କଟକ, ୧୩/୦୮ : ଦିନ ହେଉକି ରାତି। ସହରର ରାସ୍ତାଘାଟ ଓ ଗଳିକନନ୍ଦିରେ ବୁଲା କୁକୁର ହାଉଯାଉ। କେତେବେଳେ ଚାଲିକି ଯାଉଥିବା ଲୋକଙ୍କୁ କାମୁଡ଼ିଲେଣି ତ ଆଉ କେତେବେଳେ ବାଇକ୍‌ ଆରୋହୀଙ୍କ ଆଗରେ ପଶିଯାଉଛନ୍ତି । ଗୋଡ଼ାଇ ଗୋଡ଼ାଇ ନୟାନ୍ତ କରୁଛନ୍ତି । କୁକୁର ଯୋଗୁଁ କିଏ ଦୁର୍ଘଟଣାରେ ଜୀବନ ହାରୁଛନ୍ତି ତ ଆଉ କିଏ ଗୁରୁତର ହେଉଛନ୍ତି । ପୁଣି କିଏ ଗୋଡ଼, ହାତ ହରାଇ ଜୀବନସାରା ପଙ୍ଗୁ ହୋଇଯାଉଛନ୍ତି । କେତେକ ସ୍ଥାନରେ ରାତି ହେଲେ କୁକୁର ଭୟରେ ଲୋକମାନେ ଘରୁ ବି ବାହାରି ପାରୁନାହାନ୍ତି । ସହରରେ ବୁଲା କୁକୁର ଆତଙ୍କ ଖେଳିଲାଣି । ଏମିତିକି କଟକ ମହାନଗର ନିଗମକୁ ମାସକୁ କେବଳ କୁକୁର ଧରିବାକୁ ୧୫୦ରୁ ଅଧିକ କଲ୍‌ ଆସୁଛି । କିନ୍ତୁ ଅଭିଯୋଗ ମିଳିବାର ତିନି ଦିନ ପରେ କୁକୁର ଧରିବାକୁ ଟିମ୍‌ ଯାଇ ପହଞ୍ଚୁଛି । ଏହା ସହରରେ କୁକୁର ଉତ୍ପାତ ନିୟନ୍ତ୍ରଣରେ ନିଗମ ସ୍ୱାସ୍ଥ୍ୟ ବିଭାଗର ବିଫଳତାକୁ ପଦାରେ ପକାଇଛି । 

ସିଏମ୍‌ସିର ବୁଲା କୁକୁର ନିୟନ୍ତ୍ରଣ କେବଳ କାଗଜକଲମରେ ଚାଲିଥିବା ଜଳଜଳ ଦିଶୁଛି। କାରଣ କୌଣସି ୱାର୍ଡରେ ବୁଲା କୁକୁରଙ୍କୁ ନେଇ ସମସ୍ୟା ହେଲେ ଲୋକମାନେ ସିଏମ୍‌ସି କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ କରୁଛନ୍ତି । ଏପରି ମାସକୁ ପ୍ରାୟ ଦେଢ଼ ଶହ ଅଭିଯୋଗ ପଞ୍ଜିକୃତ ହେଉଛି । ଅର୍ଥାତ୍‌ ଦୈନିକ ୫ରୁ ଅଧିକ ଅଭିଯୋଗ ଆସୁଛି । ଉଦାହରଣ ସ୍ୱରୂପ ଗତ ଜୁଲାଇ ମାସ ୧୨ ତାରିଖରୁ ଚଳିତ ମାସ ୧୨ ତାରିଖ ମଧ୍ୟରେ କୁକୁର ସମ୍ପର୍କିତ ଅଭିଯୋଗ ୧୨୮ଟି ଆସିଛି । କିନ୍ତୁ ଏହାର ସମାଧାନ ହେଉନି । ଯେଉଁଥିପାଇଁ ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି । କାରଣ ସିଏମ୍‌ସିକୁ ଫୋନ୍‌ କରାଯିବା ପରେ କୌଣସି ଟିମ୍‌ ଆସୁ ନ ଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହଁ, ଅଭିଯୋଗ କରିବାର ୩ରୁ ୪ ଦିନ ପରେ ଟିମ୍‌ ଆସି କାମ ହୋଇଯାଉଥିବା ଅଧିକାରୀଙ୍କୁ ଜଣାଇ ଦେଉଛନ୍ତି । ଫଳରେ ଅଭିଯୋଗକାରୀଙ୍କ ମୋବାଇଲ୍‌କୁ ମିଛ ସମାଧାନ ମେସେଜ୍‌ ଆସୁଛି । 

ଏଭଳି ସ୍ଥିତିରେ କିନ୍ତୁ ସିଟି ହସ୍ପିଟାଲ୍‌କୁ ଦୈନିକ ୫୦ରୁ ଅଧିକ କୁକୁର କାମୁଡ଼ା ରୋଗୀ ଆସୁଛନ୍ତି । କୁକୁର ଉତ୍ପାତ ରୋକିବାକୁ ସିଏମ୍‌ସିରେ କୁକୁର ବନ୍ଧ୍ୟାକରଣ ଯୋଜନା କରାଯାଇଥିଲେ ବି ତାହା କେବଳ କାଗଜକଲମରେ ସୀମିତ ରହିଥିବା ଅଭିଯୋଗ ହୋଇଛି । ଦିଲ୍ଲୀରେ ବୁଲା କୁକୁର ଉପଦ୍ରବକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆସନ୍ତା ୬ ସପ୍ତାହ ଭିତରେ ୫ ହଜାର କୁକୁର ଧରିବା ଅଭିଯାନ ଓ ୮ ସପ୍ତାହରେ କୁକୁର ରହିବା ସ୍ଥଳୀ ତିଆରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ସ୍ଥିତିରେ କଟକବାସୀ ମଧ୍ୟ ବୁଲା କୁକୁର ଉତ୍ପାତକୁ ରୋକିବା ଦିଗରେ କେବେ ସିଏମ୍‌ସିର ଚେତା ପଶିବ ବୋଲି ପ୍ରଶ୍ନ ଉଠାଇଛନ୍ତି । ଏନେଇ କମିସନର ସୁଶ୍ରୀ କିରନ୍‌ଦୀପ କୌର ସହୋତାଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଏ ଦିଗରେ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ନଗର ସ୍ୱାସ୍ଥ୍ୟ ଅଧିକାରୀ ଅରୁଣ କୁମାର ସାହୁ କହିଛନ୍ତି ।