ଉତ୍ପାଦଭିତ୍ତିକ କ୍ଲଷ୍ଟର ଯେମିତି ଟେକ୍ସଟାଇଲ୍, ଇଲେକଟ୍ରୋନିକ୍ସ, ଅଟୋ ଇତ୍ୟାଦିକୁ ପ୍ଲଗ୍ ଏଣ୍ଡ-ପ୍ଲେ ସୁବିଧା ସହିତ ବିଭିନ୍ନ ଜିଲ୍ଲାରେ, ବିଶେଷକରି ଶିଳ୍ପ ନଥିବା ଜିଲ୍ଲାରେ ବିକଶିତ କରାଯାଉ । ଏହା ମାଧ୍ୟମରେ ଆଞ୍ଚଳିକ ବିଷମତା ହ୍ରାସପାଇବ । ଔଦ୍ୟୋଗିକ କରିଡୋର ଏବଂ କ୍ଲଷ୍ଟର ମାଧ୍ୟମରେ କାରଖାନା ବିକାଶ କଲେ ଉତ୍ପାଦନ ପ୍ରତିଯୋଗିତାମୂଳକ ହେବ ଏବଂ ମାର୍କେଟିଂ ସହଜ ହେବ ।

ଗୋଟିଏ ଉତ୍ପାଦନ ଶିଳ୍ପର (କାରଖାନାର) ଉପଯୋଗିତା ବ୍ୟାଖ୍ୟା କରିବାରେ ଶବ୍ଦ ବିଫଳ ହେବ । ସିଧାସଳଖ ଚାକିରି ସୃଷ୍ଟିକରିବା ସହିତ ଅର୍ଥନୈତିକ ଅଭିବୃଦ୍ଧି ସଙ୍ଗେ ସଙ୍ଗେ କାରଖାନାଟିଏ ବାଣିଜ୍ୟ, ପରିବହନ ଏବଂ ଅନ୍ୟାନ୍ୟ ସେବାଭିତ୍ତିକ କ୍ଷତ୍ରରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରିଥାଏ । ଯେତେବେଳେ ଏକ କାରଖାନା ସ୍ଥାପିତ ହୁଏ ଏହା କଞ୍ଚାମାଲକୁ ପ୍ରକ୍ରିୟାକରଣ କରି ଉତ୍ପାଦିତ ସାମଗ୍ରୀକୁ(finished product)ରୂପାନ୍ତର କରେ । ତେଣୁ ସିଧାସଳଖ କଞ୍ଚାମାଲ ଏବଂ ଉତ୍ପାଦିତ ସାମଗ୍ରୀର କ୍ରୟ ଏବଂ ବିକ୍ରୟ ବାଣିଜ୍ୟ ସୃଷ୍ଟିହୁଏ । ଅନେକ ସମୟରେ କଞ୍ଚାମାଲ ଆମଦାନୀ ଏବଂ ଉତ୍ପାଦିତ ସାମଗ୍ରୀ ରପ୍ତାନି ହେବାରୁ ସେବାଭିତ୍ତିକ ଉଦ୍ୟୋଗ ଓ ନୂଆ ନିଯୁକ୍ତି ସୃଷ୍ଟିହୁଏ । କଞ୍ଚାମାଲ ଆଣିବା ଏବଂ ଉତ୍ପାଦିତ ସାମଗ୍ରୀ ବିତରଣ କରିବା ପାଇଁ ପରିବହନ ସେବା ଏବଂ ଶ୍ରମିକ ସମ୍ପୃକ୍ତିର ଆବଶ୍ୟକତା ଥାଏ । ତେଣୁ ଏହା ମାଧ୍ୟମରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିହୁଏ । ଏହାଛଡ଼ା ଯେଉଁ ଜାଗାରେ ବଡ଼ କାରଖାନାଟିଏ ସ୍ଥାପନା କରାଯାଏ ସେଠାରେ କାରଖାନାରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ବିଭିନ୍ନ ସେବା ଯୋଗାଇବାକୁ ଏକ ଟାଉନସିପ୍ ଗଢ଼ିଉଠେ ।
