ଭୁବନେଶ୍ୱର, ୬।୪ : ଓଡ଼ିଶାରେ ଯଥେଷ୍ଟ ପରିମାଣରେ ପେଟ୍ରୋଲ, ଡିଜେଲ୍ ଏବଂ ଏଲପିଜି ମହଜୁଦ ରହିଛି। ଭୟଭୀତ କିମ୍ବା ଆଶଙ୍କାଗ୍ରସ୍ତ ହୋଇ କିଣାକିଣି କରିବାର କୌଣସି ଆବଶ୍ୟକତା ନାହିଁ। ଭୁବନେଶ୍ୱରରେ ଇଣ୍ଡିଆନ୍ ଅଏଲ୍ ଏବଂ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।
ପଶ୍ଚିମ ଏସିଆରେ ଯୁଦ୍ଧ ସଂକଟ ପରିପ୍ରେକ୍ଷୀରେ ରାଜ୍ୟରେ ଇନ୍ଧନ ଉପଲବ୍ଧତା ଓ ୫ କିଗ୍ରା ଏଲପିଜି ସିଲିଣ୍ଡର ସଂକ୍ରାନ୍ତରେ ରହିଥିବା ଭୁଲ୍ ଧାରଣା ସମ୍ପର୍କରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ)ର ମୁଖ୍ୟ ମହାପ୍ରବନ୍ଧକ ଓଡ଼ିଶା ମୁଖ୍ୟ ତଥା ତୈଳ ଉଦ୍ୟୋଗଗୁଡ଼ିକର ରାଜ୍ୟସ୍ତରୀୟ ସଂଯୋଜକ କମଲ୍ ଶିଲ୍ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି ଓଡ଼ିଶାରେ ତୈଳ ଓ ଗ୍ୟାସ ଯୋଗାଣ ସ୍ଥିର ଓ ସ୍ୱାଭାବିକ ରହିଛି। ସମସ୍ତ ଖୁଚୁରା ବିକ୍ରୟ କେନ୍ଦ୍ର ସ୍ୱାଭାବିକ ଭାବରେ କାର୍ଯ୍ୟ କରୁଛି । ଏସବୁ ବିକ୍ରୟ କେନ୍ଦ୍ରରେ ପର୍ୟ୍ୟାପ୍ତ ଷ୍ଟକ୍ ଉପଲବ୍ଧ ଅଛି। କୌଣସି ଏଲପିଜି ବିତରକଙ୍କ ପାଖରେ କୌଣସି ଗ୍ୟାସ ଅଭାବ ନାହିଁ ବୋଲି କହିଥିଲେ । ଏଲପିଜି, ପେଟ୍ରୋଲ କିମ୍ବା ଡିଜେଲର କୌଣସି ଅଭାବ ନାହିଁ ବୋଲି କହିଛନ୍ତି । ରାଜ୍ୟର ସହରାଞ୍ଚଳରେ ପାଇପ୍ଡ୍ ନେଚୁରାଲ୍ ଗ୍ୟାସ୍ (ପିଏନଜି) ସଂଯୋଗ ନେବାକୁ ଉପଭୋକ୍ତାମାନଙ୍କୁ ଉତ୍ସାହିତ କରାଯାଉଛି ବୋଳି କମଲ ଶୀଲ୍ କହିଥିଲେ ।
ଯେକୌଣସି ପ୍ରକାରର ବାଟମାରଣାକୁ ରୋକିବା ପାଇଁ ସାରା ଓଡ଼ିଶାରେ ଡିଜିଟାଲ୍ ଅନଲାଇନ୍ ବୁକିଂକୁ ଦୃଢ଼ ଭାବରେ ଉତ୍ସାହିତ କରାଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ପ୍ରବାସୀ ଶ୍ରମିକ ଏବଂ ଛାତ୍ରଛାତ୍ରୀମାନେ ଠିକଣା ପ୍ରମାଣପତ୍ର ବିନା ପରିଚୟ ପତ୍ର ଦେଇ ୫ କିଲୋଗ୍ରାମ ଏଫଟିଏଲ ସିଲିଣ୍ଡର ସକ୍ରିୟ ଭାବରେ ଯୋଗାଣ କରାଯାଉଛି। ଏହି ସାମ୍ବାଦିକ ସମ୍ମିଳନୀରେ ଏଚପିସିଏଲ, ଭାରତ ପେଟ୍ରୋଲିୟମ, ଗେଲ୍ ଇଣ୍ଡିଆ, ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଅନ୍ୟ ସରକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
ଅନ୍ୟପକ୍ଷରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଚଞ୍ଚଳ କୁମାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ଓ ନିର୍ଦ୍ଦେଶକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ବୈଠକରେ ପଶ୍ଚିମ ଏସିଆ ସଂକଟ ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ଏବଂ ଗୁଜବ ପ୍ରଚାରପ୍ରସାରକୁ ରୋକିବା ଲାଗି ଆଲୋଚନା ହୋଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ବୈଠକରେ ମିଥ୍ୟା ଖବର ଏବଂ ଅପପ୍ରଚାରକୁ ପ୍ରତିହତ କରିବା ଲାଗି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ତଥା ଜନସଚେତନତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ ।