କଟକ,୧୫/୧୦: ଓଡ଼ିଶାରେ ମୋଟ୍‌  ୫୨ଲକ୍ଷ ୧୫ ହଜାର ୫୯୬ ହେକ୍ଟର ଜଙ୍ଗଲ ଅଞ୍ଚଳ  ରହିଛି । ସେଥିରୁ ୪୦ ହଜାର ୫୦୭ ହେକ୍ଟର ଜଙ୍ଗଲ  ଜମି ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲାଣି ।  ସର୍ବାଧିକ ନବରଙ୍ଗପୁର ଜିଲ୍ଲାର ଜଙ୍ଗଲ ଜମି ରହିଛି  ଜବରଦଖଲକାରୀଙ୍କ କବଳରେ ଅଛି । କେବଳ  ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନୁହେଁ ଉପକୂଳବର୍ତ୍ତୀ  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଆଦି ଜିଲ୍ଲାରେ  ବହୁ ପରିମାଣର ଜଙ୍ଗଲ ଜମି ଜବରଦଖଲରେ  ରହିଛି । ଖୋଦ୍‌ ରାଜ୍ୟ ସରକାର ଜାତୀୟ ଗ୍ରୀନ୍‌  ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଦାଖଲ କରିଥିବା  ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ସରକାର  ସ୍ୱୀକାର କରୁଛନ୍ତି ଯେ, ଜଙ୍ଗଲ କମୁଥିବା ବେଳେ  ଜବରଦଖଲ ବଢିବାରେ ଲାଗିଛି ।  

ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠରେ  ଦର୍ଶାଯାଇଛି ଯେ, ନବରଙ୍ଗପୁରରେ ୨୩ ହଜାର  ୬୬୭ ହେକ୍ଟର ଜଙ୍ଗଲ ଜମି ଜବରଦଖଲ  କରାଯାଇଛି । ସେହିପରି ଶିଳ୍ପ, ଖଣିଖାଦାନର ଜିଲ୍ଲା  ସୁନ୍ଦରଗଡ଼ରେ ୩ ହଜାର ୭୦୭ ହେକ୍ଟର ଜମି,  କଳାହାଣ୍ଡି ଜିଲ୍ଲାରେ ୨୩୨୭ ହେକ୍ଟର ଜଙ୍ଗଲ ଜମି,  ରାୟଗଡ଼ା ଜିଲ୍ଲାରେ ୧୬୦୨ ହେକ୍ଟର, କେନ୍ଦୁଝର  ଜିଲ୍ଲାରେ ୧୭୮୦ ହେକ୍ଟର, କୋରାପୁଟ ଜିଲ୍ଲାରେ ୧୨୮୧ ହେକ୍ଟର ଓ ଗଞ୍ଜାମ ଜିଲ୍ଲାରେ ୧ ହଜାର  ହେକ୍ଟର ଜଙ୍ଗଲ ଜମି ଜବରଦଖଲକାରୀଙ୍କ କବ୍‌ଜାକୁ  ଚାଲିଯାଇଛି । ଅଳ୍ପ ଜଙ୍ଗଲ ଜମି ଥିବା ଉପକୂଳବର୍ତ୍ତୀ  ଜିଲ୍ଲାରେ ମଧ୍ୟ ସ୍ଥିତି ଉଦ୍‌ବେଗଜନକ । କଟକ ଏବଂ  କେନ୍ଦ୍ରାପଡ଼ା ଜିଲ୍ଲାରେ ୧୫୮୧ ହେକ୍ଟର ଜଙ୍ଗଲ ଜମି ଜବରଦଖଲକାରୀଙ୍କ ଦଖଲକୁ ଚାଲିଯାଇଛି । ଏଥିରୁ  ୧୨ଶହ ହେକ୍ଟର ଜମି କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ  ରହିଛି । ଆୟତନ ଦୃଷ୍ଟିରୁ ଅତ୍ୟନ୍ତ ଛୋଟ ଜିଲ୍ଲା ଭାବେ  ପରିଚିତ ଜଗତସିଂହପୁର ଜିଲ୍ଲାର ଜଙ୍ଗଲ ଜମି ମଧ୍ୟ  ଜବରଦଖଲକାରୀଙ୍କ କବ୍‌ଜାରେ । ଏହି ଜିଲ୍ଲାରେ  ୭୫୬ ହେକ୍ଟର ଜଙ୍ଗଲଜମି ହଡ଼ପ ହୋଇଛି ।  

ଏ ସଂକ୍ରାନ୍ତରେ ଆଇନଜୀବୀ ଶଙ୍କର ପ୍ରସାଦ  ପାଣି କହିଛନ୍ତି ଯେ, ୨୦୦୫ ମସିହାରେ ଜଙ୍ଗଲ  ଜମିକୁ ନେଇ ଏକ ଆଇନ ଆସିଥିଲା । ଉକ୍ତ  ଆଇନ ଅନୁଯାୟୀ, ଯଦି ୨୦୦୫ ପୂର୍ବରୁ କେହି  ଜଙ୍ଗଲ ଜମି ଜବରଦଖଲ କରିଥିବାର ଜଣାପଡ଼େ  ତାହେଲେ ସେ ଯଦି ଉପଯୁକ୍ତ ହିତାଧିକାରୀ ବା  ଭୂମିହୀନ ହୋଇଥିବେ ତାହେଲେ ତାଙ୍କ ନାମରେ  ଉକ୍ତ ଜମିକୁ କରି ଦିଆଯିବ । ଇତିମଧ୍ୟରେ ଏହି  ଆଇନ ଆସିବାକୁ ୧୮ବର୍ଷ ବିତିଗଲାଣି । ହେଲେ  ଜମି ଜବରଦଖଲକାରୀଙ୍କ ତାଲିକା ବଢ଼ିବାରେ  ଲାଗିଛି । ଅର୍ଥାତ ଏ ଦିଗରେ ରାଜ୍ୟ ସରକାର  କୌଣସି ଠୋସ୍‌ ପଦକ୍ଷେପ ନେଉନାହାନ୍ତି । କେବଳ  ସେତିକି ନୁହେଁ, ୨୦୧୬ ମସିହାରେ ଏହିଭଳି  ଏକ ମାମଲାରେ ରାଜ୍ୟ ସରକାର ଜଙ୍ଗଲ ଜମି  ଜବରଦଖଲକାରୀଙ୍କ ଏକ ତାଲିକା ଏନ୍‌ଜିଟିରେ  ଦାଖଲ କରିଥିଲେ । ସେତେବେଳେ ଜଙ୍ଗଲଜମି  ଜବରଦଖଲ ପରିମାଣ ଯେତିକି ରହିଥିଲା ଏବେ  ତାହା କମିବା ପରିବର୍ତ୍ତେ ବୃଦ୍ଧି ପାଇଛି । ତେଣୁ  ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେଇଥାନ୍ତେ  ତେବେ ଜବରଦଖଲକାରୀଙ୍କ ସଂଖ୍ୟା ହ୍ରାସ  ପାଇଥାନ୍ତା ବୋଲି ଶ୍ରୀ ପାଣି କହିଛନ୍ତି।