ଏହିପରି ଯଦି ଆମେ ଗଣନା କରୁ, ଆମେ ଏକ ସିଦ୍ଧାନ୍ତରେ ପହଞ୍ଚି ପରିବା ଯେ ଅନ୍ୟ ଯେକୌଣସି ଉଦ୍ୟୋଗ ତୁଳନାରେ କାରଖାନାଟିଏ ବହୁଗୁଣରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିକରେ । ଏହାଛଡ଼ା ଯେଉଁଠାରେ କାରଖାନାଟିଏ ପ୍ରତିଷ୍ଠା ହୁଏ ସେହି ଅଞ୍ଚଳର ଗରିବୀ ଅନେକ ମାତ୍ରାରେ କମିଯାଇ ସ୍ଥାନୀୟ ଆର୍ଥନୀତିକ ଅଭିବୃଦ୍ଧି ସାଙ୍ଗକୁ ଜାତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ଆଗକୁ ନେବାରେ ସହାୟତା କରେ । ଏଥିପାଇଁ କାରଖାନା(ଶିଳ୍ପ) ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଆସିଛି ଏବଂ ଏହାର ବିସ୍ତାର ପାଇଁ ସରକାର ବହୁତ ଯୋଜନା ପ୍ରଣୟନ କରିଛନ୍ତି ଓ କରୁଛନ୍ତି ମଧ୍ୟ । ଉତ୍ପାଦନ ଶିଳ୍ପଗୁଡ଼ିକ ସାମଗ୍ରିକ ବିକାଶରେ ବିଶେଷ ଗୁରୁତ୍ୱ ବହନ କରୁଥିବାରୁ ବିଭିନ୍ନ ରାଜ୍ୟ ପୁଞ୍ଜି ବିନିଯୋଗକୁ ଆକୃଷ୍ଟ କରିବାପାଇଁ ରୋଡ୍ ସୋ, ବିଦେଶ ଯାତ୍ରା, ମେକ୍ ଇନ୍ ଓଡ଼ିଶା, ଭାଇବ୍ରାଣ୍ଟ ଗୁଜରାଟ ପରି ମେଳା ଇତ୍ୟାଦି ଆୟୋଜନ କରୁଛନ୍ତି । କେତେ ପୁଞ୍ଜି ଆସିଲା ଏବଂ କେତେ କାରଖାନା ସୃଷ୍ଟିହେଲା ତାହା ଭିନ୍ନ କଥା । କିନ୍ତୁ ପୁଞ୍ଜି ଆକର୍ଷିତ କରିବା ଏବଂ ଅଧିକରୁ ଅଧିକ କାରଖାନା ପ୍ରତିଷ୍ଠା କରିବା ପାଇଁ ପ୍ରୟାସରେ ପ୍ରାୟ ସବୁ ରାଜ୍ୟ ତତ୍ପର ।
ଉତ୍ପାଦନ ଶିଳ୍ପର ପ୍ରତିଯୋଗିତା ଏବଂ ଅଭିବୃଦ୍ଧି ଜାଣିବା ପାଇଁ ଆମେ ପ୍ରାୟତଃ ଏହି କ୍ଷେତ୍ରର ମୋଟ୍ ଘରୋଇ ଉତ୍ପାଦ(ଜିଡିପି)କୁ ଏହାର ଅବଦାନକୁ ହିସାବ କରିଥାଉ । ୧୯୮୦ ପରଠାରୁ ଜିଡିପିରେ ଉତ୍ପାଦନର ଅବଦାନ ୧୬ ଧ ସ୍ଥିର ରହିବା ଏବଂ ଏସିଆର ଅନ୍ୟ ତୁଳନାତ୍ମକ ଅର୍ଥନୀତିରେ ଏହା ୨୫-୩୪%କୁ ନଜରରେ ରଖି ଭାରତ ସରକାର ଜିଡିପିରେ ଉତ୍ପାଦନର ଅବଦାନକୁ ୨୫% ବୃଦ୍ଧି କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୨୦୧୧ରେ ଜାତୀୟ ଉତ୍ପାଦନ ନୀତି ପ୍ରଣୟନ କରିଥିଲେ । ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ସେପ୍ଟେମ୍ବର ୨୦୧୪ରେ ଆରମ୍ଭ କରାଗଲା । କିନ୍ତୁ ଏହି ଲକ୍ଷ୍ୟ ଏବେବି ମରୀଚିକା ସଦୃଶ ରହିଅଛି, କାରଣ ବର୍ତ୍ତମାନ ଭାରତରେ ଉତ୍ପାଦନ କ୍ଷେତ୍ରର ଜିଡିପିକୁ ଅବଦାନ ମାତ୍ର ୧୫.୯% ଅଛି ।
ଉତ୍ପାଦନକୁ ବୃଦ୍ଧିକରିବା ପାଇଁ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ନୀତି ପ୍ରଣୟନ କରିଛନ୍ତି । ଏବେ ଦେଖିବା ଏତେସବୁ ପ୍ରୟାସ ପରେ ଆମ ରାଜ୍ୟରେ ଉତ୍ପାଦନ ଶିଳ୍ପର(କାରଖାନା) ସ୍ଥିତି କେମିତି ଅଛି । ମୁଁ ଏହି ଆଲେଖ୍ୟରେ ସମୟ ଅନୁସାରେ ଉତ୍ପାଦନ ଶିଳ୍ପର ବୃଦ୍ଧି ଏବଂ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଆମ ରାଜ୍ୟର ଉତ୍ପାଦନ ଶିଳ୍ପର ସ୍ଥିତି ଉପରେ ଆଲୋକପାତ କରିବି ।
ଏକବର୍ଷ ତଳେ ମୁଁ ଓଡ଼ିଶାରେ କାରଖାନା ପରିସ୍ଥିତି ଉପରେ ନିବନ୍ଧଟିଏ ଲେଖିଥିଲି । ଏବେ ନୂତନ ତଥ୍ୟ ଉପଲବ୍ଧ ହେବାରୁ ଏହି ଆଲେଖ୍ୟ ମାଧ୍ୟମରେ କାରଖାନା ପରିସ୍ଥିତିରେ କେତେ ସୁଧାର ହେଲା ତାହା ଉପରେ ଆଲୋକପାତ କରିବି । ଏହି ଆଲେଖ୍ୟରେ ବାର୍ଷିକ ଶିଳ୍ପ ସର୍ଭେକ୍ଷଣ ୨୦୨୩-୨୪ର ସଦ୍ୟ ଫଳାଫଳ ତଥ୍ୟ ବ୍ୟବହାର ବିଗତ ଏକବର୍ଷ ଭିତରେ ଆମ ରାଜ୍ୟରେ କାରଖାନାର କେତେ ଅଗ୍ରଗତି ହେଉଛି ଏବଂ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ସ୍ଥିତି କେତେ ସୁଧୁରିଛି ତା’ ଉପରେ ଆଲୋଚନା କରିବି ।
ଗୋଟିଏ ରିପୋର୍ଟରୁ ବିକାଶର ଧାରା ଜଣାପଡ଼ିନପାରେ । ତେଣୁ ମୁଁ ଏହି ଆଲେଖ୍ୟରେ ଉତ୍ପାଦନ ଶିଳ୍ପଗୁଡିକର ଅଭିବୃଦ୍ଧିର ଧାରା ବୁଝିବାକୁ ବିଗତ ତିନିଟି ବାର୍ଷିକ ଶିଳ୍ପ ସର୍ଭେକ୍ଷଣ ଫଳାଫଳ (୨୦୨୧-୨୨, ୨୦୨୨-୨୩ ଏବଂ ସଦ୍ୟ ୨୦୨୩-୨୪) ତଥ୍ୟ ବିଶ୍ଳେଷଣ କରିବା ଉଚିତ ମନେକରୁଛି ।
