ମାଲକାନଗିରି, ୯।୭(ଆପ୍ର): ପୂର୍ବ ସରକାର ଓ ଜିଲ୍ଲା ପ୍ରଶାସନ ଶିକ୍ଷିତ ବେରୋଜଗର ଓ ତୃତୀୟ ଲିଙ୍ଗୀଙ୍କ ସହ ପୂର୍ବତନ ମାଓବାଦୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ତାଲିମ ଦେଇ ସିକ୍ୟୁରିଟି ଗାର୍ଡ ଭାବେ ନିଯୁକ୍ତି କରିଥିବା ବେଳେ ବର୍ତ୍ତମାନ ସେମାନେ ସଠିକ ଭାବେ ଦରମା ପାଉ ନଥିବା ଅଭିଯୋଗ କରିଛନ୍ତି। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡଙ୍କ ପକ୍ଷରୁ ଏଭଳି ଅଭିଯୋଗ ଆସିଥିବା ବେଳେ ଦରମା ସଠିକ ଭାବେ ମିଳୁନଥିବାରୁ ସେମାନେ ଧାରଣା ଦେଇଛନ୍ତି। ସଠିକ ସମୟରେ ଦରମା ନ ମିଳିବା, ଦରମା ମାଗିଲେ ଏଜେନ୍ସି ପକ୍ଷରୁ ଧମକ ଚମକ ଦେବା ଭଳି ଅଭିଯୋଗ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରବେଶ ଦ୍ୱାର ସମ୍ମୁଖରେ ଧାରଣାରେ ବସିଛନ୍ତି ସିକ୍ୟୁରିଟି ଗାର୍ଡ ମାନେ। ଗତ ଦୁଇ ମାସ ରୁ ଅଧିକ ସମୟ ଧରି ଦରମା ଦିଆଯାଇ ନଥିବା ଅଭିଯୋଗ ଆଣିଛନ୍ତି ସିକ୍ୟୁରିଟି କର୍ମଚାରୀ।
ସୂଚନା ମୁତାବକ ଭୁବନେଶ୍ୱରର କେୟାର ନାମକ ସେକ୍ୟୁରିଟି ସଂସ୍ଥା ପକ୍ଷରୁ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ପ୍ରାୟ ୧୮୦ ଜଣ କାର୍ଯ୍ୟରତ ସମସ୍ତ ସେକ୍ୟୁରିଟ୍ ଗାର୍ଡଙ୍କୁ ନିୟମିତ ଭାବେ ଦରମା ପ୍ରଦାନ କରାଯାଉ ନଥିବାରୁ ଆଜି ମାଲକାନଗିରି ଜିଲ୍ଲା ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ସେମାନଙ୍କୁ ମାତ୍ର ୧୨ହାଜର ଟଙ୍କା ମିଳୁଥିବା ବେଳେ ଗତ ଦୁଇ ମାସର ଦରମା ନ ପାଇ ସେମାନେ ବହୁତ ହଇରାଣ ହେଉଛନ୍ତି। ପରିବାର କିପରି ଚଳିବ ସେନେଇ ସମସ୍ତେ ଚିନ୍ତିତ ହୋଇ ପଡିଛନ୍ତି। ସେମାନଙ୍କୁ ନୟମିତ ଭାବେ ପ୍ରତିମାସ ୫ ତାରିଖ ସୁଦ୍ଧା ଆମ୍ଭ ବେତନ ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।
ଏହା ସହ ପୂର୍ବରୁ ଏହି ସିକ୍ୟୁରିଟି ଗାର୍ଡ ମାନେ ବର୍ଷା ଦିନ ପାଇଁ ରେନକୋର୍ଟ ଓ ଅତିରିକ୍ତ ୟୁନିଫର୍ମ ପ୍ରଦାନ କରାଯାଉ ବୋଲି ଜିଲ୍ଲାମୂଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଦାବି ଜଣାଇଥିଲେ। ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ସମସ୍ଥ ସୁରକ୍ଷା କର୍ମୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ କିଛି ସମୟ ପାଇଁ ସୁରକ୍ଷା ବ୍ୟବସ୍ଥା ଅଚଳ ହୋଇପଡ଼ିଥିଲା। ଆନ୍ଦୋଳନର କିଛି ଘଣ୍ଟା ପରେ ସେମାନଙ୍କ ଆକାଉଣ୍ଟକୁ ଗୋଟିଏ ମାସର ଦରମା ଟଙ୍କା ଆସିଥିଲା। ସୂଚନା ଯୋଗ୍ୟ ଯେ ନିଯୁକ୍ତି ପାଇବା ଦିନଠାରୁ ସେମାନଙ୍କୁ କେବେ ଵି ନିୟମିତ ଭାବେ ଦରମା ମିଳେ ନାହିଁ, ଆନ୍ଦୋଳନ ଆରମ୍ଭ କଲେ ସଂସ୍ଥା ପକ୍ଷରୁ ଦରମା ମିଳେ ବୋଲି ସୁରକ୍ଷା କର୍ମୀ ମାନେ କହିଛନ୍ତି। ଚଳିତ ମାସରୁ ସଠିକ ଭାବେ ଦରମା ପୈଠ କରା ନଗଲେ ଗାର୍ଡ କାର୍ଯ୍ୟ ଛାଡି ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।