ବୁର୍ଲା,୦୩/୧୨: ପ୍ରଦୂଷଣ ନିୟମର ସାଂଘାତିକ ଉଲ୍ଲଂଘନ ଅଭିଯୋଗ ହେବା  ପରେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ବୁର୍ଲା  ଭିମ୍‌ସାରକୁ ୧୧ ଲକ୍ଷ ଟଙ୍କା ଫାଇନ୍‌  କରିଥିଲା । ଏହାସତ୍ତେ୍ୱ କୌଣସି ପଦକ୍ଷେପ  ନ ନେବାରୁ ରାଜ୍ୟ ପ୍ରଦୂଷଣ ବୋର୍ଡ ଭିମ୍‌ସାର୍‌  କର୍ତ୍ତୃପକ୍ଷଙ୍କ କଡ଼ା ଭର୍ତ୍ସନ କରିଛନ୍ତି ।  ପଦକ୍ଷେପ ନେବାକୁ ପୁଣି ସାତଦିନର  ମହଲତ ଦେଇଛନ୍ତି । ଏ ସମ୍ପର୍କରେ ରାଜ୍ୟ  ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚିଠିସଂଖ୍ୟା ୧୯୭୨୩ ତା ୨/୧୨/୨୦୨୪ ଅନୁସାରେ  ଭିମ୍‌ସାର୍‌ ମେଡିକାଲ ଅଧିକ୍ଷକଙ୍କୁ  ଚିଠିଦେଇ ଜଳ ପ୍ରଦୂଷଣ ଅଧିନିୟମ  ୧୯୭୪ ଓ ବାୟୁ ପ୍ରଦୂଷଣ ଅଧିନିୟମ  ୧୯୮୧କୁ ଉଲ୍ଲଂଘନ କରିଥିବାରୁ ଭିମ୍‌ସାର  କର୍ତ୍ତୃପକ୍ଷଙ୍କ ସମାଲୋଚନା କରିଛନ୍ତି ।  ଏ ସମ୍ପର୍କରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଡିଏମ୍‌ଇଟିଙ୍କୁ ପ୍ରଦାନ  କରାଯାଇଥିବା ପୂର୍ବତନ ଚିଠିସଂଖ୍ୟା  ୧୫୬୮୫ ତା ୬/୧୦/୨୦୨୩ ବିଷୟରେ  ମଧ୍ୟ ଉଲ୍ଲେଖ କରିଛନ୍ତି ।   

ସୂଚନାମତେ, କେନ୍ଦ୍ରୀୟ ପ୍ରଦୂଷଣ  ବୋର୍ଡ ୨୯/୮/୨୦୨୩ରେ ଭିମ୍‌ସାର୍‌  ହସ୍ପିଟାଲର ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା  ଉପରେ ଯାଞ୍ଚ କରି ଚାରୋଟି ନିୟମର  ଅନୁପାଳନ ହୋଇ ନଥିବାର ଜାଣିବାକୁ  ପାଇଥିଲେ । ଏଥିମଧ୍ୟରେ ଭିମ୍‌ସାର୍‌  କର୍ତ୍ତୃପକ୍ଷ ହସ୍ପିଟାଲର ପ୍ରଦୂଷଣ ସମ୍ପର୍କିତ ନବୀକରଣ ପାଇଁ ଦରଖାସ୍ତ ଦେଇ  ନଥିଲେ । ତାଛଡ଼ା ହସ୍ପିଟାଲ କର୍ତ୍ତୃପକ୍ଷ  କ୍ଷମତାଠାରୁ ଅଧିକ ଯନ୍ତ୍ରପାତି ବ୍ୟବହାର  କରିଥିବା ବିଷୟରେ ମଧ୍ୟ ପ୍ରଦୂଷଣ  ନିୟନ୍ତ୍ରଣ ବୋର୍ଡକୁ ଅବଗତ କରାଇ  ନଥିଲେ । ବର୍ଜ୍ୟବସ୍ତୁ ଜାଳିବା ପାଇଁ  ବ୍ୟବହୃତ ଯନ୍ତ୍ର ପାଇଁ ନିର୍ମାଣାଧୀନ  ପାହାଚ ବିଷୟରେ ମଧ୍ୟ ପ୍ରଦୂଷଣ  ବୋର୍ଡକୁ କୌଣସି ସୂଚନା ଦେଇ  ନଥିଲେ । କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ  ଫାଇନ୍‌ କରିଥିବା ୧୧ଲକ୍ଷ ୨୨ହଜାର ଟଙ୍କା ବର୍ତ୍ତମାନ ସୁଦ୍ଧା ପଇଠ କରାଯାଇଛି  କି ନାହିଁ ସେ ବିଷୟରେ କୌଣସି ସୂଚନା  ଦେଇ ନଥିଲେ । ଏଥିରୁ ଜଣାପଡୁଛି ଯେ  ଭିମ୍‌ସାର୍‌ କର୍ତ୍ତୃପକ୍ଷଙ୍କ ପ୍ରଦୂଷଣ ବୋର୍ଡର  ନିର୍ଦ୍ଦେଶକୁ ତିଳେମାତ୍ର ଖାତିର ନାହିଁ ।  ଏସବୁ ଅବ୍ୟବସ୍ଥା ଦେଖି ପ୍ରଦୂଷଣ  ନିୟନ୍ତ୍ରଣ ବୋର୍ଡ ଏହା ଭିମ୍‌ସାର୍‌ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ବୋଲି  ଦର୍ଶାଇଛନ୍ତି । ତେବେ ଭିମ୍‌ସାର୍‌ କର୍ତ୍ତୃପକ୍ଷ  ସମସ୍ତ ଅବ୍ୟବସ୍ଥାକୁ ସାତ ଦିନ ମଧ୍ୟରେ  ସୁଧାରିବାକୁ ଚରମ ବାଣି ଶୁଣାଇଛନ୍ତି ।  

ଭିମ୍‌ସାର୍‌ କର୍ତ୍ତୃପକ୍ଷ ବିନା ଟେଣ୍ଡରେ  ଗୋଟିଏ ଠିକା ସଂସ୍ଥାକୁ ବର୍ଷ ବର୍ଷ ଧରି  ଟେଣ୍ଡର ନକରି କେବଳ ନବୀକରଣ  କରିଦେଇ ସରକାରୀ ଅର୍ଥ ହରିଲୁଟ୍‌  କରୁଥିବା ଅଭିଯୋଗ ହୋଇ ଆସୁଛି ।  ଏସବୁ ମଧ୍ୟରେ ବାରମ୍ବାର ବିଭିନ୍ନ  ଗଣମାଧ୍ୟମରେ ଖବର ପ୍ରକାଶିତ  ହେବା ସତ୍ତେ୍ୱ କିଛି ଅସାଧୁ କର୍ମଚାରୀଙ୍କୁ  ଧରି ଅନୈତିକ ଭାବରେ ବର୍ଜ୍ୟବସ୍ତୁ  ପରିଚାଳନାକୁ ଆଦୌ ଗୁରୁତ୍ତ୍ୱ  ଦେଉନାହାନ୍ତି । ଏଭଳି ବେପରୁଆ  ମନୋଭାବ ବଢ଼ିଚାଲିଲେ ପଶ୍ଚିମ  ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜୀବନ  ରେଖା ଭିମ୍‌ସାର୍‌ରେ କେତେବେଳେ ଯେ  ତାଲା ପଡ଼ିବ ତାହା କହିହେବ ନାହିଁ ।