କଟକ/ଜଗତପୁର,୦୧/୦୪: ଆଜି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ କଟକ ସତ୍ୟଭାମାପୁରଠାରେ  ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ଉତ୍ସବ ପାଳନ କରାଯିବ । ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ମଧୁବାବୁଙ୍କ ଜନ୍ମପୀଠ ସମନ୍ୱିତ ବିକାଶ  ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସୋମବାର  ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, କଟକ ଡିସିପି  ଖିଲାରି ଋଷିକେଶ ଦ୍ୟାନ୍‌ଦେଓ ଓ ଅନ୍ୟ ପଦାଧିକାରୀମାନେ  ସତ୍ୟଭାମାପୁରଠାରେ ସଭା ସ୍ଥଳ ଓ ରୁଟ୍‌ ଚାଟ୍‌ ଅନୁଧ୍ୟାନ କରିଥିଲେ।

ମୁଖ୍ୟମନ୍ତ୍ରୀ ସକାଳ ୯ଟାରେ ହେଲିକପ୍ଟରରେ  ଭୁବନେଶ୍ୱରରୁ ସତ୍ୟଭାମାପୁରଠାରେ ପହଞ୍ଚିବେ । ମଧୁବାବୁଙ୍କ  ଜନ୍ମପୀଠକୁ ଯାଇ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ  କରିବେ । ମଧୁବାବୁଙ୍କ ଅନ୍ତୁଡ଼ିଶାଳ ପରିଦର୍ଶନ ପରେ ହରିଡ଼ା  ପଡ଼ିଆଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ  ଉତ୍କଳଗୌରବଙ୍କ ଜନ୍ମପୀଠ ସମନ୍ୱିତ ବିକାଶ ପ୍ରକଳ୍ପର  ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଅଭିଭାଷଣ ରଖିବେ।  

ସୁରକ୍ଷା ବନ୍ଦୋବସ୍ତରେ ରିଜର୍ଭ ଫୋର୍ସ, କନ୍‌ଷ୍ଟେବଲ୍‌  ସହିତ ଏପିଆର୍‌ କନଷ୍ଟେବଲଙ୍କୁ ମିଶାଇ ୧୨ ଶହ  ପୁଲିସ୍‌ କର୍ମଚାରୀ, ୯୦ ଜୁନିଅର ଅଫିସର୍‌, ୩୦ ଜଣ  ଇନ୍ସପେକ୍ଟର ଓ ଏସିପି, ୩ ଜଣ ଅତିରିକ୍ତ ଡିସିପି  ନିୟୋଜିତ ରହିବେ । ସୂଚନାଯୋଗ୍ୟ, ଦୀର୍ଘବର୍ଷ ଧରି ସତ୍ୟଭାମାପୁରସ୍ଥିତ ମଧୁବାବୁଙ୍କ ଜନ୍ମପୀଠ ଅବହେଳିତ  ଅବସ୍ଥାରେ ରହିଥିଲା । ପୂର୍ବ ସରକାର ସମୟରେ ୨୧  କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଥିଲେ ମଧ୍ୟ ଜମି  ଅଧିଗ୍ରହଣ ସମସ୍ୟାରୁ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇ  ପାରିନଥିଲା । ଏହି ପ୍ରକଳ୍ପକୁ ଆଉ ଥରେ ନୂଆ ଢଙ୍ଗରେ  କାର୍ଯ୍ୟକାରୀ କରିବାକୁ ଡିପିଆର୍‌ ପ୍ରସ୍ତୁତ କରାଯାଇଛି ।