ଭୁବନେଶ୍ୱର,୩୧ା୩: ସ୍କୁଲ ପିଲାଙ୍କ ମାନସିକ ଓ ବୌଦ୍ଧିକ ଚିନ୍ତାରେ ବୃଦ୍ଧି କରିବା ପାଇଁ ପୋଷଣକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ପୂର୍ବ ଘୋଷିତ ପୋଷଣ ଯୁକ୍ତ ଲଡୁ଼ର ଶୁଭାରମ୍ଭ ଆସନ୍ତା କାଲିଠାରୁ କରାଯିବ । ଉତ୍କଳ ଦିବସରେ ଏହାର ଶୁଭାରମ୍ଭ ହେବ । ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ମାଣ୍ଡିଆରେ ପ୍ରସ୍ତୁତ ଲଡ଼ୁ ପ୍ରଦାନ କରାଯିବ । ତେବେ ଏହି ଲଡୁ଼ ସପ୍ତାହକୁ ତିନି ଦିନ ବଣ୍ଟନ କରାଯିବ । 

ସେହିପରି ମଧ୍ୟାହ୍ନ ଭୋଜନକୁ ଆହୁରି ସୁଦୃଢ଼ କରିଛନ୍ତି ରାଜ୍ୟ ସରକାର । ନିଜସ୍ୱ ଖର୍ଚ୍ଚରେ ଅତିରିକ୍ତ ଅଣ୍ଡାଠୁ ଆରମ୍ଭ କରି ମାଣ୍ଡିଆ, ଗୁଡ଼ରେ ପ୍ରସ୍ତୁତ ଲଡୁ଼ ଦିଆଯିବ । କେବଳ ଏତିକି ନୁହେଁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯିବ । ତେବେ ଆସନ୍ତାକାଲିଠାରୁ ମାଣ୍ଡିଆ ଲଡ଼ୁ ପିଲାଙ୍କୁ ବଣ୍ଟନ କରାଯିବ । ବିଭାଗୀୟ ସୂଚନା ଅନୁଯାୟୀ, ଶିଶୁ ବାଟିକାରୁ ଦଶମ ଶ୍ରେଣୀ ପିଲାଙ୍କୁ ମାଣ୍ଡିଆ ଲଡୁ଼ ଦିଆଯିବ । ସପ୍ତାହର ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଏହି ଲଡୁ଼ ଦିଆଯିବ । ଏଥିସହ ସପ୍ତାହକୁ ଅତିରିକ୍ତ ଗୋଟିଏ ଲେଖାଏଁ ଅଣ୍ଡା ମଧ୍ୟ ପିଲାଙ୍କୁ ଦିଆଯିବ । ଅର୍ଥାତ୍‌ ଆଗରୁ ୨ ଦିନ ଅଣ୍ଡା ଦିଆଯାଉଥିଲା, ମାତ୍ର ଏବେ ସପ୍ତାହକୁ ୩ ଦିନ ଅଣ୍ଡା ଦିଆଯିବ । ସୋମବାର, ବୁଧବାର, ଶୁକ୍ରବାର ଦିନ ଅଣ୍ଡା ଦିଆଯିବ ବୋଲି କୁହାଯାଇଛି । 

ଆସନ୍ତାକାଲି ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ଏଥିରେ ସାମିଲ କରାଯିବ । ଏପ୍ରିଲ୍‌ ୨ରେ ଶିଶୁ ବାଟିକା ଶିକ୍ଷାର୍ଥୀଙ୍କର ପ୍ରବେଶ ଉତ୍ସବ ପରେ ସେମାନେ ଏହି ଯୋଜନାରେ ସାମିଲ ହେବେ। ସ୍କୁଲରେ ଏହି ଲଡୁ ପ୍ରସ୍ତୁତ ହେବ । ସ୍କୁଲରେ ଥିବା ରୋଷେୟା ତଥା ହେଲପର ଏହି ଲଡୁ ତିଆରି କରିବେ । ଗୋଟିଏ ଲଡୁ ପାଇଁ ୩ଟଙ୍କା ୫୦ ପଇସା ଖର୍ଚ୍ଚ ହେବ । ଯେଉଁଥିରୁ ୩ଟଙ୍କା ୨୪ ପଇସା ସାମଗ୍ରୀ ଏବଂ ୦.୨୬ ପଇସା ପ୍ରସ୍ତୁତି ଲାଗି ଖର୍ଚ୍ଚ ହେବ । ଚିନା ବାଦାମ୍‌, ମାଣ୍ଡିଆ, ରାଶିରେ ଗୁଡ଼ ମିଶାଇ ଆଇରନ୍‌, ଫାଇବର ଏବଂ ହେଲଦି ଫ୍ୟାଟ୍‌ ଯୁକ୍ତ ଏହି ଲଡୁ ପ୍ରସ୍ତୁତ କରାଯିବ । ଏହା ପିଲାଙ୍କ ଶରୀରକୁ ଆବଶ୍ୟକ ଶକ୍ତି ଯୋଗାଇବ ବୋଲି ବିଭାଗ କହିଛି ।