ଭୁବନେଶ୍ୱର, ୭।୪ : ବଜେଟ କେବଳ ଆୟ-ବ୍ୟୟର ତାଲିକା ନୁହେଁ। ବରଂ ଏହା ଓଡ଼ିଶାର ସମଗ୍ର ଉନ୍ନତି ସହ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣର ଏକ ସୁଦୃଢ଼ ରୋଡମ୍ୟାପ୍। ରାଜ୍ୟସ୍ତରୀୟ ବଜେଟ ସଚେତନତା କର୍ମଶାଳା ‘ଆମେ ଜାଣିବା, ଆମ ବଜେଟ’ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ରାଜ୍ୟର ଦୀର୍ଘମିଆଦୀ ଭିଜନ୍ ସହ ସମନ୍ୱିତ ହୋଇ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ମୂଳ ଭିତ୍ତିକୁ ସୁଦୃଢ଼ କରିବ । ଚଳିତ ବଜେଟ୍ରେ କାର୍ଯ୍ୟକ୍ରମ ଓ ଯୋଜନା ମିଶି ୩୧ଟି ନୂଆ ପଦକ୍ଷେପ ନିଆଯାଇଛି । ଏହି ବଜେଟ୍ରେ ମୋଟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ପୁଞ୍ଜି ବ୍ୟୟକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଚଳିତ ବର୍ଷର ବଜେଟ, ବିଗତ ବର୍ଷର ବଜେଟ ଅଟକଳ ଠାରୁ ୭ ପ୍ରତିଶତ ଅଧିକ । ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିଅନ ଆମେରିକୀୟ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାରର ଅର୍ଥନୀତିରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ଅସମ୍ଭବ ଲାଗୁଥିଲେ ମଧ୍ୟ ଅସମ୍ଭବକୁ ସମ୍ଭବ କରିବାର ସାମର୍ଥ୍ୟ ଓଡ଼ିଆ ମାନଙ୍କ ପାଖରେ ଅଛି ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଏହା ନିଶ୍ଚିନ୍ତ ରୂପେ ସମ୍ଭବ ହେବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ବଜେଟ୍ରେ ଭିତ୍ତିଭୂମି, ଶିଳ୍ପ, ପର୍ଯ୍ୟଟନ, କୃଷି, ନାରୀ ସଶକ୍ତିକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଇଛି । ବଜେଟ୍ରେ ଗ୍ରାମୀଣ ଉନ୍ନୟନ, ରୋଜଗାର ସୃଷ୍ଟି ଓ ଦାଦନ ସମସ୍ୟାର ସମାଧାନ ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି ।
ଆସନ୍ତା ୧୪ ଏପ୍ରିଲ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍ତରରେ “ଆମେ ଜାଣିବା, ଆମ ବଜେଟ” କାର୍ଯ୍ୟକ୍ରମ ଆୟୋଜିତ ହୋଇ ବଜେଟର ବିଭିନ୍ନ ପାର୍ଶ୍ୱକୁ ସରଳ ଭାଷାରେ ଲୋକଙ୍କ ନିକଟକୁ ପହଞ୍ଚାଯିବ । ସେ ଜନସାଧାରଣଙ୍କୁ ଏହି ପ୍ରକ୍ରିୟାରେ ସକ୍ରିୟ ଭାଗ ନେଇ ତାଙ୍କର ମତାମତ ପ୍ରଦାନ କରିବାକୁ ଆହ୍ୱାନ କରିଥିଲେ । ଏହି ବଜେଟ୍ ଓଡ଼ିଶାର ସ୍ୱାଭିମାନ ଓ ସମୃଦ୍ଧିର ଏକ ଶକ୍ତିଶାଳୀ ପ୍ରତିବିମ୍ବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଆମର ଏହି ବଜେଟ୍ ହେଉଛି ନାଗରିକ କୈନ୍ଦ୍ରିକ ବଜେଟ୍ । ସାଧାରଣ ଲୋକଙ୍କୁ ଦୃଷ୍ଟିରେ ରଖି ଆମର ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି । ଏହି ବଜେଟ୍ ସଚେତନତା କର୍ମଶାଳା ଦ୍ୱାରା ସାଧାରଣ ଲୋକଙ୍କ ପାଇଁ ବଜେଟ୍ରେ ସ୍ଥାନିତ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ସେମାନେ ସଚେତନ ହେବେ ଓ ଏହାର ସୁଫଳ ସେମାନଙ୍କ ପାଖରେ ପହଞ୍ଚିବ । ଏହି କର୍ମଶାଳାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଦେଓ ରଞ୍ଜନ ସିଂହ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ମିଶ୍ର ଉପସ୍ଥିତ ଥିଲେ ।