କଟକ, ୨୧/୦୬:ଜନସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ପରୀକ୍ଷା ନିରୀକ୍ଷାଠାରୁ ଆରମ୍ଭ କରି କଲେରା ଓ ଡାଇରିଆ ଆଦି ବିଭିନ୍ନ ସଂକ୍ରାମକ ରୋଗ ଚିହ୍ନଟ ଲାଗି ଏକଦା ଷ୍ଟେଟ୍ ପାଥୋଲୋଜି ଥିଲା ନିର୍ଭରଯୋଗ୍ୟ ପରୀକ୍ଷା ପ୍ରତିଷ୍ଠାନ । କଲେରା ଚିହ୍ନଟ ଓ ନିରାକରଣ ପାଇଁ କଟକସ୍ଥିତ ଷ୍ଟେଟ୍ ପାଥୋଲୋଜି ଉପରେ ସାରା ରାଜ୍ୟ ନିର୍ଭର କରୁଥିଲା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଲାଗି ଏକଦା ଗୁରୁତ୍ୱ ବହନ କରୁଥିବା ଏହି ନିଦାନ କେନ୍ଦ୍ରକୁ ଏବେ କିନ୍ତୁ ଖୋଜିଲେ ସହଜରେ ମିଳୁନି । ଏସ୍ସିବି ସଂପ୍ରସାରଣ ଯୋଜନାରେ ଏସ୍ସିବି ମେଡିକାଲ୍ ତଥା ବୋସ୍ କ୍ୟାମ୍ପସ୍ ନିକଟରୁ ସ୍ଥାନାନ୍ତରିତ ହେବା ପରେ ଷ୍ଟେଟ୍ ପାଥୋଲୋଜି ନିଜ ସତ୍ତା ହରାଇ ବସିଛି । ଚାଉଳିଆଗଞ୍ଜ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍ସି)ର ଉପର ମହଲାରେ ଅସ୍ଥାୟୀ ଭାବେ ଭାବେ ଏବେ ଦୟନୀୟ ସ୍ଥିତିରେ ରହିଛି ଏହି ସଂସ୍ଥା । ରାଜ୍ୟର ଏହି ଗୁରୁତ୍ୱପୂର୍ଣ୍ଣ ନିଦାନ କେନ୍ଦ୍ର ଏବେ ଏକରକମ ବନ୍ଦ ହେବା ସ୍ଥିତିରେ ।
ବ୍ରିଟିଶ ଅମଳରୁ ଅର୍ଥାତ ୧୯୩୬ରେ ସ୍ଥାପିତ ଏହି ଅନୁଷ୍ଠାନଟି ଏବେ ର..ଠ.. ଭାବେ ଚାଲିଛି । ୨୮ଟି ମଞ୍ଜୁରିପ୍ରାପ୍ତ ପଦବି ପ୍ରତିଷ୍ଠାନରେ³ ହେଲେ ଏବେ ମାତ୍ର ଦୁଇ ଜଣ ଅଛନ୍ତି । ଦୁଇ ଜଣଙ୍କ ମଧ୍ୟରୁ ଏକମାତ୍ର ଟେକ୍ନିସିଆନ୍ ଭାବେ ଜଣେ ମହିଳା କର୍ମଚାରୀ ରହିଥିବାବେଳେ ଯୁଗ୍ମ ନିର୍ଦ୍ଦେଶକ ଭାବେ ଜଣେ ବିଶେଷଜ୍ଞ ଅଛନ୍ତି । ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି, ଯୁଗ୍ମ ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ଅଧିକାରୀ ଏବେ ସହକାରୀ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଷ୍ଟେଟ୍ ପାଥୋଲୋଜିରେ ଆଡିସନାଲ୍ ଡାଇରେକ୍ଟର ପାହ୍ୟାର ସରକାରୀ ସ୍ତରରେ ମଞ୍ଜୁରିପ୍ରାପ୍ତ ପଦବି ନଥିବାରୁ ସେ ଆଉ ଦୁଇ ମାସ ମଧ୍ୟରେ ପଦୋନ୍ନତି ପାଇ ଏଠାରୁ ବଦଳି ହୋଇଯିବେ ।
