କର୍ଲାମୁଣ୍ଡା, ୧୩/୧୦: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ବିବାଦୀୟ ବିଡିଓଙ୍କୁ ପୁନଃ ନିଯୁକ୍ତି ମିଳିବାକୁ ନେଇ ଜନଅସନ୍ତୋଷ । ପ୍ରତିବାଦରେ ଜନପ୍ରତିନିଧି, ଆଦିବାସୀ ସଂଘ ଓ ବୁଦ୍ଧିଜୀବୀ ସୋମବାର ବ୍ଲକର ୨ଟି ଗେଟକୁ ତାଲା ପକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ବ୍ଲକ୍ ଅଧ୍ୟକ୍ଷା କୁନି ସାହୁ, ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ଆଦି ଧାରଣାରେ ବସିଛନ୍ତି ।
ସେପଟେ ଆନ୍ଦୋଳନରେ ସମିତି ସଭ୍ୟ ଆନନ୍ଦ ନାଗ, ପୌରକେଲା ସମିତି ସଭ୍ୟ ସୁଧିର ଭୋଇ, ରାଜପୁର ସମିତି ସଭ୍ୟ ନିରୂପମା ଭୋଇ, ସାପଲହରା ସମିତି ସଭ୍ୟ ଵିଶାନ୍ତି ଭୋଇ, ତେରେସିଙ୍ଗା ସମିତି ସଭ୍ୟ ଚନ୍ଦ୍ରମା ରଣା, ରେଗଡା ସମିତି ସଭ୍ୟ ଗେଲ କମ୍ପ, ଆଦିବାସୀ ନେତା ଦୟା ସାଗର ମାଝୀ, ବିଜେପି ନେତ୍ରୀ ତଥା ମିଶନ ଶକ୍ତି ବ୍ଲକ୍ ଫେଡରେସନ ସଭାନେତ୍ରୀ ଜୟନ୍ତୀ ସାହୁ, ବରିଷ୍ଠ କଂଗ୍ରେସ ନେତା ରାଜକିଶୋର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ ।
ପୂର୍ବତନ ବିଡିଓ ସୁଶ୍ରୀ ସୁଚରିତା ମୁଗ୍ରୀ ଗତ ୨/୧୦/୨୦୨୨ ରୁ ୩୧/୧/୨୦୨୪ ଯାଏଁ କର୍ଲାମୁଣ୍ଡା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରିଥିଲେ । ଏହି ସମୟରେ ସାଧାରଣ ଲୋକଙ୍କୁ ହଇରାଣ କରିବା ସହ ଜନ ପ୍ରତିନିଧିମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ । ଏଣୁ ସେ ସମୟର ତତ୍କାଳୀନ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମୁଗ୍ରୀଙ୍କୁ ଅନ୍ୟତ୍ର ବଦଳି ହୋଇଥିଲା। ତାଙ୍କ କାର୍ଯ୍ୟକାଳ ସମୟରେ ବ୍ୟାପକ ଦୁର୍ନୀତି ହେବା ସହ ସେ ଏକଛତ୍ରବାଦ ଶାସନ କରି ଜନପ୍ରତିନିଧି ମାନଙ୍କୁ ଉପେକ୍ଷା କରୁଥିଲେ ବୋଲି ଆନ୍ଦୋଳନକାରୀ ମାନେ ପ୍ରକାଶ କରିଛନ୍ତି ।

ତେବେ ସୁଶ୍ରୀ ମୁଗ୍ରୀଙ୍କୁ ପୁନଃ କର୍ଲାମୁଣ୍ଡା ବିଡିଓ ଭାବେ ବଦଳି ନେଇ ନୋଟିସ୍ ଜାରି ହେବା ପରେ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ଦେଖାଦେଇଛି । ସେ କର୍ଲାମୁଣ୍ଡା ବ୍ଲକରେ ଯୋଗ ଦେଲେ ଅଶାନ୍ତି ବାତାବରଣ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ତାଙ୍କୁ ଏଠାରେ ନିଯୁକ୍ତି ନକରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି । ଏଥିପ୍ରତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, କଳାହାଣ୍ଡି ଜିଲ୍ଲାପାଳ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି । ଯଦି ସୁଶ୍ରୀ ମୁଗ୍ରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଏ ତେବେ ଅଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବା ବୋଲି ଆନ୍ଦୋଳନକାରୀ ଏବଂ ଜନପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି । ଧାରଣା ସ୍ଥଳରେ ତହସିଲଦାର ଅରୁଣ ବର୍ଗେ, କର୍ଲାମୁଣ୍ଡା ବିଡିଓ ଦେବେନ୍ଦ୍ର ସାମଲ, ମ. ରାମପୁର ଥାନା ଅଧିକାରୀ ବିରବର ଭଗତ, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା, ରିଷିଡା ଫାଣ୍ଡି ଅଧିକାରୀ ମନୁଆଁ ବିଡିକା ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ହେଁ ଖବର ଲେଖା ପର୍ଯ୍ୟନ୍ତ ଧାରଣା ଜାରି ରହିଥିବା ଦେଖିବାକୁ ମିଳିଛି l