଲା । ମାତ୍ର ୭୧୮ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ । ମାତ୍ର ୩୯.୯% ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଅଭିଯୁକ୍ତକୁ ଦଣ୍ଡିତ କରିବା ପାଇଁ ପୁଲିସ୍ କୋର୍ଟରେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଦାଖଲ କରିବାରେ ଫେଲ୍ ମାରିଥିଲା । ଭୁବନେଶ୍ୱର ୟୁପିଡିଠାରୁ କଟକ ୟୁପିଡି ପଦର୍ଶନ ସାମାନ୍ୟ ଭଲ ରହିଛି । କଟକ ୟୁପିଡିର ଗତବର୍ଷ ୧୭୪୮ଟି ମାମଲାର ଶୁଣାଣି ହୋଇଥିଲା । ୭୧୯ଟି ମାମଲାରେ ଅଭିଯୁକ୍ତ ଦଣ୍ଡିତ ହୋଇଥିଲେ । ମୋଟ ମାମଲାର ୪୦.୩% ଦୋଷୀ ସାବ୍ୟସ୍ତ କରି ୧୧ତମ ସ୍ଥାନ କମିଶନରେଟ୍ ପୁଲିସ୍ କଟକ ୟୁପିଡି ।

ଅଧିକ ପଢ଼ନ୍ତୁ :- ପିସିଆର୍ କର୍ମଚାରୀଙ୍କୁ ପୁଲିସର ଫତୁଆ: ଆଉ ଚଳିବନି ମନମାନି, ଉଲମ ବିଲମ କଲେ ସିଧା ସସ୍ପେଣ୍ଡ୍

ସବୁଠାରୁ ବଡ଼ କଥା ହେଉଛି କେନ୍ଦ୍ରାପଡା, ଜଗତସିଂପୁର, ବାଲେଶ୍ୱର, ଯାଜପୁର ଏବଂ ନୟାଗଡ ଭିଳି ଜିଲ୍ଲା ପୁଲିସ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ତାଲିକାରେ ଦୁଇ ଅଙ୍କରେ ପହଞ୍ଚିବାକୁ ସଂଘର୍ଷ କରୁଛନ୍ତି । ଭୁବନେଶ୍ୱର ପୁଲିସ ପାଖରେ ଅତ୍ୟାଧୁନିକ ସାମଗ୍ରୀ ରହିଥିବା ବେଳେ ଅଭିଯୁକ୍ତଙ୍କୁ ଦଣ୍ଡିତ କରିବାରେ ନୈରାଶ୍ୟଜନକ ହେବା ଏବେ ପୁଲିସର କାର୍ୟ୍ୟ ଦକ୍ଷତା ନେଇ ପ୍ରଶ୍ନ ଉଠିଛି । କମିଶନରେଟ୍ ପୁଲିସ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୨୦୨୫ରେ ଆମ ଅଫିସ୍‌ରମାନେ କେସ୍ କ୍ଲୋଜ୍ କରିବାରେ ବ୍ୟସ୍ତ ଥିଲେ । ସେଥିପାଇଁ ଏମିତି ସ୍ଥିତି ଦେଖିବାକୁ ପଡ଼ିଛି । ଚାଳିତ ବର୍ଷ କିନ୍ତୁ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।