ଭୁବନେଶ୍ବର,୧୬।୧ : ଜାତୀୟ ଶିକ୍ଷା ନୀତି ପାଠ୍ୟକ୍ରମ ପାଇଁ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି । କମିଟିରେ ୧୭ ଜଣ ସଦସ୍ୟ ରହିଛନ୍ତି। ଏଥିରେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ କମିଟି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡିଶା ପାଇଁ ପାଠ୍ୟକ୍ରମ ପ୍ରସ୍ତୁତି ବେଳେ ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନିଆଯିବ । ଜାତୀୟ ଶିକ୍ଷା ନୀତି -୨୦୨୦କୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ  ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ବୁଧବାର  ବିଜ୍ଞପ୍ତି ପ୍ରକାଶ ପାଇଥିଲା।  

ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦। ଏହା ଏକ  ଐତିହାସିକ ପଦକ୍ଷେପ।  ଶିକ୍ଷା ସରଳୀକରଣ ହେବ। ପ୍ରାଥମିକ ସ୍ତରରେ ପିଲାମାନଙ୍କ ଶିକ୍ଷା ଭିତ୍ତି ଠିକ ରହିବା ନେଇ ପ୍ରତି ପଂଚାୟତରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କରିବାକୁ ଯାଉଛନ୍ତି ସରକାର । ବିଦ୍ୟାଳୟ ସ୍ତରରେ ଧନ୍ଦାମୂଳକ ଶିକ୍ଷା ବି ଦିଆଯାଉଛି। ଏନଇପି-୨୦୨୦ରେ ବିଶେଷ କରି ଓଡ଼ିଆ ଭାଷା, କଳା ଓ ସଂସ୍କତିକୁ ପ୍ରଚାର ପ୍ରସାର କରାଯାଉଛି। ଏନଇପି ଲାଗୁ ହେଲେ ଜିରୋ ଡ୍ରପ ଆଉଟ ହେବା ଗୁଣାତ୍ମକ ଶିକ୍ଷା ମିଳି ପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

ସେହିପରି  ରାଜ୍ୟରେ  ମାଧୋ ସିଂ ହାତଖର୍ଚ୍ଚ ଯୋଜନା ବି ଲାଗୁ ହୋଇଛି । ଏଥିରେ ୧୫୬ କୋଟି ବ୍ୟୟ ବରାଦ ହୋଇଛି। ନବମ ଓ ଏକାଦଶ ଶ୍ରେଣୀରେ ପିଲାମାନେ ନାମ ଲେଖାଇଲେ ତାଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ପିଏମ ଶ୍ରୀ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ଶହ ଏମଓୟୁ ସ୍ଵାକ୍ଷର ହୋଇଛି।  ଓଡ଼ିଶାର ପ୍ରାୟ ୩୫୦ ସ୍କୁଲକୁ ଏହା ମିଳିଛି। ଆହୁରି ସ୍କୁଲ ଏଥିରେ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ।  ଏହା ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବ। ଜାନୁଆରୀ ୨୧ରୁ ୨୩ ଯାଏଁ ଏନଇପି କର୍ମଶାଳା  ହେବ ବୋଲି  ମନ୍ତ୍ରୀ କହିଛନ୍ତି।