ଭୁବନେଶ୍ୱର,୮/୬ : ଯାତ୍ରା ପାଇଁ ଏସଓପି ଦାବି କରିଛନ୍ତି ଯାତ୍ରା କମିଟି ସଦସ୍ୟ । ଏସଓପି ନ ଥିବାରୁ ଯାତ୍ରାରେ ନାନା ବିଭ୍ରାଟ ଦେଖା ଦେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ରବିବାର ଯାତ୍ରା କମିଟି ମହାସଂଘର ଏକ ଜରୁରୀ ବୈଠକ ଭୁବନେଶ୍ୱରସ୍ଥିତ ରୋଟାରୀ କ୍ଲବରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ରାଜ୍ୟ ତଥା ଜିଲ୍ଲା ସ୍ତରରେ କମିଟିକୁ କିପରି ସୁଦୃଢ଼ କରାଯିବ ସେ ଉପରେ ସଦସ୍ୟମାନଙ୍କ ସହ ଆଲୋଚନା ହୋଇଥିଲା । ଖୁବଶୀଘ୍ର ରାଜ୍ୟ କର୍ମକର୍ତ୍ତା ଚୟନ ହେବା ନେଇ ମଧ୍ୟ ସୂଚନା ମିଳିଥିଲା ।
ଜଲିଉଡ୍ ହାସ୍ୟ ଅଭିନେତା ପ୍ରତାପ ମହାନ୍ତିଙ୍କୁ ମିଳିଛି ଆଶ୍ୱସ୍ତି । ପ୍ରତାପଙ୍କ ଉପରେ ଲାଗିଥିବା ବ୍ୟାନ୍କୁ ରବିବାର ଯାତ୍ରା ମାଲିକ ସଂଘ ହଟେଇ ଦେଇଛି । ଏଣିକି ସେ ଯାତ୍ରାରେ ଅଭିନୟ କରିପାରବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସେହିପରି, ଖଳନାୟକ ସଂଜୟ ଭୋଳ ମଧ୍ୟ ନିଜର ଭୁଲ ସ୍ୱୀକାର କରି ଲେଖକଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି । ତେବେ ମାଲିକ ନୁହନ୍ତି ବରଂ ଓଡ଼ିଶା ମାଷ୍ଟର ସଂଘ(ଓମା)କୁ କ୍ଷମା ମାଗିବାକୁ ସଂଜୟଙ୍କୁ ପରାମର୍ଶ ଦିଆଯାଇଥିବା ସଙ୍ଘ ପକ୍ଷରୁ ସୂଚନା ମିଳିଛି ।