ସଦ୍ୟ ୨୦୨୩-୨୪ ବାର୍ଷିକ ଶିଳ୍ପ ସର୍ଭେକ୍ଷଣ ଫଳାଫଳ ଦେଖିଲେ ଜଣାପଡ଼େ ଯେ, ସାରା ଭାରତରେ ୨୬୦୦୬୧ କାରଖାନା ଥିବାବେଳେ ୫୦%ରୁ ଅଧିକ କାରଖାନା ପାଞ୍ଚଟି ରାଜ୍ୟରେ ଅବସ୍ଥିତ । ତାମିଲନାଡୁ (୧୫.୪୩%) ଗୁଜରାଟ (୧୨.୮୧%), ମହାରାଷ୍ଟ୍ର (୧୦.୨୦%) ଉତ୍ତରପ୍ରଦେଶ (୭.୯୬%) ଏବଂ ଆନ୍ଧ୍ରପ୍ରଦେଶ (୬.୧୬%) । ଅନ୍ୟସବୁ ରାଜ୍ୟ ନିଜର ସ୍ଥାନ ବଜାୟ ରଖିଥିବାବେଳେ ଓଡ଼ିଶା ପୁଞ୍ଜି ବିନିଯୋଗରେ ଗୋଟିଏ ସ୍ଥାନ ତଳକୁ ଖସିଛି । ୨୦୨୧-୨୨ ବର୍ଷର ଫଳାଫଳ ଅନୁସାରେ ତାମିଲନାଡୁରେ ସର୍ବାଧିକ ୩୧୬୦୬ କାରଖାନା ଥିବାବେଳେ ଓଡ଼ିଶାରେ ୨୬୯୨ କାରଖାନା ଥିବାର ଉଲ୍ଲେଖ କରାଯାଇଛି । ବାକି ସବୁ ରାଜ୍ୟର କାରଖାନା ସଂଖ୍ୟା ଓଡ଼ିଶା ଠାରୁ କମ୍ ।
ଯେପରି ସଦ୍ୟ ୨୦୨୩-୨୪ ତଥ୍ୟକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ବିଗତ ବର୍ଷଗୁଡିକ ପରି ମଧ୍ୟ ଏହି ବର୍ଷ ତାମିଲନାଡୁରେ ସର୍ବାଧିକ ୪୦୧୨୧ କାରଖାନା ଥିବାବେଳେ ଗୁଜରାଟରେ ୩୩୩୧୧, ମହାରାଷ୍ଟ୍ରରେ ୨୬୫୩୯, ଆନ୍ଧ୍ରପ୍ରଦେଶରେ ୧୬୦୧୧, ଉତ୍ତର ପ୍ରଦେଶରେ ୨୨୧୪୧, ତେଲେଙ୍ଗାନାରେ ୧୩୪୪୬, କର୍ଣ୍ଣାଟକରେ ୧୪୯୮୪, ପଞ୍ଜାବରେ ୧୩୧୬୬, ହରିୟାଣାରେ ୧୦୩୮୯, ରାଜସ୍ଥାନରେ ୧୦୮୬୮, ପଶ୍ଚିମ ବଙ୍ଗରେ ୧୦୧୦୭, କେରଳରେ ୭୫୨୮, ଆସାମରେ ୬୦୪୯, ମଧ୍ୟପ୍ରଦେଶରେ ୫୧୦୨, ଛତିଶଗଡରେ ୫୨୧୦, ବିହାରରେ ୩୩୮୬ ଏବଂ ଓଡ଼ିଶାରେ ୩୨୮୧ କାରଖାନା ରହିଅଛି । ଏହି ତଥ୍ୟରୁ ସ୍ପଷ୍ଟ ହୁଏ ଯେ, କାରଖାନା ସଂଖ୍ୟା ଆଧାରରେ ୧୬ଟି ରାଜ୍ୟ ବିଗତ ତିନିବର୍ଷ ହେବ ଓଡ଼ିଶା ଉପରେ ରହିଆସିଅଛି ।
ନିଯୁକ୍ତି ଏବଂ ରୋଜଗାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଜନସାଧାରଣଙ୍କର ଆର୍ଥିକ ସ୍ଥିରତା ଏବଂ ସୁରକ୍ଷା ପାଇଁ ରୋଜଗାର ଜରୁରି । ଏବେ ଦେଖିବା ଆମ ରାଜ୍ୟରେ କାରଖାନା ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ୍ ହେଲେ ମଧ୍ୟ ସେହି କାରଖାନାଗୁଡିକରେ ନିଯୁକ୍ତି ଏବଂ ରୋଜଗାର ସ୍ଥିତି କ’ଣ ? ୨୦୨୩-୨୪ ବାର୍ଷିକ ଶିଳ୍ପ ସର୍ବେକ୍ଷଣ ଫଳାଫଳ ଅନୁସାରେ ୧୩ଟି ରାଜ୍ୟର କାରଖାନାଗୁଡ଼ିକ ଓଡ଼ିଶାଠାରୁ ବେଶି ରୋଜଗାର ତାଙ୍କ ରାଜ୍ୟରେ ଯୋଗାଇ ପାରିଛନ୍ତି ।
୨୦୨୧-୨୨ ଏବଂ ୨୦୨୨-୨୩ ବାର୍ଷିକ ଶିଳ୍ପ ସର୍ବେକ୍ଷଣ ଫଳାଫଳ ଆଧାରରେ ମଧ୍ୟ ସେହି ୧୩ଟି ରାଜ୍ୟରେ ଥିବା କାରଖାନାଗୁଡିକ ଓଡ଼ିଶାରେ ଥିବା କାରଖାନାଗୁଡ଼ିକଠାରୁ କ୍ରମାଗତ ଭାବରେ ବେଶି ରୋଜଗାର ସୃଷ୍ଟି କରିପାରିଛନ୍ତି । ସେହି ରାଜ୍ୟଗୁଡ଼ିକ ହେଲା- ତାମିଲନାଡୁ, ଗୁଜରାଟ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ହରିୟାଣା, ପଞ୍ଜାବ, ରାଜସ୍ଥାନ, ପଶ୍ଚିମ ବଙ୍ଗ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ । ବିଗତ ତିନିବର୍ଷର ବାର୍ଷିକ ଶିଳ୍ପ ସର୍ବେକ୍ଷଣ ଫଳାଫଳ ଅନୁସାରେ ତାମିଲନାଡୁରେ ସର୍ବାଧିକ କାରଖାନା ଏବଂ ସର୍ବାଧିକ ରୋଜଗାର ସୃଷ୍ଟି ହୋଇଛି । ୨୦୨୩-୨୪ ବାର୍ଷିକ ଶିଳ୍ପ ସର୍ବେକ୍ଷଣ ଫଳାଫଳ ଅନୁଯାୟୀ, ମୂଲ୍ୟଯୋଗ (ନେଟ୍ ଭାଲ୍ୟୁ ଆଡେଡ୍) ଦେଖିଲେ ଜଣାଯାଏ, ଓଡ଼ିଶା ଭାରତର ୧୧ଟି ପ୍ରମୁଖ ରାଜ୍ୟଠାରୁ ପଛରେ ଅଛି । ଓଡ଼ିଶାଠାରୁ ଆଗରେ ଥିବା ରାଜ୍ୟଗୁଡ଼ିକ ହେଉଛନ୍ତି- ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ପଶ୍ଚିମ ବଙ୍ଗ ଏବଂ ମଧ୍ୟପ୍ରଦେଶ ।
ଓଡ଼ିଶାରେ କାର୍ଯ୍ୟକାରୀ ପୁଞ୍ଜି ପରିସ୍ଥିତି ମଧ୍ୟ ଅନ୍ୟାନ୍ୟ ରାଜ୍ୟଠାରୁ ଖରାପ । ସଦ୍ୟ ଫଳାଫଳ ଦେଖିଲେ ଜଣାପଡ଼େ ୧୮ଟି ରାଜ୍ୟର କାର୍ଯ୍ୟକାରୀ ପୁଞ୍ଜି ସ୍ଥିତି ଓଡ଼ିଶାଠାରୁ ଭଲ । କାର୍ଯ୍ୟକାରୀ ପୁଞ୍ଜି ସଠିକ୍ ମାତ୍ରାରେ ନମିଳିଲେ କାରଖାନାଗୁଡ଼ିକ ସୁରୁଖୁରୁରେ ଚାଲିବା କଷ୍ଟକର । ତେଣୁ ଅଧିକ ରୋଜଗାର ହେବ କିପରି? ମୁଁ କିଛି ଉଦ୍ୟୋଗୀଙ୍କ ସହ କଥା ହେଲି । ସେମାନଙ୍କ କହିବା ଅନୁଯାୟୀ ଓଡ଼ିଶାରେ ଥିବା ବ୍ୟାଙ୍କଗୁଡ଼ିକ କାର୍ଯ୍ୟକାରୀ ପୁଞ୍ଜିର ଆବଶ୍ୟକତା ଓ ଯଥେଷ୍ଟତା ଆକଳନ କରିବାରେ ବିଫଳ ହୁଅନ୍ତି । ଏହା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଏହା ପୁଙ୍ଖାନୁପୁଙ୍ଖ ଆଲୋଚାନା କରିବାର ଆବଶ୍ୟକତା ରହିଛି ।
ବିଗତ ତିନିବର୍ଷର ଫଳାଫଳରୁ ଜଣାପଡ଼େ ଓଡ଼ିଶା ସ୍ଥିତି ପୁଞ୍ଜି ବିନିଯୋଗରେ (ଫିକ୍ସଡ୍ କ୍ୟାପିଟାଲ) ଓ ମୋଟାମୋଟି ପୁଞ୍ଜି ଆକର୍ଷଣ କରିବାରେ କ୍ରମାଗତ ଭାବରେ ପ୍ରଥମ ପାଞ୍ଚ ରାଜ୍ୟ ମଧ୍ୟରେ ଥିବାବେଳେ କାରଖାନା ସଂଖ୍ୟା ଏବଂ ସେହି କାରଖାନାରେ ନିୟୋଜନ, ମୋଟ୍ ମୂଲ୍ୟ ଯୋଗ ଏବଂ ନିୟୋଜନ କ୍ଷେତ୍ରରେ ସେଇ ଗୋଟିଏ ଧାରା ଦେଖିବାକୁ ମିଳେ । ଓଡ଼ିଶା କାରଖାନା ସଂଖ୍ୟା, ମୋଟ୍ ମୂଲ୍ୟ ଯୋଗ ଏବଂ କାର୍ଯ୍ୟକାରୀ ପୁଞ୍ଜି ନିବେଶରେ ବହୁତ ପଛରେ ।
ଓଡ଼ିଶାର ଶିଳ୍ପ ମୋଟାମୋଟି ଭାବରେ ଖଣିଜ ପଦାର୍ଥ ଏବଂ ତତ୍ସଂଲଗ୍ନ ଧାତୁ ଉତ୍ପାଦ ଶିଳ୍ପଦ୍ୱାରା ନିର୍ଦ୍ଧାରିତ । ଏହିସବୁ ଶିଳ୍ପର ବ୍ୟାପକ ଯାନ୍ତ୍ରିକୀକରଣ ଫଳରେ ନିଯୁକ୍ତି ସୁଯୋଗ ହ୍ରାସପାଉଛି । ଏହା ସହିତ ପ୍ରାୟ ଅଧିକାଂଶ ଶିଳ୍ପ ଏବଂ ଖଣିର ମାଲିକାନା ବା ପରିଚାଳନା ଦାୟିତ୍ୱ ସ୍ଥାନୀୟ ନିବାସୀମାନଙ୍କ ପାଖରେ ନଥିବାରୁ ଶିଳ୍ପର ଫାଇଦାରୁ ସ୍ଥାନୀୟ ଅର୍ଥନୀତିକୁ ବିଶେଷ ଅବଦାନ ରହିପାରୁନାହିଁ । ସେହିପରି ଏହିସବୁ ଶିଳ୍ପରୁ ଆସୁଥିବା ଲାଭାଂଶ ଅନ୍ୟ ରାଜ୍ୟରେ ବା ରାଜ୍ୟ ଭିତରେ ମାତ୍ର କିଛି ବ୍ୟକ୍ତିଙ୍କ ପାଖରେ ଠୁଳ ହେଉଥିବାରୁ ଏହା ରାଜ୍ୟର ଉତ୍ପାଦନର ଶିଳ୍ପର ଅଭିବୃଦ୍ଧି ଦିଗରେ ବିଶେଷ ସହାୟକ ହୋଇପାରୁନାହିଁ ।
ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗମାନଙ୍କ ଭିତରେ କେତେ ଉତ୍ପାଦ ଶିଳ୍ପ ଅଛି ସେହି ତଥ୍ୟ ଜାଣିବାକୁ ମୁଁ ଭାରତ ସରକାରଙ୍କର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ (ଏମଏସଏମଇ) ମନ୍ତ୍ରଣାଳୟ ୱେବସାଇଟ୍ ଯାଞ୍ଚ କରି ଦେଖିଲି ମୋଟ୍ ୬୮୪୮୪୪୯୭ ଉଦ୍ୟୋଗ ଉଦ୍ୟମ ରେଜିଷ୍ଟ୍ରେସନ କରିଥିବାବେଳେ ତନ୍ମଧ୍ୟରୁ ମାତ୍ର ୧୪୪୦୮୬୦୭³ ମାନେ ୨୧% ଉତ୍ପାଦ ଶିଳ୍ପ । ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗମାନଙ୍କ ବ୍ୟାପକତା ଦେଖିଲେ ଯଦି ସେମାନଙ୍କ ମଧ୍ୟରେ ଉତ୍ପାଦ ଶିଳ୍ପ ବୃଦ୍ଧି ନହୁଏ ତେବେ ରୋଜଗାର ସୃଜନ ଲକ୍ଷ୍ୟ ହାସଲ କରିବା କଷ୍ଟକର ହେବ । ତେଣୁ ରୋଜଗାର ସୃଜନକୁ ତ୍ୱରାନ୍ୱିତ କରିବାକୁ ହେଲେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗମାନଙ୍କ ଭିତରେ ଉତ୍ପାଦ ଶିଳ୍ପର ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରିବା ଜରୁରି ।
ଉତ୍ପାଦଭିତ୍ତିକ କ୍ଲଷ୍ଟର ଯେମିତି ଟେକ୍ସଟାଇଲ୍, ଇଲେକଟ୍ରୋନିକ୍ସ, ଅଟୋ ଇତ୍ୟାଦିକୁ "ପ୍ଲଗ୍-ଏଣ୍ଡ-ପ୍ଲେ (ତୁରନ୍ତ ଚାଲୁ କରିବା) ସୁବିଧା ସହିତ ବିଭିନ୍ନ ଜିଲ୍ଲାରେ, ବିଶେଷକରି ଶିଳ୍ପ ନଥିବା ଜିଲ୍ଲାରେ ବିକଶିତ କରାଯାଉ । ଏହା ମାଧ୍ୟମରେ ଆଞ୍ଚଳିକ ବିଷମତା ହ୍ରାସପାଇବ । ଔଦ୍ୟୋଗିକ କରିଡୋର ଏବଂ କ୍ଲଷ୍ଟର ମାଧ୍ୟମରେ କାରଖାନା ବିକାଶ କଲେ ଉତ୍ପାଦନ ପ୍ରତିଯୋଗିତାମୂଳକ ହେବ ଏବଂ ମାର୍କେଟିଂ ସହଜ ହେବ । ଉତ୍ପାଦନ ଶିଳ୍ପଗୁଡ଼ିକର ଲଜିଷ୍ଟିକ୍ସ ଖର୍ଚ୍ଚ କମାଇବା ପାଇଁ ବନ୍ଦର, ରେଳପଥ, ରାଷ୍ଟ୍ରୀୟ ରାସ୍ତା ଏବଂ ନିର୍ଦ୍ଦିଷ୍ଟ ମାଲବାହୀ କରିଡୋରରେ ବିନିଯୋଗ କରାଯାଉ । ଉତ୍ପାଦନଭିତ୍ତିକ ଏମଏସଏମଇଗୁଡ଼ିକ ପାଇଁ ଜମାନତ-ମୁକ୍ତଋଣ ବୃଦ୍ଧି କରାଯାଉ ଏବଂ ସେମାନଙ୍କ ପାଇଁ ସୁଧ ହାର ହ୍ରାସ କରାଯାଉ । ସଂକ୍ଷେପରେ କହିଲେ, ବ୍ୟବସାୟ ସହଜତା, ଢାଞ୍ଚା, ଅର୍ଥ, ପ୍ରଯୁକ୍ତି, କୌଶଳ ଏବଂ ବିଶ୍ୱ ଏକତ୍ରିକରଣକୁ ସଂଯୋଗ କରି କାରଖାନାଗୁଡ଼ିକ ପାଇଁ ଏକ ସହାୟକ ପରିବେଶ ତିଆରି କରାଯାଉ