ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଭଲ ଭାବେ ସକାଳ ଜଳଖିଆ ଖାଇବା ପାଇଁ ସମୟର ଅଭାବ ଦେଖିବାକୁ ମିଳିଥାଏ। ଏପରି କ୍ଷେତ୍ରରେ ଜଳଖିଆ ପାଇଁ ସାଣ୍ଡୱିଚ କିମ୍ବା ବ୍ରେଡ ଓ ବଟର ଏକ ସହଜ ଉପାୟ । ହେଲେ ଆପଣ ଜାଣନ୍ତି କି ନିଜର ସମୟ ବଞ୍ଚାଇବା ପାଇଁ ଖାଉଥିବା ପାଉଁରୁଟି ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ।
ମଇଦାରୁ ତିଆରି ହୋଇଥିବା ପାଉଁରୁଟିର ଗ୍ଲାଇସେମିକ ଇଣ୍ଡେକ୍ସ ବହୁ ଅଧିକ ରହିଥାଏ । ଏହାକୁ ସକାଳୁ ଖାଇଲେ ଶରୀରରେ ରକ୍ତ ଶର୍କରାର ମାତ୍ରା ବୃଦ୍ଧି ପାଇଥାଏ। ଏହାକୁ ସବୁଦିନେ ଖାଇବା ଦ୍ବାରା ଟାଇପ୍ ୨ ଡାଇବେଟିସ ହେବାର ଭୟ ରହିଥାଏ । ସେହିପରି ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ପାଉଁରୁଟି ଆପଣଙ୍କର ବଡ଼ ଶତ୍ରୁ । ଏଥିରେ କ୍ୟାଲୋରୀ ମାତ୍ରା ଯଥେଷ୍ଟ ଅଧିକ ଥାଏ । ଏହା ସହିତ ଶ୍ବେତସାରର ମାତ୍ରା ଅଧିକ ଥାଏ । ଗହମର ପ୍ରାକୃତିକ ତତ୍ତ୍ବକୁ ରିଫାଇନିଂ ମାଧ୍ୟମରେ ଅଲଗା କରି ପାଉଁରୁଟିକୁ ତିଆରି କରାଯାଇଥାଏ । ଯାହାଫଳରେ ଏଥିରେ ଅଳ୍ପ ପରିମାଣର ଭିଟାମିନ, ମିନେରାଲ ଓ ପ୍ରୋଟିନ ଅବଶେଷ ରହିଥାଏ । ଅର୍ଥାତ ଆପଣ ପାଉଁରୁଟି ଖାଇବା ଅର୍ଥ ହିଁ ପୋଷକ ବିହୀନ କ୍ୟାଲୋରୀ ନିଜ ଶରୀରକୁ ଯୋଗାଇ ଦେବା ।
ଯଦି ସକାଳେ ଆପଣଙ୍କ ପେଟ ସଠିକ ଭାବେ ପରିଷ୍କାର ହୁଏ ନାହିଁ, ଏବଂ ଆପଣ ପ୍ରତିଦିନ ପାଉଁରୁଟି ଗ୍ରହଣ କରୁଥାନ୍ତି ତେବେ ଏହି ସମସ୍ୟା ଆଗକୁ ଆହୁରି ବଢିବାକୁ ଯାଉଛି । ତେବେ ବଜାରରେ ମିଳୁଥିବା ପାଉଁରୁଟିରେ ଲବଣର ମାତ୍ରା ଅଧିକ ଥାଏ ଏବଂ ଏଥିରେ ପ୍ରେଜରଭେଟିଭ ମଧ୍ୟ ଅଧିକ ପରିମାଣରେ ରହିଥାଏ । ଏଥିରେ ଥିବା ଅଧିକ ପରିମାଣର ଲବଣ ହୃଦରୋଗର ସମସ୍ୟାକୁ ବଢାଇଥାନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ଆପଣ ପାଉଁରୁଟି ସେବନ କରୁଥାନ୍ତି, ତେବେ ଆପଣ ମଲ୍ଟି ଗ୍ରେନ କିମ୍ବା ଅଟାରୁ ତିଆରି ପାଉଁରୁଟି ସେବନ କରନ୍ତୁ ।