ନୂଆଦିଲ୍ଲୀ: ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବଂ ମାନ୍ଦାବସ୍ଥା ସହିତ ସଂଘର୍ଷ କରୁଥିବା ବେଳେ ଚୀନ୍ ଚୁପଚାପ୍ ତାର ପରମାଣୁ ଅସ୍ତ୍ରଶସ୍ତ୍ରକୁ ମଜଭୁତ କରୁଛି। ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (SIPRI) ର ଏକ  ରିପୋର୍ଟ ଅନୁଯାୟୀ, ଚୀନ୍‌ର ପରମାଣୁ ଭଣ୍ଡାର ଏବେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୨୩ ମସିହାରେ ଚୀନ୍‌ର ୪୧୦ଟି ପରମାଣୁ ଯୁଦ୍ଧାସ୍ତ୍ର ଥିଲା । ୨୦୨୪ରେ ଏହି ସଂଖ୍ୟା ୫୦୦ରେ ପହଞ୍ଚିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଚୀନ୍‌ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ ୧୦୦ଟି ନୂତନ ପରମାଣୁ ଯୁଦ୍ଧାସ୍ତ୍ର ବିକଶିତ କରିଛି ।  ଆଉ ଯୁଦ୍ଧାସ୍ତ୍ର ତିଆରି କରିବାର ଗତି ଥମିବାର ନାଁ ଧରୁନାହିଁ । 

ଏହି ପରମାଣୁ ଯୁଦ୍ଧାସ୍ତ୍ର ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ। ଏହା କେବଳ ଏସିଆ ନୁହେଁ ବରଂ ସମଗ୍ର ବିଶ୍ୱର ରଣନୈତିକ ସନ୍ତୁଳନକୁ ପ୍ରଭାବିତ କରିପାରେ। ଆମେରିକା, ରୁଷ, ଭାରତ ଏବଂ ଅନ୍ୟାନ୍ୟ ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶଗୁଡ଼ିକ ଏବେ ଚୀନର କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଛନ୍ତି। ଏହା ଭାରତ ପାଇଁ ଏକ ଚେତାବନୀ ଯେ, ନିଜର ସୁରକ୍ଷା ଏବଂ ପରମାଣୁ ନୀତିର ପୁନର୍ବିଚାର କରିବାକୁ ପଡ଼ିବ। ଯଦିଓ ଚୀନ୍ ସାର୍ବଜନୀନ ଭାବରେ ଏହାର ‘ନୋ ଫାଷ୍ଟ ୟୁଜ୍‌’ ନୀତିକୁ ଦୋହରାଇଛି, କିନ୍ତୁ ଯୁଦ୍ଧାସ୍ତ୍ର ନିର୍ମାଣ ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି । 

ଚୀନ୍ ଆନୁଷ୍ଠାନିକ ଭାବରେ ୧୯୫୫ ମସିହାରେ ଏହାର ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏହାକୁ ପ୍ରୋଜେକ୍ଟ ୫୯୬ ନାମରେ ନାମିତ କରାଯାଇଥିଲା। ଏହାକୁ ସୋଭିଏତ୍ ୟୁନିଅନ୍ ଠାରୁ ପ୍ରଥମେ  ସହାୟତା ମିଳିଥିଲା। ତା’ପରେ ଚୀନ୍ ୧୯୬୪ ମସିହାରେ ସଫଳତାର ସହ ପ୍ରଥମ ପରମାଣୁ ପରୀକ୍ଷଣ କରିଥିଲା ଚୀନ୍‌ । ଏହି ପରୀକ୍ଷଣ ଲୋପ୍ ନୁରରେ କରାଯାଇଥିଲା । ଏହି ସଫଳ ପରୀକ୍ଷଣ ସହିତ, ଆମେରିକା, ସୋଭିଏତ୍ ୟୁନିଅନ୍, ବ୍ରିଟେନ୍ ଏବଂ ଫ୍ରାନ୍ସ ପରେ ଚୀନ୍ ବିଶ୍ୱର ପଞ୍ଚମ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ହୋଇଥିଲା। ପରବର୍ତ୍ତୀ ସମୟରେ ଚୀନ୍ ୧୯୬୪ ରୁ ୧୯୯୬ ପର୍ଯ୍ୟନ୍ତ ତିନି ଦଶନ୍ଧୀ ମଧ୍ୟରେ ଲପ୍ ନୁରରେ ୪୫ଟି ପରମାଣୁ ପରୀକ୍ଷଣ କରିଥିଲା।