ସେହିପରି ଏଠାରେ ଟେକ୍ନିସିଆନ୍ ଭାବେ କାମ କରୁଥିବା ଏକମାତ୍ର ମହିଳା କର୍ମଚାରୀଙ୍କ ଚାକିରି କାଳ ଆଉ ମାତ୍ର ୮ ମାସ ବାକି ରହିଛି । ଅବସର ପରେ ଖାଲି ପଡ଼ୁଥିବା ପଦବିରେ କୌଣସି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉ ନଥିବାରୁ ସମ୍ପୃକ୍ତ ଟେକ୍ନିସିଆନ୍ଙ୍କ ଅବସର ପରେ ଷ୍ଟେଟ୍ ପାଥୋଲୋଜି ସଂସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । କୋଭିଡ୍ ପୂର୍ବରୁ ଏହି ପାଥୋଲୋଜିରେ ଭୂତାଣୁ ଓ ଜୀବାଣୁ ଆକ୍ରାନ୍ତ ରୋଗୀଙ୍କର ନମୁନା ପରୀକ୍ଷା ନିରୀକ୍ଷା କରାଯିବା ସହିତ ଅଣୁଜୀବ ବିଭାଗ ସଂକ୍ରାନ୍ତ ବିଭିନ୍ନ ପରୀକ୍ଷା ମଧ୍ୟ କରାଯାଉଥିଲା । ଏହା ବାଦ୍ ଲୋକେ ପିଉଥିବା ପାଣି କେତେ ବିଶୁଦ୍ଧ ରହିଛି ଏବଂ ଜୀବାଣୁମୁକ୍ତ କି ନାହିଁ ତାହା ମଧ୍ୟ ଏଠାରେ ପରୀକ୍ଷା କରାଯାଉଥିଲା । ରାଜ୍ୟବ୍ୟାପୀ ବିଭିନ୍ନ ଆଡ଼ୁ ପାଣି ନମୁନା ସଂଗ୍ରହ କରାଯାଇ ଏଠାରେ କଲ୍ଚର୍ ଟେଷ୍ଟ କରାଯାଉଥିଲା । ଫଳରେ କଲେରା ଜୀବାଣୁ ସମ୍ପର୍କରେ ସରକାର ସହଜରେ ଅବଗତ ହୋଇ ପାରୁଥିଲେ । ମାତ୍ର ଏବେ ଏଠାରେ ଆଉ ଏସବୁ ପରୀକ୍ଷା ସୁବିଧା ଉପଲବ୍ଧ ନାହିଁ । ପାଥୋଲୋଜିର ପରୀକ୍ଷାଗାର ଚାଉଳିଆଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ହେବା ପରେ ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ମେସିନ୍ ମହଜୁଦ ରହିଛି ।
ମାତ୍ର ବିଡ଼ମ୍ବନା ହେଉଛି ପରୀକ୍ଷା ନିରୀକ୍ଷା ଲାଗି ଉକ୍ତ ମେସିନ୍ଗୁଡ଼ିକୁ ଚଳାଇବା ପାଇଁ କର୍ମଚାରୀ ନାହାନ୍ତି । ଏମିତିକି ଅନେକ ଉଚ୍ଚ କ୍ଷମତା ସମ୍ପନ୍ନ ମେସିନ୍ ଚଳାଇବା ପାଇଁ ବିଜୁଳି ସଂଯୋଗ ଲାଗି ଟିପିସିଏଲ୍ରୁ ସହଯୋଗ ବି ମିଳିପାରୁନାହିଁ । ଫଳରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଗୁରୁତ୍ୱପୂର୍ଣ୍ଣ ମେସିନ୍ ଚଳନକ୍ଷମ ହୋଇପାରୁନାହିଁ । ଅଣୁଜୀବ ପରୀକ୍ଷା ସମ୍ବନ୍ଧୀୟ ଅନେକ କାର୍ଯ୍ୟ ମଧ୍ୟ ଏଠାରେ ହୋଇପାରୁନାହିଁ । ଏବେ ଉକ୍ତ ପାଥୋଲୋଜିରେ କେବଳ ବଳାତ୍କାର ଜନିତ ଘଟଣାରେ ସାଇଣ୍ଟିଫିକ୍ ଟିମ୍ ଓ ଏଫ୍ଏମ୍ଟି ବିଭାଗ ଦ୍ୱାରା ସଂଗୃହୀତ ନମୁନାର ପରୀକ୍ଷା ନିରୀକ୍ଷା କରାଯାଉଥିବା ସୂଚନା ମିଳିଛି ।